କରୋନାକୁ ନେଇ ସବୁଠି ସନ୍ଦେହର ବାତାବରଣ : ଗାଁକୁ ଫେରି ହୀନସ୍ତା ହେଉଛନ୍ତି ଦାଦନ

Advertisment
କରୋନାକୁ ନେଇ ସବୁଠି ସନ୍ଦେହର ବାତାବରଣ : ଗାଁକୁ ଫେରି ହୀନସ୍ତା ହେଉଛନ୍ତି ଦାଦନ

http://sambad.in/

କନକ ବ୍ୟୁରୋ : କରୋନାକୁ ନେଇ ଏବେ ସବୁଠି ସନ୍ଦେହର ବାତାବରଣ । ବାହାରୁ ଯିଏ ଆସୁଛି,ଏଇ ମାରାତ୍ମକ କରୋନା ଭୂତାଣୁ ନେଇ ଆସୁଛି ବୋଲି ସନ୍ଦେହ କରାଯାଉଛି । ଫଳରେ ବାହାରୁ ଆସୁଥିବା ଲୋକଙ୍କୁ ଲୋକେ ଭିନ୍ନ ନଜରରେ ଦେଖୁଛନ୍ତି । ବିଶେଷକରି କୋରାପୁଟ ପରି ପଛୁଆ ଜିଲ୍ଲାରେ ଲୋକେ କିଛି ବୁଝିବା ଆଗରୁ ବାହାର ରାଜ୍ୟରୁ ଘରକୁ ଫେରିଥିବା ଲୋକଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବା ଆରମ୍ଭ କରି ଦେଇଛନ୍ତି । ଯାହା ଫଳରେ ଗାଁ ଗଣ୍ଡାର ସାମାଜିକ ସନ୍ତୁଳନ ବିଗିଡ଼ିବାରେ ଲାଗିଛି । ଯେଉଁ ଲୋକଙ୍କୁ ଆଗରୁ ଭାଇ, ଦାଦା କହି ଗ୍ରାମବାସୀ କୁଣ୍ଢାଇ ପକାଉଥିଲେ, ଏବେ ସେମାନଙ୍କୁ ଗାଁରେ ପଶିବାକୁ ବାରଣ କରି ଦେଉଛନ୍ତି। ଅପରପକ୍ଷରେ ବାହାରୁ ଆସିଥିବା ଆମ ନିଜ ଲୋକଙ୍କ ପ୍ରତି ଏମିତି ବ୍ୟବହାର ନ କରିବାକୁ ଜିଲ୍ଲା ପ୍ରଶାସନ ବାରଣ କରିଛି। ବରଂ ସେମାନଙ୍କୁ ଏକାନ୍ତବାସରେ ରହିବାର ସୁଯୋଗ ଦେବା ସହ ତାଙ୍କ ସହ କେହି ସିଧାସଳଖ ନ ମିଶିବାକୁ ପରାମର୍ଶ ଦେଇଛି।

କୋରାପୁଟ ଜିଲ୍ଲାର ଶହ ଶହ ଗାଁରୁ ହଜାର ହଜାର ଲୋକ ବାହାର ରାଜ୍ୟରେ ଦାଦନ ଭାବେ କାମ କରୁଥିଲେ। ଏହା ବ୍ୟତୀତ ଏଠାରୁ କିଛି ଛାତ୍ରଛାତ୍ରୀ ବିଦେଶରେ ପଢ଼ୁଥିଲା ବେଳେ କିଛି ଚାକିରି କରୁଥିଲେ। ବାହାର ରାଜ୍ୟରେ ମଧ୍ୟ ଚାକିରି କରିବା ସଂଖ୍ୟା କମ ନ ଥିଲା। କିଛି ଲୋକ ତ ବର୍ଷ ବର୍ଷ ଧରି ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡ଼ୁ ଆଦି ରାଜ୍ୟରେ କାମ କରି ଆସୁଛନ୍ତି। କରୋନା ଭୂତାଣୁ ବ୍ୟାପିବା ପରେ ଏବେ ଏହି ଲୋକ ସବୁ ଘରମୁହାଁ ହୋଇଛନ୍ତି। କିଛି ଦିନ ‌ହେଲା ଏମାନେ ଗାଁରେ ପହଞ୍ଚିଛନ୍ତି। କୁନ୍ଦୁରାରୁ କୋଟପାଡ଼, ବୋରିଗୁମ୍ମାରୁ ବୈପାରୀଗୁଡ଼ା, ନାରାୟଣପାଟଣାରୁ ନନ୍ଦପୁର; ପ୍ରାୟ ସବୁ ବ୍ଲକ୍‌ ଅଂଚଳରେ ଏମିତି ଚିତ୍ର ଦେଖିବାକୁ ମିଳିଛି। ବାହାରୁ କାମଧନ୍ଧା ଛାଡ଼ି ଜୀବନ ବିକଳରେ ଘରକୁ ପଳାଇ ଆସିଛନ୍ତି ।

ସରକାରୀ ହିସାବ ଅନୁସାରେ ୨୩୦୦ରୁ ଅଧିକ ଜଣ ଏ ଭିତରେ ଜିଲ୍ଲାକୁ ଫେରିଛନ୍ତି। ଏମାନଙ୍କ ଭିତରୁ ବିଦେଶରୁ ଆସିଥିବା ଲୋକ ମଧ୍ୟ ରହିଛନ୍ତି। ତେବେ ଏମାନେ ଗାଁକୁ ଆସିବା ପରେ ବଡ଼ ଅଜବ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କୁ ଦେଖି ଘର ଲୋକେ ସିନା ଖୁସି ହେଉଛନ୍ତି, ହେଲେ ଗାଁ ଲୋକେ ନାକ ଟେକୁଛନ୍ତି। ଏମିତି ଅବେଳରେ କାହିଁକି ଆସିଲ ବୋଲି କହି ବିରକ୍ତ ହେଉଛନ୍ତି। ଏପରିକି ଏମାନଙ୍କ ଦେହରେ କରୋନା ଭୂତାଣୁ ଥିବା କହି କିଛି ସ୍ଥାନରେ ଗାଁରେ ପୂରାଇ ଦେଉ ନାହାନ୍ତି। ଏ ନେଇ ପୁଲିସ ଓ ପ୍ରଶାସନକୁ ଖବର ଦେବା ସହ ଏମାନଙ୍କୁ ଗାଁରେ ନ ରଖିବା ପାଇଁ ଦାବି କରୁଛନ୍ତି। ଅପରପକ୍ଷରେ ପ୍ରଶାସନ ପକ୍ଷରୁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ନିଜ ଘରେ ଏକାନ୍ତବାସରେ ରହିବାକୁ ପରାମର୍ଶ ଦେଇଛି। ‌ଯାହାଙ୍କ ଦେହରେ କିଛି ଲକ୍ଷଣ ରହିଛି, ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ତଥାପି ଏହା ଗ୍ରାମବାସୀଙ୍କ ମନକୁ ପାଉନି। ସେମାନ‌େ ବାହାରୁ ଆସିଥିବା ଆଗନ୍ତୁକଙ୍କୁ ଏକ ଖରାପ ନଜରରେ ‌ଦେଖୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe