୧୧ ଦିନରେ ରାଜ୍ୟରେ ଦ୍ୱିଗୁଣିତ ହେଲେ କରୋନା ରୋଗୀ : ୨୦୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମିତଙ୍କ ମଧ୍ୟରେ ୧୫୪ ଜଣ ପୁରୁଷ, ୫୧ ଜଣ ମହିଳା ।

1,817

କନକ ବ୍ୟୁରୋ : କରୋନା କାୟାରେ ଓଡ଼ିଶା । ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣ । ପଶ୍ଚିମବଙ୍ଗ ଫେରନ୍ତାଙ୍କ ସୁରଟ ଫେରନ୍ତା ଚିନ୍ତା ବଢ଼ାଉଛନ୍ତି । ସଂକ୍ରମିତଙ୍କ ତାଲିକା ବଢ଼ିବାରେ ଲାଗିଛି । ଗତ ୧୧ ଦିନରେ ରାଜ୍ୟରେ ଦ୍ୱିଗୁଣିତ ହୋଇଛି କରୋନା ରୋଗୀ । ତାଲାବନ୍ଦ ଥିବା ସତ୍ୱେ ବଢ଼ିଚାଲିଛି ସଂକ୍ରମଣ ।  ମାତ୍ର ଏକ ସପ୍ତାହ ମଧ୍ୟରେ ୬୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ସବୁଠାରୁ ଅଧିକ ଚିନ୍ତାର ବିଷୟ ହେଲା, ମାତ୍ର ଚାରି ଦିନ ଭିତରେ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୨୧ ଜଣ କରୋନା ରୋଗୀ ।

ଗତ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟର ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ସଂଖ୍ୟା ବୃଦ୍ଧି ପାଇ ୧୦୦ରେ ପହଞ୍ଚିବାକୁ ପାଖାପାଖି ୪୦ ଦିନ ଲାଗିଥିଲା । ଗତ ଏପ୍ରିଲ୍ ୧୫ ତାରିଖରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୦୦ରେ ପହଞ୍ଚିଥିଲା । ଏହାପରେ ପ୍ରାୟ ୧୧ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ ଦୁଇ ଶହ ଅତିକ୍ରମ କରିଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି । ସଂକ୍ରମିତଙ୍କ ମଧ୍ୟରେ ୧୫୪ ଜଣ ପୁରୁଷ ୫୧ ଜଣ ମହିଳା ରହିଛନ୍ତି । ୧୫ରୁ ୪୦ ବର୍ଷ ବୟସ ମଧ୍ୟରେ ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧ ରୁ ୬୦ ବର୍ଷ ବୟସ ମଧ୍ୟରେ ୬୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପଟେ ୦ରୁ ୧୪ ବର୍ଷ ମଧ୍ୟରେ ରାଜ୍ୟରେ ୧୩ ଜଣ କରୋନା ରୋଗୀ ଅଛନ୍ତି ।

ସେପଟେ ଆଜି ମୟୂରଭଞ୍ଜ ଜିଲ୍ଲାକୁ ପ୍ରଥମ ଥର ପାଇଁ ଡେଇଁଛି କରୋନା । ମୟୂରଭଞ୍ଜରେ ଆଜି ପ୍ରଥମ ଥର ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଚିହ୍ନଟ ସୁରତ ଫେରନ୍ତା ଓ ସେମାନେ ସଂଗରୋଧ ଗୃହରେ ଥିଲେ ବୋଲି ମୟୂରଭଞ୍ଜ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ମୟୂରଭଞ୍ଜକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟର ୧୮ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି ।

ଅନ୍ୟପଟେ ଆଜି ଗୋଟିଏ ଦିନରେ ସର୍ବାଧିକ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ୧୭ ଜଣ ହୋଇଥିବାବେଳେ ମୟୂରଭଞ୍ଜରୁ ୩ଜଣ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଶହ ଟପି ଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଁଚିଛି । ଗଞ୍ଜାମରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଳ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୨୧ରେ ପହଁଚିଛି । ଗଞ୍ଜାମରେ ସୋମବାର ୨ଜଣ, ମଙ୍ଗଳବାର ଜଣେ ଓ ବୁଧବାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଉ ସମସ୍ତ ୪ ଜଣ ସୁରତ ଫେରନ୍ତା ବୋଲି ସୂଚନା ଦେଇଥିଲେ ।

ମାତ୍ର ତିନି ଦିନ ତଳେ ଗଞ୍ଜାମରେ ଜଣେ ହେଲେ କରୋନା ଆକ୍ରାନ୍ତ ନଥିବାବେଳେ ଏବେ ଏହି ସଂଖ୍ୟା ୨୧ରେ ପହଁଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୦୫ରେ ପହଁଚିଛି । ସଂକ୍ରମିତଙ୍କ ମଧ୍ୟରେ ୧୫୪ ଜଣ ପୁରୁଷ ୫୧ ଜଣ ମହିଳା ରହିଛନ୍ତି । ଗତ ୧୧ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ ଦୁଇ ଶହ ଅତିକ୍ରମ କରିଛି । ୧୫ ମାର୍ଚ୍ଚରେ ରାଜ୍ୟର ପ୍ରଥମ କରୋନା ପଜିିଟିଭ୍ ଚିହ୍ନଟ ହୋଇଥିଲେ । ଅନ୍ୟପଟେ ରାଜ୍ୟରେ କରୋନା ନମୁନା ପରୀକ୍ଷା ସଂଖ୍ୟା ୫୦ ହଜାର ଟପି ଯାଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟରେ ୫୦ ହଜାର ୫୧୪ ନମୁନା ପରୀକ୍ଷା କରାଯାଇଛି । ଗତକାଲି ୩ ହଜାର ୬୦ ପରୀକ୍ଷା ହୋଇଛି ।