କରୋନା ଡର ସମସ୍ତଙ୍କୁ ଛାନିଆ କରିଛି। କେବଳ ସଚେତନ ହେଲେ କରୋନା ମୁକାବିଲା କରିହେବ ବୋଲି ଯେତେ କୁହାଯାଉଥିଲେ ମଧ୍ୟ କେହି କୌଣସି ଗଳାବାଟ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ଘରମାଲିକ ଭଡ଼ାଟିଆଙ୍କୁ ବିଦା କରି ଦେଉଥିବା ବେଳେ ଅଣଓଡ଼ିଆ ଶ୍ରମିକଙ୍କୁ ଠିକାଦାର ବିଦା କରିଦେଉଛି। ଫଳରେ ପାଠ ପଢ଼ିବା ପାଇଁ ମୁଣ୍ଡ ଗୁଞ୍ଜିଥିବା ଛାତ୍ର ହଠାତ୍ ଘରଛାଡ଼ି ବାର ଦୁଆର ହେଉଥିବା ବେଳେ କାମ ନ ପାଇ ଦିନ ମଜୁରିଆ ଓପାସ ରହୁଛି। ଏଭଳି ଚିତ୍ର ପଦାକୁ ଆସିବା ପରେ ପୁଲିସ କମିସନର କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି। ସରକାର କି ପୁଲିସ କେହି ଭଡ଼ାଟିଆଙ୍କୁ ଘରୁ ତଡ଼ିବା ପାଇଁ ନିର୍ଦ୍ଦେଶ ଦେଇ ନାହାନ୍ତି ବା ଅଣଓଡ଼ିଆ ଶ୍ରମିକଙ୍କୁ ବିଦା କରିବାକୁ କହିନାହାନ୍ତି। ଏଭଳି ଅଭିଯୋଗ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୂଚନା ମୁତାବକ, କରୋନା ଏବେ ସମସ୍ତଙ୍କୁ ଭୟଭୀତ କରାଇଛି। ସମସ୍ତେ ନିଜ ନିଜ ସ୍ତରରେ ସଚେତନ ହୋଇଛନ୍ତି। ପରସ୍ପର ମଧ୍ୟରେ ବ୍ୟବଧାନ ରକ୍ଷା କରିବା ପାଇଁ ସମସ୍ତେ ଲାଗି ପଡ଼ିଛନ୍ତି। ହେଲେ କେତେକ ଭୟରେ ସଚେତନତାଠାରୁ ଆଉ ଅନେକ ପାଦ ଆଗକୁ ଚାଲି ଯାଇଛନ୍ତି। ଘରେ ରହୁଥିବା ଭଡ଼ାଟିଆକୁ ଘରୁ ତଡ଼ିବା ପାଇଁ ସ୍ଥିର କରିଛନ୍ତି। ଏ ନେଇ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଥିବା ସମସ୍ତ ଘର ମାଲିକଙ୍କ ପାଇଁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି ଆଚାର୍ଯ୍ୟ ବିହାର ପରିଷଦ। ଏହି ବିଜ୍ଞପ୍ତି ମୁତାବକ, ‘କରୋନା ଭାଇରସ ନ ବ୍ୟାପିବା ପାଇଁ ଭଡ଼ାଟିଆଙ୍କୁ ଘରୁ ତଡ଼ିବାକୁ ପଡ଼ିବ। ଏ ନେଇ ପୁଲିସ କମିସନର ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ତୁରନ୍ତ ସମସ୍ତ ଘରମାଲିକ ଭଡ଼ାଟିଆଙ୍କୁ ତଡ଼ନ୍ତୁ’ ବୋଲି ନୋଟିସ୍ରେ ଲେଖାଯାଇଛି। ପରିଷଦର ନୋଟିସ୍କୁ ଆଧାର କରି ଘରମାଲିକମାନେ ସମସ୍ତ ଭଡ଼ାଟିଆଙ୍କୁ ତୁରନ୍ତ ଘର ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ କେବଳ ଆଚାର୍ଯ୍ୟ ବିହାର ପରିଷଦ ନୁହେଁ, ବରଂ ଅଧିକାଂଶ ଘରମାଲିକ ଏଭଳି ଏକ ମାନସିକତାରେ ରହିଛନ୍ତି। ‘ସାମାଜିକ ଦୂରତ୍ବ’ ଆଳରେ ଘରମାଲିକମାନେ ଭଡ଼ାଟିଆଙ୍କୁ ଅସମୟରେ ତଡ଼ି ଦେଉଥିବା ଅଭିଯୋଗ ରହିଛି। ସେହିଭଳି ଭୁବନେଶ୍ବରରେ ରାଜ୍ୟ ବାହାରୁ ଅଧିକାଂଶ ମିସ୍ତ୍ରୀ ଓ ଦିନ ମଜୁରିଆ ରହିଛନ୍ତି। ଠିକାଦାରମାନେ ସେମାନଙ୍କୁ ତଡ଼ି ଦେଉଥିବା ଅଭିଯୋଗ ହୋଇଛି। ସାଧାରଣ ଲୋକ ମଧ୍ୟ ନିର୍ମାଣ ପାଇଁ ସେମାନଙ୍କୁ କାମରେ ନେଉ ନଥିବା ଅଭିଯୋଗ ରହିଛି।
ଭଡ଼ାଟିଆ କିମ୍ବା ଅଣଓଡ଼ିଆ ଶ୍ରମିକଙ୍କଠାରୁ କରୋନା ବ୍ୟାପିବ ନାହିଁ। ବରଂ ସଚେତନ ରହିଲେ ଓ ନିର୍ଦ୍ଦେଶନାମା ପାଳନ କଲେ କରୋନା ଉପରେ କାବୁ ପାଇହେବ। କେହି ଏଭଳି ନ କରନ୍ତୁ। ଏଭଳି ଅଭିଯୋଗ ଆସିଲେ ଗମ୍ଭୀରତାର ସହ ବିଚାର କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କମିସନର ଚେତାବନୀ ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/corona.jpeg-750x420.jpg)