ସଙ୍ଗରୋଧ କେନ୍ଦ୍ରରେ ରହିଛି ସଂକ୍ରମଣ ଆଶଙ୍କା । ଆଗକୁ ଓଡିଶାରେ ବଢିପାରେ ସଂକ୍ରମଣ ସଂଖ୍ୟା । ବିଶିଷ୍ଟ ଚିକିତ୍ସକ ଡ. ଅଶୋକ ମହାପାତ୍ରଙ୍କ ସୂଚନା । କହିଲେ, ମହିଳାଙ୍କ ଅପେକ୍ଷା କାହିଁକି ପୁରୁଷଙ୍କ ଠାରେ ସଂକ୍ରମଣ ଅଧିକ ।

683

କନକ ବ୍ୟୁରୋ : ପ୍ରତିଦିନ ରାଜ୍ୟକୁ ପ୍ରବାସୀ ଓଡିଆ ଫେରୁଛନ୍ତି । ଆଗରୁ ବସ ଯୋଗେ ଆସୁଥିଲେ ଏବେ ଟ୍ରେନ ଏବଂ ନିଜେ ନିଜେ ଗାଡି କରି ଶ୍ରମିକମାନେ ଘରୁ ଫେରୁଛନ୍ତି । ହଜାର ହଜାର ସଂଖ୍ୟକ ପ୍ରବାସୀ ଓଡିଆ ଫେରୁଥିବାରୁ ଏହି ସଂଖ୍ୟା ଆଗକୁ ଆହୁରି ବଢିବ ବୋଲି ଆଶଙ୍କା କରିଛନ୍ତି ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର । ଫେରୁଥିବା ପ୍ରବାସୀ ସରକାରୀ ନିୟମ ନମାନିଲେ ସଂକ୍ରମଣ ମାତ୍ରା ବହୁତ ବେଶୀ ବଢିଯିବ । ସଂଗରୋଧ କେନ୍ଦ୍ରରେ ସାମାଜିକ ଦୂରତା ରକ୍ଷା ନକଲେ ସ୍ଥିତି ବିଗିଡି ଯିବାର ସମ୍ଭାବନା ବହୁତ ବେଶି ରହିଛି ।

ତେଣୁ ବାହାରୁ ଆସୁଧିବା ଲୋକଙ୍କ ଠାରୁ ଦୂରେଇ ରହିଲେ ସଂକ୍ରମଣ ଠାରୁ ଦୂରେଇ ରହିହେବ । ଏହାସହ ମହିଳାଙ୍କ ଠାରୁ ପୁରୁଷ ସଂକ୍ରମିତ ହେବାର କାରଣ କହି ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ପୁରୁଷମାନେ ଅଧିକ ବାହାରେ ବୁଲାବୁଲି କରିଥାନ୍ତି । ତେଣୁ ସେମାନେ ଅଧିକ ସଂକ୍ରମିତ ହେଉଛନ୍ତି । କେବଳ ଓଡିଶା ନୁହେଁ ପୂର୍ବ ଭାରତରେ ଥିବା ବିହାର, ଛତିଶଗଡ, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିପାରେ । କାରଣ ଏହି ରାଜ୍ୟ ଗୁଡିକରେ ଅଧିକାଂଶ ପ୍ରବାସୀ ଶ୍ରମିକ ରାଜ୍ୟ ବାହାରେ କାମ କରୁଛନ୍ତି । ସେମାନେ ଏବେ ନିଜ ନିଜ ଘରକୁ ଫେରିଛନ୍ତି । ତେଣୁ ଆକ୍ରାନ୍ତ ସଂଖ୍ୟା ବଢିବାର ଆଶଙ୍କା ରହିଛି ।