କନକ ବ୍ୟୁରୋ : ଲକଡାଉନ୍ର ପ୍ରଭାବ ସିଧାସଳଖ ଦୁଗ୍ଧ ଚାଷୀଙ୍କ ଉପରେ ପଡ଼ିଛି । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଲିଟର କ୍ଷୀର ଉତ୍ପାଦନ ହେଉଥିଲେ ମଧ୍ୟ ତାହାକୁ ନେବାକୁ କେହି ନାହିଁ। ଲକ୍-ଡାଉନ୍ ହୋଇଥିବା କହି ବ୍ୟବସାୟୀ ଦୁଗ୍ଧ ନେଉ ନ ଥିବା ବେଳେ ବିଭିନ୍ନ ସ୍ଥାନରେ ଖୋଲିଥିବା ଓମଫେଡ୍ ଷ୍ଟଲ୍, ଚା’ ଦୋକାନ ବି ବନ୍ଦ ହୋଇଯାଇଛି। ଦୁଗ୍ଧକୁ ଛାଡ଼ି ଆଉ କିଛି ବିକ୍ରି କରିବାକୁ ପ୍ରଶାସନ ଅନୁମତି ଦେଉନଥିବାରୁ ସହରରେ ଥିବା ଛୋଟ ବ୍ୟବସାୟୀ ଷ୍ଟଲରେ ତାଲା ପକାଇ ଗାଁକୁ ପଳାଇ ଯାଇଛନ୍ତି। କେବେ ଆସିବେ ସେନେଇ କାହା ପାଖରେ ଖବର ନାହିଁ।
ସେପଟେ କରୋନା ଭୟ ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଦୁଗ୍ଧଚାଷୀଙ୍କଠାରୁ କ୍ଷୀର ସଂଗ୍ରହ ହୋଇପାରୁନି। କେଉଁଠି ଓମଫେଡ୍ ଗାଡ଼ି ଠିକ୍ ସମୟରେ ପହଞ୍ଚୁ ନାହିଁ ତ ଆଉ କେଉଁଠି ଗାଡ଼ି ସୁବିଧା ନ ଥିବାରୁ ଚାଷୀମାନେ ସହରକୁ କ୍ଷୀର ପଠାଇ ପାରୁନାହାନ୍ତି। ଆଉ କିଛି ଜାଗାରେ କ୍ଷୀରରୁ ଉତ୍ପାଦିତ ହେଉଥିବା ଛେନା, ପନିର୍ ଆଦି ଉତ୍ପାଦନ କରୁଥିବା ବ୍ୟବସାୟୀଙ୍କଠାରୁ ସାମଗ୍ରୀ ନେବାକୁ ଲୋକ ନାହାନ୍ତି। ହୋଟେଲ ଓ ରେସ୍ତୋରାଁଗୁଡ଼ିକ ବି ବନ୍ଦ ହୋଇଯାଇଛି। ତେଣୁ କ୍ଷୀର ଚାଷୀ ଓ ବ୍ୟବସାୟୀ ଏକପ୍ରକାର ହଇରାଣ ହେଉଛନ୍ତି। ରାଜ୍ୟର କେତେକ ଅଞ୍ଚଳରେ କ୍ଷୀରର ଅଭାବୀ ବିକ୍ରି ବି ସାମ୍ନାକୁ ଆସିଛି। କ୍ଷୀର ଉତ୍ପାଦନର ପ୍ରାଣକେନ୍ଦ୍ର କୁହାଯାଉଥିବା ପୁରୀ,କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ବର, ଗଞ୍ଜାମ ପ୍ରମୁଖ ଜିଲ୍ଲାରେ ଦୁଗ୍ଧଚାଷୀ କ୍ଷୀର ଉତ୍ପାଦନ କରୁଥିଲେ ମଧ୍ୟ ଉପଯୁକ୍ତ ପ୍ରାପ୍ୟ ପାଉନାହାନ୍ତି। କମ୍ ଦାମରେ ଗ୍ରାହକଙ୍କୁ କ୍ଷୀର ଦେଉଛନ୍ତି।
କୃଷି ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ଯେ ବିଶ୍ୱ ଏକ ବଡ଼ ସମସ୍ୟାର ସମ୍ମୁଖୀନ କରୁଛି। ଏଭଳି ସମୟରେ ସମସ୍ତଙ୍କ ସହଯୋଗ ଦରକାର। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟକୁ ଲକ୍-ଡାଉନ୍ କରାଯାଇଛି। ଏଭଳି ସମୟରେ ଦେଖିବାକୁ ମିଳିଛି ଯେ ଲୋକେ କ୍ଷୀର କିଣୁନାହାନ୍ତି ଏବଂ ପିଇବା ବି କମାଇ ଦେଇଛନ୍ତି। ଲକ୍-ଡାଉନ୍ ହୋଇଥିଲେ ବି କ୍ଷୀର ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ଗଣାଯାଉଛି। ତେଣୁ କ୍ଷୀର ବିକ୍ରି ଲାଗି ଖୋଲାଯାଇଥିବା ଷ୍ଟଲ ବନ୍ଦ ରହିବ ନାହିଁ ଏବଂ ସେଠାରେ ଓମଫେଡ୍ କ୍ଷୀର ବିକ୍ରି ହେବ। ପ୍ରତିଦିନ ଓମଫେଡ୍ ଦ୍ୱାରା ଓଡ଼ିଶାରୁ ୫ ଲକ୍ଷ ଲିଟର୍ କ୍ଷୀର ସଂଗ୍ରହ କରାଯାଇଥାଏ। ତେଣୁ ଓମଫେଡ୍ କ୍ଷୀର ସଂଗ୍ରହକୁ ବନ୍ଦ କରାଯାଇନାହିଁ। କ୍ଷୀର ଏକ ସୁଷମ ଖାଦ୍ୟ। ଏଥିରେ ଭିଟାମିନ-ଏ, ଭିଟାମିନ ବି-୨, ପୋଷକତତ୍ତ୍ବ ଭରପୂର ରହିଛି। ତା’ ସତ୍ତ୍ବେ କ୍ଷୀର ବିକ୍ରି କମିବା ଚିନ୍ତାର କାରଣ। ଓଡ଼ିଶାର ୩ଲକ୍ଷ ଚାଷୀ କେବଳ ଓମଫେଡ୍କୁ କ୍ଷୀର ଯୋଗାଇଥାନ୍ତି। ସେମାନଙ୍କ ହିତକୁ ଦୁଷ୍ଟିରେ ରଖି ସମସ୍ତେ କ୍ଷୀର କିଣନ୍ତୁ ଓ ପିଅନ୍ତୁ। ନିଜେ ସୁସ୍ଥ ରହିବା ସହ ପରିବାରକୁ ସୁସ୍ଥରେ ରଖନ୍ତୁ।
ମିଳିଥିବା ସୂଚନା ଅନୁଯାୟୀ, ଆଜିଠାରୁ ଓମଫେଡ୍ ପକ୍ଷରୁ ରାଜଧାନୀରେ ୭ଟି ଭ୍ରାମ୍ୟମାଣ ଗାଡ଼ିରେ ଗ୍ରାହକଙ୍କୁ କ୍ଷୀର ବିକ୍ରି କରାଯାଇଛି। ଆଗାମୀ ଦିନରେ ଅନ୍ୟ ସହରରେ ବି କ୍ଷୀର ବିକ୍ରି କରାଯିବାର ବ୍ୟବସ୍ଥା ହେବ ବୋଲି ସୂଚନା ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/0.08827300_1546340157_milk.jpg)