ମହାମାରୀ ଭଳି ବ୍ୟାପୁଛି କରୋନା ଭାଇରସ : ଲଣ୍ଡନ ସ୍କୁଲ ଅଫ ହାଇଜିନ ଆଣ୍ଡ ଟ୍ରପିକାଲ ମେଡିସିନର ଚାଞ୍ଚଲ୍ୟକର ତଥ୍ୟ, କିଛି ସପ୍ତାହରେ ୫ ଲକ୍ଷ ଛୁଇଁପାରେ କରୋନା ଆକ୍ରାନ୍ତ ସଂଖ୍ୟା

583

କନକ ବ୍ୟୁରୋ : କରୋନା ଭୂତାଣୁକୁ ନେଇ ଚୀନରେ ସ୍ଥିତି ସାଂଘାତିକ । ମହାମାରୀ ଭଳି ବ୍ୟାପୁଛି କରୋନା । କିଛି ସପ୍ତାହରେ କରୋନା ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ଛୁଇଁପାରେ । ଏଭଳି ଚାଂଚଲ୍ୟକର ତଥ୍ୟ ଦେଇଛି ଲଣ୍ଡନ ସ୍କୁଲ ଅଫ ହାଇଜିନ ଆଣ୍ଡ ଟ୍ରପିକାଲ ମେଡିସିନ । ଏଭଳି ତଥ୍ୟ ସାରା ବିଶ୍ୱକୁ ଚିନ୍ତାରେ ପକାଇଦେଇଛି । କରୋନା କିଭଳି ବ୍ୟାପୁଛି ସେ ନେଇ ଗବେଷଣା କରିବା ସମୟରେ ଏଭଳି ତଥ୍ୟ ସାମାନକୁ ଆସିଛି । ଫେବ୍ରୁଆରୀ ଶେଷ ପର୍ଯ୍ୟନ୍ତ ଉହାନର ୫ ଲକ୍ଷ ଲୋକଙ୍କ ପାଖରେ ଏହି ଭୂତାଣୁର ସଂକ୍ରମଣ ହୋଇପାରେ ବୋଲି ଗବେଷଣାରୁ ଜଣାପଡିଛି ।

ସେପଟେ ସରକାରୀ ଭାବେ ଚୀନରେ ମୃତ୍ୟୁ ସଂଖ୍ୟା ଟପିଲାଣି ୯୦୦ । ଆକ୍ରାନ୍ତ ସଂଖ୍ୟା ୪୦ ହଜାର । ହେଲେ ଚୀନର କରୋନାକୁ ନେଇ ବିଦେଶରେ ଉଡୁଛି ମୃତ୍ୟୁକୁ ନେଇ ନୂଆ ତଥ୍ୟ । ଯାହାକି ସମସ୍ତଙ୍କ ହୋସ୍ ଉଡାଇ ଦେବ । ଏହି ତଥ୍ୟକୁ ରଖୁଛନ୍ତି ନିଜେ ଜଣେ ଚୀନ ନାଗରିକ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଗୁଓ ୱେଙ୍ଗୁଇ । ଚୀନର ଏହି କୋଟିପତି ବ୍ୟବସାୟୀ ଆମେରିକାରେ ଆଶ୍ରୟ ନେଇଛନ୍ତି । ସେଠାରୁ ଥାଇ ସେ କରୋନାକୁ ନେଇ ବିଦେଶୀ ଗଣମାଧ୍ୟମରେ ଚୀନର ପୋଲ୍ ଖୋଲିଛନ୍ତି । ସେ ଦେଇଥିବା ତଥ୍ୟ ଅନୁସାରେ ବର୍ତମାନ ସୁଦ୍ଧା କରୋନାରେ ଚୀନରେ ମୃତ୍ୟୁ ସଂଖ୍ୟା ପ୍ରାୟ ୫୦ ହଜାର ରହିଛି । ଆକ୍ରାନ୍ତ ସଂଖ୍ୟା ଦେଢ ଲକ୍ଷ ।ହେଲେ ସତ ଲୁଚାଉଛନ୍ତି ଚୀନ ସରକାର ବୋଲି ସେ ଅଭିଯୋଗ ଆଣିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ  ସେ ଏପରି ତାଜୁବ କଲା ପରି ରିପୋର୍ଟ ପାଇଲେ କେଉଁଠାରୁ । ଏନେଇ ବି ବିଦେଶୀ ଗଣମାଧ୍ୟମରେ ଭରସାଯୋଗ୍ୟ ତଥ୍ୟ ରଖିଛନ୍ତି ।

ସୂଚନା ଅନୁସାରେ ଚୀନର ଉହାନ ସହରରେ ରହିଛି ୪୯ଟି ଶବାଗାର । ଯେଉଁଠି ଗତ ୧୭ ଦିନ ଧରି ଏଠାରେ କର୍ମଚାରୀ ଦିନ ରାତି ୨୪ ଘଂଟା ଧରି ଶବ ପୋଡି ଚାଲିଛନ୍ତି । ସେହି ଠାରୁ ମିଳିଥିବା ତଥ୍ୟ ଅନୁସାରେ ଦୈନିକ ୧୨ ଶହ ଶବ ପୋଡାଯାଉଛି । ଏହା ହେଉଛି କେବଳ ଗୋଟିଏ ସହରର ତଥ୍ୟ । ଏହି ଅନୁସାରେ ବର୍ତମାନ ସୁଦ୍ଧା କରୋନାରେ ମୃତ୍ୟୁ ସଂଖ୍ୟା ୫୦ ହଜାର ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହିତ ଉହାନ ସହରର ଏପରି ସ୍ଥିତି ଦେଖି ସେ ଦୁଃଖିତ ବୋଲି ମଧ୍ୟ କହିଛନ୍ତି । ତେବେ ଆମେରିକାରେ ଆଶ୍ରୟ ନେଇଥିବା ଏହି ଚୀନ୍ କୋଟିପତି ବ୍ୟବସାୟୀଙ୍କ ରିପୋର୍ଟ ଯଦି ସତ ହୁଏ, ତେବେ କଣ ସାରା ବିଶ୍ୱକୁ କରୋନାର ଭୟବହତା ଲୁଚାଉଛି ଚୀନ । ଏହି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।