କର୍ତ୍ତବ୍ୟ ଆଗ, ପରିବାର ପଛ ! କରୋନା ମୁକାବିଲାର ଯୋଦ୍ଧା ନାରାୟଣ ମହାରଣା : ମାଆଙ୍କ ଶବ ସତ୍କାର ସାରି ଡ୍ୟୁଟିରେ ଯୋଗ ଦେଲେ ପୁଲିସ ଅଧିକାରୀ

Advertisment
କର୍ତ୍ତବ୍ୟ ଆଗ, ପରିବାର ପଛ ! କରୋନା ମୁକାବିଲାର ଯୋଦ୍ଧା ନାରାୟଣ ମହାରଣା : ମାଆଙ୍କ ଶବ ସତ୍କାର ସାରି ଡ୍ୟୁଟିରେ ଯୋଗ ଦେଲେ ପୁଲିସ ଅଧିକାରୀ

କନକ ବ୍ୟୁରୋ : କର୍ତ୍ତବ୍ୟ ଆଗ, ବ୍ୟକ୍ତିଗତ କାର୍ଯ୍ୟ ପଛ । ରାତିରେ ବୃଦ୍ଧା ମା’ଙ୍କର ଗାଁରେ ଦେହାନ୍ତ ହୋଇଗଲା । ଖବର ପାଇ କଟକରେ ରହୁଥିବା ପୁଲିସ ଅଫିସର ନାରାୟଣ ମହାରଣା ଜଗତସିଂହପୁର ଚାଲିଯାଇଥିଲେ । ମାଆଙ୍କ ଅନ୍ତିମ ସଂସ୍କାର ସାରି ପୁଣି ଡ୍ୟୁଟିକୁ ଫେରି ଆସିଲେ ପୋଲିସ ଅଧିକାରୀ । ଭୋର୍‌ରୁ ସତୀଚଉରା ଛକରେ ଡ୍ୟୁଟିରେ ନିୟୋଜିତ ହୋଇଥିଲେ । ଆଜି ସୁଦ୍ଧା କୌଣସି ଛୁଟି ନ ନେଇ ସେ ଡ୍ୟୁଟି କରୁଛନ୍ତି । ନାରାୟଣଙ୍କ ଏଭଳି କାର୍ଯ୍ୟ ପୁଲିସ ବିଭାଗରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

କମିସନରେଟ ପୁଲିସର ରିଜର୍ଭ ଅଫିସରେ ନିଯୁକ୍ତି ପାଇଥିବା ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଅନ୍ତର୍ଗତ ପୋଲରର ନାରାୟଣ ଦୀର୍ଘ ୩୮ ବର୍ଷ ହେବ ପୁଲିସ ବିଭାଗରେ ଚାକିରି କରିଆସୁଛନ୍ତି । ଏବେ ତାଙ୍କୁ ୫୪ ବର୍ଷ । ପରିବାର ସହିତ ସେ ଯୋବ୍ରାରେ ରୁହନ୍ତି । ଗଲା ଶୁକ୍ରବାର ରାତି ପ୍ରାୟ ୮ଟା ୩୦ ବେଳେ ଗାଁରେ ଥିବା ତାଙ୍କ ମା’ଙ୍କ ବାର୍ଦ୍ଧକ୍ୟ ଜନିତ ରୋଗରେ ଦେହାନ୍ତ ହୋଇଯାଇଥିଲା । ସେଦିନ ରାତିରେ ସେ ଗାଁରେ ପହଞ୍ଚି ସଂସ୍କାର କାର୍ଯ୍ୟ ଶେଷକରି ପୁଣି ରାତି ୩ଟା ବେଳେ କଟକ ଫେରିଆସିଥିଲେ ।

ଭୋର ପ୍ରାୟ ୫ଟାବେଳେ ସତୀଚଉରା ଛକରେ କରୋନା ପାଇଁ ଖୋଲିଥିବା ପୁଲିସର ଅସ୍ଥାୟୀ ଏଡ ପୋଷ୍ଟରେ ଡ୍ୟୁଟି କରିଥିଲେ। ଏ ସମ୍ପର୍କରେ ନାରାୟଣ କୁହନ୍ତି ଯେ ଯେହେତୁ ଲୋକଙ୍କ ସେବା କରିବା ପାଇଁ ପୁଲିସ ଚାକିରି କରିଛି, ବର୍ତ୍ତମାନ ସମୟରେ ଡ୍ୟୁଟିକୁ ପ୍ରାଥମିକତା ଦେବାକୁ ପଡ଼ିବ। ଦିନକ ପୂର୍ବରୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଅନୁରୂପ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଥିବାବେଳେ କଟକର ଜଣେ ପୁଲିସ ଅଧିକାରୀଙ୍କ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe