କରୋନା ଆତଙ୍କ : ପାର୍କ ବନ୍ଦ । ସିନେମା ହଲ ବନ୍ଦ . . . .ସଞ୍ଜ ନଇଁଲେ ଅବ୍ୟକ୍ତ ନୀରବତା

426

କନକ ବ୍ୟୁରୋ : ପାର୍କ ବନ୍ଦ । ସିନେମା ହଲ ବନ୍ଦ। ପ୍ରେକ୍ଷାଳୟ ବି ବନ୍ଦ। ଏହି ବନ୍ଦ ପାଇଁ ଯେମିତି ଲୋକଙ୍କ ଗୋଡ଼ରେ ବେଡ଼ି ବନ୍ଧା ହୋଇଯାଇଛି । ଇଚ୍ଛା ଥାଇ ବି କେହି ବାହାରକୁ ବାହାରୁ ନାହାନ୍ତି। କାମ ଧନ୍ଦା ସରିଲେ ସମସ୍ତେ ଛୁଟୁଛନ୍ତି ସିଧା ଘରକୁ। ନା କୁଆଡ଼େ ଯାଇ ସାଙ୍ଗମାନଙ୍କ ସହ ଖଟି କରି ହେଉଛି ନା ଏକାଠି ବସି କଥା ହେବାର ସୁଯୋଗ ଅଛି। ପୁଣି ଗୁରୁବାରଠୁ ରାଜଧାନୀର ସବୁ ହାଟ ସନ୍ଧ୍ୟା ୬ଟା ପରେ ବନ୍ଦ ହୋଇଯିବ। ନିରବତା ଆହୁରି ବଢ଼ିଯିବ। ଚାକଚକ୍ୟ ପରିବେଶ, ମନୋରଂଜନ, ଖଟି ତାମସା ସବୁ ଉପରେ ଯେମିତି କରୋନା ବେଡ଼ି ପକାଇ ଦେଇଛି।

କରୋନା ମୁକାବିଲା ପାଇଁ ବିଏମସି ଜାରି କରିଥିବା ସାଧାରଣ ନିୟମାବଳୀ (ଏସ୍‌ଓପି) ଜନସାଧାରଣଙ୍କୁ ଏମିତି ଏକ ଘଡ଼ିସନ୍ଧି ମୁହୂର୍ତରେ ଆଣି ଛିଡ଼ା କରିଦେଇଛି। ପାର୍କ ଦୁଇଟା ଯାଏ ଖୋଲା ରହୁଥିଲେ ହେଁ ଅଧିକାଂଶ ଲୋକଙ୍କର ଆଗମନ ହୁଏ ଅପରାହ୍‌ଣ ୪ଟା ପରେ। ପାର୍କରେ ଅପରାହ୍‌ଣରେ ପ୍ରବଳ ଭିଡ଼ ଜମେ। କିନ୍ତୁ ସେତେବେଳକୁ ପାର୍କ ଫାଟକ ବନ୍ଦ। ଫଳରେ ଯେଉଁମାନେ କାମର ବୋଝରୁ ନିଜକୁ ହାଲକା କରିବା ପାଇଁ ସଂଜ ବୁଡ଼ିଲେ ପାର୍କକୁ ଧାଉଁଥିଲେ ସେମାନେ ବି ଘରେ କଏଦ ହୋଇ ରହୁଛନ୍ତି। ସିନେମା ହଲ୍‌ ଓ ପ୍ରେକ୍ଷାଳୟ ବନ୍ଦ ଥିବାରୁ ଏବେ ସମସ୍ତେ ପୁଣି ଘରେ ଟିଭି ସହ ନଚେତ ମୋବାଇଲ୍‌ ସହ ବ୍ୟସ୍ତ ରହୁଛନ୍ତି। ଆଉ କେତେକ ସଂଜ ବୁଡ଼ିଲେ ଛାତ ଉପରେ ପଇଁତରା ମାରୁଛନ୍ତି। ସେ ଯାହା ହେଉ କି ନ ହେଉ ଘର ଲୋକଙ୍କ ସହ ଏକାଠି ସମୟ ବିତାଇବା ପାଇଁ କିନ୍ତୁ କରୋନା ଏକ ସୁଯୋଗ ସୃଷ୍ଟି କରିଛି।

‌କରୋନା ପ୍ରଭାବ ଯେମିତି ଭକ୍ତିରେ ବି ରୋକ ଲଗେଇ ଦେଇଛି। ମନ୍ଦିରମାନଙ୍କରେ ବି ଆଉ ପୂର୍ବ ଭଳି ଭିଡ଼ ଜମୁନାହିଁ। ରେସ୍ତୋରାଁରେ ବି ଆଉ ପୂର୍ବ ଭଳି ଖାଇବା ଜମୁ ନାହିଁ। କରୋନା ଏତେ ଭୟଭୀତ କରି ଦେଇଛି ଯେ ଲୋକେ ଛୁଟି ନେଇ ଗାଁ ମୁହାଁ ହୋଇଛନ୍ତି। ଶିକ୍ଷାର ହବ୍‌ ଭାବେ ପରିଚିତ ରାଜଧାନୀରେ ପଢ଼ୁଥିବା ଛାତ୍ରଛାତ୍ରୀ ବି ସହର ଛାଡ଼ି ‌ନିଜ ଗାଁ’କୁ ପଳେଇଛନ୍ତି। ତେଣୁ ରେସ୍ତୋରାଁରେ ଏବେ ବିକ୍ରିବଟା ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇଛି ବୋଲି ‘ନାଇସ’ ରେସ୍ତେରାଁର ସ୍ବତ୍ବ‌ାଧିକାରୀ ଲିଙ୍ଗରାଜ ସାହୁ କହିଛନ୍ତି। ଖରାର ପ୍ରକୋପ ଯୋଗୁଁ କେତେକ ଲସି ଦୋକାନ ଖୋଲିଗଲାଣି। ସଂପ୍ରତି ଲସି ଦୋକାନ ପ୍ରବଳ ଭିଡ଼ ହେବା ସମୟ ହୋଇଥିଲେ ହେଁ ଲୋକେ ଲସି ବି ଗ୍ରହଣ କରୁନାହାନ୍ତି ବୋଲି ଲସି ବ୍ୟବସାୟୀ ଲିଟୁ ଦାସ କହିଛନ୍ତି।

ରାତି ପାହିଲେ ମନ୍ତ୍ରୀ, ବିଧାୟକଙ୍କ କ୍ବାର୍ଟର ଆଗରେ ଭିଡ଼ ଜମୁଥିଲେ ହେଁ ତାହା ବି ଆଉ ଦେଖିବାକୁ ମିଳୁନାହିଁ। ଅଭିଯୋଗ ଥିଲେ ହେଁ ଅଞ୍ଚଳବାସୀ ଆଉ ନିଜ ଲୋକ ପ୍ରତିନିଧିଙ୍କୁ ଭେଟିବାକୁ ରାଜଧାନୀ ଆସୁନାହାନ୍ତି। ଅପରାହ୍‌ଣରେ ରାଜମହଲରୁ ଶିଶୁ ଭବନ ଛକ ମଧ୍ୟରେ ଡାହାଣ ପାର୍ଶ୍ବରେ ଥିବା ବୈଠକୀମାନଙ୍କରେ ଆଉ ଲୋକଙ୍କ ସମାଗମ ହେଉ ନାହିଁ। ଲୋକେ ଆପେ ସଚେତନ ହୋଇ ଘରେ ରହିବାକୁ ସୁରକ୍ଷିତ ମଣୁଛନ୍ତି। କିଛି ହେଉ କି ନ ହେଉ କିନ୍ତୁ ଯେଉଁମାନେ ନିଜ ସ୍ବାସ୍ଥ୍ୟକୁ ନେଇ ସଚେତନ ନଥିଲେ ସେ‌ମାନେ ଏବେ ସଜାଗ ହୋଇଯାଇଛନ୍ତି। ପ୍ରତିଦିନ ହାତ ସାବୁନରେ ପରିଷ୍କାର କରି ଧୋଉ ନ ଥିବା ବ୍ୟକ୍ତି ବି ଏବେ ପ୍ରତି ଘଣ୍ଟାରେ ହାତକୁ ରଗଡ଼ି ଧୋଉଛନ୍ତି। ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖୁଛନ୍ତି। ପାଣି ଗରମ କରି ଫୁଟାଇ ପିଉଛନ୍ତି। ଘରୁ ବାହାରିବା ବେଳେ ମାସ୍କ ଓ ସାନିଟାଇଜର ନେଇ ବାହାରୁ ଥିବା ଦେଖାଯାଉଛି।

