କରୋନା ମୁକାବିଲାକୁ ନେଇ ଆସିଲା ନୂଆ ଗୁଜବ : ଅପପ୍ରଚାର ପରେ କେନ୍ଦୁଝର ଶନି ମନ୍ଦିରରେ ଲାଗିଲା ଭିଡ, ୨ ଟି ପୁଅ ଥିବା ଦମ୍ପତିଙ୍କ ଠାରୁ ୫ଟଙ୍କା ନେଇ ପୂଜା କଲେ ଗୋଟିଏ ପୁଅ  ଥିବା ଦମ୍ପତି

449

କନକ ବ୍ୟୁରୋ : ୭ଟି ତୁଳସୀ ପତ୍ର ଖାଇଲେ କରୋନା ହେବ ନାହିଁ, ପୁରୀ ବଡପଣ୍ଡାଙ୍କ ନାଁରେ ଏମିତି ଗୁଜବ ସୃଷ୍ଟି ହୋଇଥିଲା । ଆଉ ସେଇ ଗୁଜବ ପଛରେ ମାତିଥିଲା ସାରା ଓଡିଶା । ଆଉ ଏବେ ଠିକ୍ ସେମିତି ଏକ ଗୁଜବ ପଛରେ ମାତିଛି କେନ୍ଦୁଝର ।

କେନ୍ଦୁଝର ଶନି ମନ୍ଦିର ସାମ୍ନାରେ ଲାଗିଛି ମହିଳାଙ୍କ ଭିଡ । ପିଲାଛୁଆଙ୍କୁ ଧରି ମହିଳାମାନେ ମନ୍ଦିରରେ ପହଂଚି ପୂଜାର୍ଚ୍ଚନା କରୁଛନ୍ତି । କାରଣ ଜିଲ୍ଲାରେ ଗୁଜବ ବ୍ୟାପିଛି, ୨ଟି ପୁଅ ଥିବା ୭ଟି ଦମ୍ପତିଙ୍କ ଠାରୁ ୫ ଟଙ୍କା ଲେଖାଏଁ ନେଇ ଗୋଟିଏ ପୁଅ ଥିବା ଦମ୍ପତି ଶନିମନ୍ଦିରରେ ପୂଜା କଲେ କରୋନା ଭୂତାଣୁ ସଂକ୍ରମଣ ହେବ ନାହିଁ । ଏଭଳି ଏକ ଅଦ୍ଭୁତ ଅପପ୍ରଚାର ଜିଲ୍ଲାରେ ବ୍ୟାପିବା ପରେ ମହିଳାମାନେ ପୂଜା ସାମଗ୍ରୀ ଧରି ମନ୍ଦିରେ ଭିଡ ଜମାଇଛନ୍ତି ।

ପୂର୍ବରୁ ୭ଟି ତୁଳସୀ ପତ୍ର ଖାଇଲେ କରୋନା ଭାଇରସ ସଂକ୍ରମଣ ହେବ ନାହିଁ ବୋଲି ମିଛ ଖବର ପ୍ରଚାର ହେଇଥିଲା । ଏପରିକି ମହାପ୍ରଭୁ ଜଗନ୍ନାଥଙ୍କ ବଡପଣ୍ଡାଙ୍କୁ ସ୍ୱପ୍ନାଦେଶ ହୋଇଛି କହି ଏକ ଅପପ୍ରଚାର ପଛରେ ଧାଇଁଥିଲା ସାରା ଓଡିଶା । ହେଲେ ଜଗନ୍ନାଥଙ୍କର କେହି ବଡ ପଣ୍ଡା ନାହାନ୍ତି ବୋଲି ଜଣାପଡିବା ପରେ ଏହି ଗୁଜବ ପାଣିରେ ମିଳାଇ ଗଲା ।

ତେବେ ବଡ କଥା ହେଉଛି, କରୋନା ଭୂତାଣୁକୁ ରୋକିବା ପାଇଁ ଏଯାଏଁ କୌଣସି ଟୀକା ବାହାରି ନାହିଁ, କେବଳ ସତର୍କ ରହିଲେ ଓ ସ୍ୱଚ୍ଛତା ରକ୍ଷା କଲେ ସଂକ୍ରମଣରୁ ଦୂରେଇ ରହି ହେବ ବୋଲି ବିଶେଷଜ୍ଞ କହୁଛନ୍ତି । ତେଣୁ ଗୁଜବ ପଛରେ ନଧାଇଁ ସରକାରଙ୍କ ପକ୍ଷରୁ ଜାରି ହେଉଥିବା ବିଜ୍ଞପ୍ତିକୁ ଅନୁସରଣ କରିବା ପାଇଁ କୁହାଯାଉଛି ।