କର୍ତ୍ତବ୍ୟର ଆହ୍ୱାନ ଆଗରେ ଫିକା ପଡିଲା ମା’ର ମମତା : ଭିଡିି ଧରି କାନ୍ଦୁଥିବା କୁନି ଝିଅକୁ ଛାଡି ଡ୍ୟୁଟିକୁ ଯାଉଛନ୍ତି ମହିଳା କନେଷ୍ଟବଳ

404

କନକ ବ୍ୟୁରୋ : କର୍ତ୍ତବ୍ୟ ଆହ୍ୱାନ ଆଗରେ ଫିକା ପଡିଛି ମା’ର ମମତା । ଭିଡିି ଧରି କାନ୍ଦୁଥିବା କୁନି ଝିଅକୁ ଛାଡି ଡ୍ୟୁଟିକୁ ଯାଉଛନ୍ତି ମହିଳା କନେଷ୍ଟବଳ । କଟକ କଣ୍ଟାପଡା ଏପରି ଦୃଶ୍ୟ ସମସ୍ତଙ୍କୁ ଭାବପ୍ରବଣ କରିଦେବ । ଏହି ମହିଳା କରୋନା ଯୋଦ୍ଧା ଜଣକ ହେଉଛନ୍ତି କଟକ କଣ୍ଟାପଡା ବ୍ଲକ ଗୋବିନ୍ଦପୁର ଗାଁର ମହିଳା କନେଷ୍ଟବଳ । କରୋନା ଯୋଦ୍ଧାର ସେନାପତି ସାଜି ଅଜଣା ଶତ୍ରୁର ବାଟ ଓଗାଳିବାକୁ ନିତି ପ୍ରତିଦିନ କୁନି ଛୁଆକୁ ଛାଡ଼ି ଯୁଦ୍ଧ ଲଢ଼ିବାକୁ ଯାଉଛନ୍ତି । ନିଜ ପରିବାର ଓ ଆତ୍ମୀୟ ସ୍ୱଜନ କଥା ଭୁଲି ଯୁଦ୍ଧର ସେନାପତି ସାଜିଛନ୍ତି ।

ଅଦୃଶ୍ୟ ଶତ୍ରୁ ସହ ଯୁଧ୍ୟରେ ଭାରତ ପ୍ରଥମରୁ ସାରାଦେଶରେ ଲକଡାଉନ ବଳବତ୍ତର କରି ଶତ୍ରୁକୁ ପରାସ୍ତ କରି ନଥିଲେବି ଶତ୍ରୁର ଜିତାପଟ ହୋଇନାହିଁ । କାରଣ କରୋନା ଯୋଦ୍ଧାମାନେ ଅହରହ ଲଢ଼େଇ  ଜାରି ରଖିଛନ୍ତି । ଶତ୍ରୁ ସହ ସ୍ବାସ୍ଥ୍ୟ ବିଭାଗ ଆଗକୁ ଆସି ଯୁଝୁଥିବାବେଳେ ଲକଡାଉନକୁ ବଳବତ୍ତର ରଖି ଶତ୍ରୁର ସମ୍ପୂର୍ଣ୍ଣ ଅବରୋଧ କରୁଛନ୍ତି ପୋଲିସ ବିଭାଗ ।  ଆଉ ପୋଲିସ ବିଭାଗର ଏପରି ଜଣେ ଅଜେୟ ଯୋଦ୍ଧା ହେଲେ ସୁମିତ୍ରା ବେହେରା । କରୋନା ମହାମାରୀ ସହ ଲକଡାଉନ ରୂପୀ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଯାଉଥିବା ମହିଳା କନେଷ୍ଟବଳ,  ଗୋଟିଏ ପଟେ କୁନିପିଲା ପାଇଁ ମାତୃତ୍ବ ଓ ଅନ୍ୟପଟେ ଲକଡାଉନ ଯୁଦ୍ଧରେ ଖାକି ପୋଷାକର ଆହ୍ବାନ ମଧ୍ୟରେ ରୁନ୍ଧି ହୋଇଯାଉଛନ୍ତି । ତଥାପି ମାତୃତ୍ବକୁ ଭୁଲି ନିରୀହ ଶିଶୁକନ୍ୟାର ବିକଳ କାନ୍ଦଣାକୁ ଆଡେଇ ରଣକ୍ଷେତ୍ରକୁ ମାଡିଯାଉଛନ୍ତି ଏହି କରୋନା ଯୋଦ୍ଧା ।

ଯୁଦ୍ଧର ବିଗୁଲ ବାଜିବା ମାତ୍ରେ ଦଶମାସର ଶିଶୁକନ୍ୟାର ଆକୁଳ କ୍ରନ୍ଦନ କାନରେ ଶୁଭେନି । ଆଖି ଆଗରେ ଭାସିଉଠେ ଖାକି ବର୍ଦ୍ଦିକୁ ଦେଇଥିବା ବଚନ କଥା ମନେ ପଡ଼ିଯାଏ । କର୍ତ୍ତବ୍ୟ ଆଗରେ ଭୁଲିଯାଆନ୍ତି କୁନି ଝିଅ ଓ ନିଜର ସୁରକ୍ଷା । ଗୋଟିଏ ପଟେ ମହାମାରୀ ,ଆରପଟେ ମାତୃତ୍ବର ଦୁଃଖ । ତଥାପି ହାର ମାନିନି ଜଣେ ମା’, ନା ହାର ମାନିଛନ୍ତି କରୋନା ଯୋଦ୍ଧା । କରୋନା ସହ ଲଢ଼େଇ ଜାରି ରଖିବା ସହ କୁନି ପିଲାକୁ ସମ୍ଭାଳିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ।