ତାଲାବନ୍ଦର ଫାଇଦା ଉଠାଉଛନ୍ତି ଖୁଚୁରା ପରିବା ବେପାରୀ : ଘଡ଼ି ଘଡ଼ିକେ ନିର୍ଦ୍ଧାରଣ ହେଉଛି ଦର

1,360

କନକ ବ୍ୟୁରୋ : ତାଲା ବନ୍ଦ ଯୋଗୁଁ ଖୁଚୁରା ପରିବା ବେପାରୀଙ୍କୁ ମଉକା ମିଳିଛି। ମନଇଚ୍ଛା ଦର କରୁଛନ୍ତି । ଘଡ଼ି ଘଡ଼ିକେ ଦର ନିର୍ଦ୍ଧାରଣ ହେଉଛି । କହିବାକୁ କେହି ନାହିଁ । ଯେମିତି ପାରିଲେ ସେମିତି ଖାଉଟିଙ୍କୁ ଶୋଷିଲେ । ପାଇକାରୀ ଦର ଓ ଖୁଚୁରା ଦର ମଧ୍ୟରେ ଆକାଶପାତାଳ ଫରକ୍‌ । ପାଇକାରୀ ଦର ‌କିଏ କେଉଁଠି ନିର୍ଦ୍ଧାରଣ କରୁଛି, ତାହା ଖାଉଟି ଜାଣିବା ସମ୍ଭବ ହେଉନାହିଁ ।

ମଙ୍ଗଳବାର କ୍ୟାପିଟାଲ ହାଟରୁ ପରିବା କିଣିଥିବା କିଛି ଗ୍ରାହକଙ୍କ ସୂଚନାନୁସାରେ ପରିବା ଦର ବେଶ୍ ଭଲ ରହିଛି । କେବଳ ପୋଟଳକୁ ବାଦ୍‌ ଦେଲେ ଅନ୍ୟ ସବୁ ପରିବା ହାରାହାରି ୨୦ଟଙ୍କା‌ରେ ବିକ୍ରି ହୋଇଥିଲା । କାପ୍‌ସିକମ୍ ଭଳି କିଛି ପରିବା କମ୍ ଦର(କିଲୋ ୧୦ ଟଙ୍କା)ରେ ମିଳୁଛି । ପୋଟଳ କିଲୋ ୬୦ରୁ ଅଧିକ ରହିଥିଲା । ମାତ୍ର କ୍ୟାପିଟାଲ ହାଟ ଦର ସହିତ ଭରତପୁରରେ ପରିବା ଦର ତୁଳନା କଲେ, ଖାଉଟିମାନେ କିଭଳି ଶୋଷଣର ଶିକାର ହେଉଛନ୍ତି, ତାହା ଜଳଜଳ ଦେଖାଯିବ । ଭରତପୁରରେ କୌଣସି ସବୁଜ ପରିବା କିଲୋ ୬୦ ଟଙ୍କାରୁ ତଳକୁ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସେହିଭଳି ଡୁମୁଡୁମା ଅଞ୍ଚଳରେ ମଧ୍ୟ କେଉଁଠି କେତେବେଳେ କି ଦର ରହୁଛି, ଖାଉଟିମାନେ ବୁଝିବା ସମ୍ଭବ ହେଉନାହିଁ । ମଙ୍ଗଳବାର ଡୁମୁଡୁମାରେ ସାପ୍ତାହିକ ହାଟ ପାଳିଥିବାରୁ ‌ଲୋକମାନେ ଭଲ ଦରରେ ପରିବା କିଣିଛନ୍ତି । କିନ୍ତୁ କଳିଙ୍ଗନଗର, ତମାଣ୍ଡୋ ଓ ଯାଁଳାରେ ପରିବା ଚଢ଼ା ଦରରେ ବିକ୍ରି ହୋଇଛି ।

କ୍ୟାପିଟାଲ ଓ ଖୋର୍ଦ୍ଧା ହାଟରେ ବାଇଗଣ କିଲୋ ୨୦ ଟଙ୍କା ଥିବା‌ ବେଳେ ଏହି ଅଞ୍ଚଳରେ କିଲୋ ୪୦ଟଙ୍କାରେ ବିକ୍ରି ହୋଇଛି। ଆଳୁକୁ ନେଇ ବଡ଼ ସମସ୍ୟା ଦେଖାଦେଇଛି। କୁବେରପୁରୀରେ ଆଳୁର ପାଇକାରୀ ଦର ୧୫/୧୬ ଟଙ୍କା ରହିଛି। ମାତ୍ର କିଛି ଖୁଚୁରା ବଜାରରେ କିଲୋ ୩୦ଟଙ୍କା ଛୁଇଁ ସାରିଲାଣି। ଭରତପୁରରେ ଆଜି କିଲୋ ୩୦ଟଙ୍କା ହୋଇଥିବା ଲୋକେ କହିଛନ୍ତି। ଡୁମୁଡୁମାରେ କିଲୋ ୨୮ଟଙ୍କା ‌ବୋଲି ଖାଉଟିମାନେ କହିଛନ୍ତି। କିନ୍ତୁ ଯାଁଳା, ତମାଣ୍ଡୋ ଓ ଛତାବର ଭଳି ବଜାରରେ ଆଳୁ କିଲୋ ୨୦ଟଙ୍କା ରହିଥିବା ଜଣାପଡ଼ିଛି। ସେହିଭଳି ପାଇକାରୀ ଦର ହିସାବରେ ପିଆଜ ୨୦/୨୨ ଟଙ୍କା ରହିଥିବା ବେଳେ ଖୁଚୁରା ବଜାରରେ କିଲୋ ୩୦/୩୫ ଟଙ୍କା କରି ଦେଲେଣି। ପରିବା ବଜାରରେ ଖୁଚୁରା ବେପାରୀମାନେ ଏଭଳି ଶୋଷଣ ନୀତି ଆପଣେଇଥିଲେ ବି ଯୋଗାଣ ବିଭାଗ ନିରବଦ୍ରଷ୍ଟା ସାଜିଛି। ଏଭଳି ଘଡ଼ିସନ୍ଧି ସମୟରେ ଖାଉଟିମାନଙ୍କୁ ସୁରକ୍ଷା ନ ଦେଲେ, ଗରିବ ଜନସାଧାରଣ ବଡ଼ ସମସ୍ୟାରେ ପଡ଼ିବେ ବୋଲି ଅଭିଯୋଗ ହେଉଛି।