ଚୀନକୁ ଟପିଗଲା ଭାରତ । ଭାରତରେ କାୟା ବିସ୍ତାର କରି ଚାଲିଛି କରୋନା । ମୋଟ୍ ୮୪ ହଜାର ଆକ୍ରାନ୍ତ ସହ ଭୂତାଣୁ ସଂକ୍ରମଣରେ ବିଶ୍ୱରେ ୧୧ ତମ ସ୍ଥାନରେ ଭାରତ । 

177

କନକ ବ୍ୟୁରୋ : ଭାରତରେ ତାଲାବନ୍ଦ ଓ ବ୍ୟାପକ କଟକଣା ସତ୍ୱେ ବି ଭାରତରେ କୋରନା ଆକ୍ରାନ୍ତ ସଂଖ୍ୟା ଚୀନକୁ ଟପି ଯାଇଛି । ଶେଷ ଖବର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୮୪ ହଜାର ୭୧୨ରେ ପହଞ୍ଚିଛି । ଚୀନରେ ଆକ୍ରାନ୍ତ  ସଂଖ୍ୟା ରହିଛି ୮୨ ହଜାର ୯୩୩ । ଗତ ୨୪ ଘଂଟାରେ ଭାରତରେ ୧୦୦ ଜଣଙ୍କ ମୃତ୍ୟୁ ହେବା ସହିତ ୩ ହଜାର ୯୬୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ଆଧାର କରି ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଚୀନକୁ  ଅତିକ୍ରମ କରିଯାଇଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।

ପିଟିଆଇ ସୂତ୍ରରୁ ପ୍ରକାଶିତ ଖବର ଅନୁସାରେ ସାରା ଦେଶରେ କାଶ୍ମୀରରୁ କନ୍ୟାକୁମାରୀ, କର୍ଣ୍ଣାଟକରୁ ବିହାର ଯାଏଁ ଏବେ ଅଧିକରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାରୁ ଆକ୍ରାନ୍ତ ସଂଖ୍ୟା ୮୫ ହଜାର ନିକଟତର ହେବ  । ଚୀନରେ ସରକାରୀ ଭାବେ କରୋନା ଆକ୍ରାନ୍ତ ସଂଖ୍ୟା ୮୨ ହଜାର ୯୩୩ ଓ ମୃତ୍ୟୁ ସଂଖ୍ୟା ୪ ହଜାର ୬୩୩ କୁହାଯାଇଛି । ଏଥିରୁ ୭୮ ହଜାର ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । କରୋନା ଭୂତାଣୁ ବର୍ତମାନ ସାରା ବିଶ୍ୱରେ ୩ ଲକ୍ଷ ଲୋକଙ୍କ ଜୀବନ ନେଇସାରିଲାଣି । ୪୫ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ଏହି ତାଲିକାରେ ଶୀର୍ଷରେ ରହିଛି ଆମେରିକା । କେବଳ ଆମେରିକାରେ ଚିହ୍ନଟ ହେଲେଣି ୧୪ ଲକ୍ଷ ଆକ୍ରାନ୍ତ । ଋଷ, ଇଂଲଣ୍ଡ, ସ୍ପେନ, ଇଟାଲି, ବ୍ରାଜିଲ୍ ରେ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ ରହିଛନ୍ତି ।

ଫ୍ରାନ୍ସ, ଜର୍ମାନୀ, ତୁର୍କୀ ଏବଂ ଇରାନରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି । ଏପରି ସ୍ଥିତିରେ ୮୫ ହଜାର ଆକ୍ରାନ୍ତ ସଂଖ୍ୟା ସହିତ ଭାରତ ବିଶ୍ୱରେ ୧୧ ତମ ସ୍ଥାନକୁ ଆସିଛି । ଭାରତରେ ବର୍ତମାନ ୫୧ ହଜାର ଆକ୍ଟିଭ୍ କରୋନା କେସ୍ ରହିଛି । ପ୍ରାୟ ୨୮ ହଜାର ଲୋକ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି । ଭାରତରେ କରୋନା ସୁସ୍ଥତା ହାର ୩୪ ପ୍ରତିଶତ ରହିଛି ।