କନକ ବ୍ୟୁରୋ : ଲୋକଙ୍କ ଦୁର୍ଦ୍ଦଶା ବେଳେ ବି ଛାଡ଼ୁନାହାନ୍ତି। ଦାଦନଙ୍କ ଖାଦ୍ୟ, ଭତ୍ତା, ପିଡିଏସ୍ ରାସନ୍, ରିଲିଫ୍, ସଂଗରୋଧ କେନ୍ଦ୍ର ସାମଗ୍ରୀ, ସଂଗରୋଧୀଙ୍କ ଖାଦ୍ୟ ଏମିତିକି ମାସ୍କ୍ ପର୍ଯ୍ୟନ୍ତ ବି ଚରି ଯାଉଛନ୍ତି କିଛି ସରକାରୀ ଓ ସରକାରୀକଳ ସହ ସଂପୃକ୍ତ ବେସରକାରୀ ବାବୁ। ସରକାର ଲୋକଙ୍କୁ ସଂକଟରୁ ରକ୍ଷା କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ସେଥିରୁ ସିଂହଭାଗକୁ ବାଟରେ ହଡ଼ପ କରିବା ଲାଗି ଲୋକେ ଜଗି ବସିଛନ୍ତି। ସବୁଆଡ଼େ ଦୁର୍ନୀତି ଜଳଜଳ ହୋଇ ଦିଶିଲାଣି। ବଲାଙ୍ଗୀର ଭଳି ଦାଦନ ପ୍ରବଣ ଜିଲ୍ଲାରେ ଦାଦନଙ୍କ ଚାଉଳ ବାଟମାରଣା ହେଉଥିବା ସଂପର୍କରେ ଅନୁସନ୍ଧାନ କରୁ କରୁ ଆହୁରି ସାଂଘାତିକ ତଥ୍ୟ ସାମନାକୁ ଆସିଲାଣି । ଲକ୍ଡାଉନ୍ ବେଳେ ଜିଲ୍ଲାର ଗରିବ, ପୁଷ୍ଟିହୀନ ଅଙ୍ଗନବାଡ଼ି ଶିଶୁଙ୍କ ଖାଦ୍ୟ ବି ଚଳୁ ହୋଇଗଲାଣି। ଆଇସିଡିଏସ୍ରେ ବ୍ୟାପକ ହରିଲୁଟ ହେଲାଣି। କାଗଜପତ୍ରରେ ଏପଟ ସେପଟ କରାଯାଇ ପିଲାଙ୍କ ରାସନ ବାଟମାରଣା କରାଗଲାଣି।
ସରକାରୀ ତଥ୍ୟ ଅନୁସାରେ, ଜିଲ୍ଲାର ଶିଶୁ, ପ୍ରସୂତି ଓ ଗର୍ଭବତୀଙ୍କୁ ଖାଦ୍ୟ ଯୋଗାଇବାକୁ ବଲାଙ୍ଗୀର ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଏପ୍ରିଲ, ମଇ, ଜୁନ ୩ ମାସର ଅଗ୍ରୀମ ଟଙ୍କା ବାବଦକୁ ୫ କୋଟି ୫୫ ଲକ୍ଷ ୬୯ ହଜାର ୫୧୦ ଟଙ୍କା ଆକାଉଣ୍ଟ ଗୁଡ଼ିକରେ ଦିଆଯାଇଛି। ଗୋଟିଏ ଗୋଟିଏ ଅଙ୍ଗନବାଡ଼ି ପ୍ରାୟ ୩୦ରୁ ୪୦ ହଜାର ଲେଖାଏଁ ଟଙ୍କା ପାଇଛନ୍ତି। ସେଥିରେ ସେମାନେ ଛୁଆଙ୍କୁ ରନ୍ଧାଖାଦ୍ୟ ବଦଳରେ ଘରେ ନେଇ ଶୁଖିଲା ଖାଦ୍ୟ ପହଞ୍ଚାଇବେ। ହେଲେ ଗ୍ରାଉଣ୍ଡ ଜିରୋରେ ଏହାର କାର୍ଯ୍ୟକାରିତା ଫେଲ। ଜିଲ୍ଲାରେ ବର୍ତ୍ତମାନ ୨୬୬୦ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ୨୬୧୧ ଜଣ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତ ଅଛନ୍ତି। କିନ୍ତୁ ସବୁସ୍ଥାନରେ ସରକାରଙ୍କ ପ୍ରୟାସ କାର୍ଯ୍ୟକାରୀ ହୋଇନି।
ଅନେକ ସ୍ଥାନରେ ପାରମ୍ପରିକ ଛତୁଆ, ଅଣ୍ଡା ଦେଇ ରନ୍ଧାଖାଦ୍ୟ ବଦଳରେ ଦିଆଯିବାକୁ ଥିବା ରାସନ ସାମଗ୍ରୀ ଦିଆଯାଉନାହିଁ। ଲକ୍ଡାଉନ୍କୁ ଇତି ମଧ୍ୟରେ ୪୫ ଦିନ ବିତିଲାଣି। ଜିଲ୍ଲାର ପୁଷ୍ଟିହୀନ ଶିଶୁ ଖାଇବାକୁ ନପାଇ ଅପପୁଷ୍ଟିର ଶିକାର ହେବାରେ ଲାଗିଛନ୍ତି। ସେପଟେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଏବେ ବହୁ ବାବୁ ବାବୁଆଣୀଙ୍କ ପକେଟ୍ ଗରମ କରୁଛି। ଜିଲ୍ଲାର ଉପାନ୍ତ ଅଂଚଳର ଗରିବ ଲୋକେ ଅଙ୍ଗନବାଡ଼ିରୁ କଣ ସହାୟତା ପାଇବା କଥା ତାହା ଜାଣି ପାରୁନଥିବାରୁ ଏଥିଲାଗି ଆପତ୍ତି ଅଭିଯୋଗ ବି କରୁ ନାହାନ୍ତି ।
Comments are closed.