କରୋନା ମୁକାବିଲା ପାଇଁ ବିଏମ୍‌ସି ପୁଣି ଷ୍ଟାଣ୍ଡାର୍ଡ ଅଫ୍‌ ପ୍ରୋସିଡ୍ୟୁୟର (ଏସ୍‌ଓପି) ଜାରି କରିଛି । ହାଟ, ଦୈନିକ ବଜାର, ହୋଟେଲ, ହସ୍ପିଟାଲ, କଲ୍ୟାଣ ମଣ୍ଡପ, କର୍ପୋରେଟ୍‌ ଅଫିସ୍‌, ରେଷ୍ଟୁରାଣ୍ଟ୍‌, ପାର୍କ ଓ ଡ୍ୟାନ୍ସ ବାର୍‌ ପାଇଁ ନିୟମାବଳୀ ଜାରି କରିଛି। ସତର୍କତା ପାଇଁ ସେମାନେ କେଉଁ କେଉଁ ପଦକ୍ଷେପ ନେବେ ତାର ବିସ୍ତୃତ ନିର୍ଦ୍ଦେଶନାମା ରହିଛି। ସେପଟେ କରୋନା ଆଶଙ୍କାରେ କ୍ୱାରାଣ୍ଟିନ୍‌ରେ ରଖିବା ପାଇଁ ୨୫ଟି ସ୍ଥାନ ଚିହ୍ନଟ କରାଯାଇଛି। ଆଗକୁ ଆହୁରି ଅଧିକ କ୍ୱାରାଣ୍ଟିନ୍‌ ସ୍ଥାନ ଚିହ୍ନଟ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଡିଏ ଅଧୀନରେ ଥିବା ସିଟି ସେଣ୍ଟର ବା ନିକୋ ପାର୍କକୁ ମଙ୍ଗଳବାର ଠାରୁ ବନ୍ଦ କରାଯିବ ବୋଲି ସୂଚନା ମିଳିଛି। ବିଏମ୍‌ସି ଦକ୍ଷିଣ-ପୂର୍ବ ଜୋନ୍‌ରେ ଏହି ୨୫ଟି କ୍ୱାରାଣ୍ଟିନ୍‌ ସ୍ଥାନ ଚିହ୍ନଟ ହୋଇଛି। ଏଥିରେ ସ୍କୁଲ, କଲେଜ ଓ ଅନ୍ୟ ସରକାରୀ ପ୍ରତିଷ୍ଠାନ ରହିଛି। ଏଠାରେ କ୍ୱାରାଣ୍ଟିନ୍‌ ବ୍ୟବସ୍ଥା ପାଇଁ ଉପଯୁକ୍ତ ସୁବିଧା ସୁଯୋଗ ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ଜୋନ୍‌ରେ ମଧ୍ୟ ଖୁବଶୀଘ୍ର ଏହି କେନ୍ଦ୍ର ଚିହ୍ନଟ କରାଯିବ ।