ପର୍ଯ୍ୟଟକଙ୍କୁ ବିଶ୍ୱପ୍ରସିଦ୍ଧ କୋଣାର୍କ ମନା : ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ସୂର୍ଯ୍ୟମନ୍ଦିର . . ତାରାତାରିଣୀର ପ୍ରସିଦ୍ଧ ଦଣ୍ଡଯାତ୍ରା ଉପରେ କଟକଣା, ମୁଣ୍ଡନ ମନା

281

କନକ ବ୍ୟୁରୋ : ଖାଲି ପୁରୀ ଶ୍ରୀମନ୍ଦିର କାହିଁକି ରାଜ୍ୟର ଅନ୍ୟ ମନ୍ଦିରମାନଙ୍କରେ ମଧ୍ୟ ଜାରି ହୋଇଛି କରୋନା କଟକଣା । କେବଳ ମନ୍ଦିର ନୁହେଁ, ଅନେକ ପ ର୍ଯ୍ୟଟନ ସ୍ଥଳୀରେ ମଧ୍ୟ କରୋନା ସତର୍କତା ଜାରି ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ କରୋନାର ମୁକାବିଲା ପାଇଁ ଅଂଟା ଭିଡିଛି ଜିଲ୍ଲା ପ୍ରଶାସନ । ବିଶେଷ କରି ପର୍ଯ୍ୟଟନସ୍ଥଳୀ ଗୁଡିକରେ ସଚେତନତା ଓ ସତର୍କତା ଉପରେ ଜୋର ଦେଇଛି ପ୍ରଶାସନ ।

ବିଶ୍ୱବିଖ୍ୟାତ ସୂର୍ଯ୍ୟମନ୍ଦିର । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । ପ୍ରତିଦିନ ଏହି ପ ର୍ଯ୍ୟଟନ ସ୍ଥଳୀକୁ ଦେଖିବାକୁ ଦେଶବିଦେଶରୁ ଆସିଥାନ୍ତି ହଜାର ହଜାର ପର୍ଯ୍ୟଟକ । ଆଉ ଯେତେବେଳେ କରୋନା ଭୂତାଣୁ ସାରା ବିଶ୍ୱକୁ ଗ୍ରାସ କରିଛି ସେତେବେଳେ କୋଣାର୍କରେ ବି ଜାରି ହୋଇଛି କରୋନା କଟକଣା । ପର୍ଯ୍ୟଟକଙ୍କୁ କୋଣାର୍କ ମନା । କରୋନା ପାଇଁ କୋଣାର୍କ ପରିଦର୍ଶନ ଉପରେ ୭ଦିନ ପର୍ଯ୍ୟନ୍ତ ଲାଗିଛି କଟକଣା । ଭାରତୀୟ ପ୍ରତ୍ନତତ୍ୱ ବିଭାଗକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତି ନିଷ୍ପତି ପର୍ଯ୍ୟନ୍ତ କୋଣାର୍କ ଯାଇପାରିବେନି ପର୍ଯ୍ୟଟକ ।

ଭୁବନେଶ୍ୱରର ଧଉଳୀ ଶାନ୍ତିସ୍ତୁପ । ଅଧିକାଂଶ ବିଦେଶୀ ପର୍ଯ୍ୟଟକ ଏହି ସ୍ଥାନକୁ ଆସୁଥିବାରୁ ବର୍ତମାନ ଏହା ସମ୍ବେଦନଶୀଳ ଅଂଚଳ ହୋଇଯାଇଛି । ଆଜି ମଧ୍ୟ ଅନେକ ପର୍ଯ୍ୟଟକ ଧଉଳୀ ଆସି ଫେରିଯାଇଛନ୍ତି । କାରଣ ମାର୍ଚ୍ଚ ୩୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଧଉଳି ଶାନ୍ତିସ୍ତୁପକୁ ବନ୍ଦ ଘୋଷଣା କରାଯାଇଛି । ଇତିହାସରେ ପ୍ରଥମଥର ପାଇଁ କୌଣସି ଭୂତାଣୁ ଜନିତ ଭୟକୁ ନେଇ ଏପରି ବନ୍ଦ ନିଷ୍ପତି ନିଆଯାଇଛି ।

ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବାହାରେ ସାନିଟାଇଜର ରଖାଯିବାକୁ ନିଷ୍ପତି ହୋଇଛି । ମନ୍ଦିରରେ ମାଇକ ମାଧ୍ୟମରେ କରୋନା ସତର୍କତା ନେଇ ଘୋଷଣା କରାଯାଉଛି । ପୋଷ୍ଟର ମାଧ୍ୟମରେ ସଚେତନତା କରାଯାଉଛି । କରୋନାକୁ ନେଇ ଜିଲ୍ଲା ପ୍ରଶାସନ ଯେତିକି ସଜାଗ ହୋଇଛି, ପର୍ଯ୍ୟଟକମାନେ ମଧ୍ୟ ସେତିକି ସଚେତନ ଅଛନ୍ତି ।

ଗଂଜାମର ପ୍ରସିଦ୍ଧ ତାରାତାରିଣୀ ଯାତ୍ରା ଉପରେ ଲାଗିଲା କରୋନା କଟକଣା । ପ୍ରସିଦ୍ଧ ଦଣ୍ଡନାଚ ଉପରେ ରୋକ ଲଗାଇଛି ପ୍ରଶାସନ । ତାରାତାରିଣୀ ଯାତ୍ରାରେ ଶିଶୁଙ୍କ ମୁଣ୍ଡନକୁ ବନ୍ଦ କରାଯାଇଛି । ରାଜ୍ୟ ଓ ଜିଲ୍ଲା ବାହାରୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ନ ଆସିବା ପାଇଁ କୁହାଯାଇଛି । ତାରାତାରିଣୀ ଚୈତ୍ର ଯାତ୍ରାରେ ସ୍ଥାନୀୟ ଲୋକେ ହିଁ ମାଆଙ୍କ ପୂଜା କରିପାରିବେ ଏବଂ ମାଆଙ୍କ ଯାତ୍ରା ସମୟରେ ହେଉଥିବା ନାଚ ଗୀତକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସେପଟେ କାକଟପୁର ମଙ୍ଗଳାଙ୍କ ମନ୍ଦିରରେ ଚୈତ୍ର ମଙ୍ଗଳବାର ପର୍ବ ଆରମ୍ଭ ହୋଇଯାଇଛି । ୫ ପାଳି ବିଶିଷ୍ଟ ଏହି ପ୍ରସିଦ୍ଧ ଝାମୁଯାତ୍ରାରେ ଦ୍ୱିତୀୟ ପାଳି ଯାତ୍ରା ହେବାକୁ ଯାଉଛି । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଏଠାରେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ ମଧ୍ୟରେ କରୋନା କଟକଣା ପାଇଁ ବିିଚାରବିମର୍ଶ ଚାଲିଛି ।