ରାଜଧାନୀକୁ କରୋନା ମାଡ଼ : ପରିବହନ କ୍ଷତି ୫ କୋଟି, ଦିନକୁ ୨୫୦ କୋଟିର ବେପାର ଠପ୍

236

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ବର ରାଜ୍ୟର ସବୁଠାରୁ ବଡ଼ ବଜାର । ଏହି ବଜାର ଉପରେ ରାଜଧାନୀର ବାସିନ୍ଦାଙ୍କୁ ମିଶାଇ ଆଖାପାଖର ଲୋକ ଏବଂ ରାଜ୍ୟର ଅନ୍ୟ ସ୍ଥାନର ପ୍ରାୟ ୧୮ ଲକ୍ଷ ଲୋକ ନିର୍ଭର କରିଥାନ୍ତି । ଏହି ଲୋକଙ୍କୁ ରାଜଧାନୀରେ ପ୍ରାୟ ୧ ଲକ୍ଷ ବ୍ୟବସାୟୀ ବିଭିନ୍ନ ଉତ୍ପାଦ ଓ ସେବା ଯୋଗାଇ ଦେଇଥାନ୍ତି । କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ରାଜଧାନୀର ଏସବୁ ଦୋକାନ ବଜାର ବନ୍ଦ ରହିଛି । ଭୁବନେଶ୍ବରର ସମୁଦାୟ ବ୍ୟବସାୟୀଙ୍କ ମଧ୍ୟରେ ପ୍ରାୟ ୩୦ ହଜାର ଛୋଟ ବ୍ୟବସାୟୀ ଥିବା ବେଳେ ୪୦ ହଜାର ମଧ୍ୟମ ଏବଂ ବଡ଼ ବ୍ୟବସାୟୀ ରହିଛନ୍ତି । ଦୋକାନ ବଜାର ବନ୍ଦ ରହିଥିବାରୁ ଦୈନିକ ପ୍ରାୟ ୨୫୦ କୋଟି ଟଙ୍କାର ବେପାର ଠପ୍ ହୋଇଯାଇଛି ।

ଔଷଧ, ପନିପରିବା ଏବଂ ତେଜରାତି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡ଼ିକ ସୀମିତ ସମୟ ପାଇଁ ଖୋଲୁଥିବାରୁ ସେମାନେ ପ୍ରାୟ ଦୈନିକ ୫ରୁ ୧୦ କୋଟି ଟଙ୍କାର ବେପାର କରି ଯଥାକଥା ଗୁଜରାଣ ମେଣ୍ଟାଉଛନ୍ତି। କିନ୍ତୁ ଅନ୍ୟ ଛୋଟ ବ୍ୟବସାୟୀଙ୍କ ଠାରୁ ବଡ଼ ବଡ଼ ମଲ୍ ଗୁଡ଼ିକ ଏବେ ହତାଶ। ଦୈନିକ ସେମାନେ ବିପୁଳ ପରିମାଣର କ୍ଷତି ସହୁଛନ୍ତି। ମାର୍ଚ୍ଚ ୨୨ ତାରିଖରୁ ଏପ୍ରିଲ ୧୬ ତାରିଖ ପର୍ୟ୍ୟନ୍ତ ୨୩ ଦିନର ବିକ୍ରି ବନ୍ଦକୁ ହିସାବକୁ ନେଲେ ରାଜଧାନୀର ଏହି ବ୍ୟବସାୟୀମାନଙ୍କର ପାଖାପାଖି ୬୦୦୦ କୋଟି ଟଙ୍କାର ବିକ୍ରି ବନ୍ଦ ହୋଇଗଲାଣି। ବତ୍ତର୍ମାନ ସୁଦ୍ଧା ଦୁଇଟି ପର୍ୟ୍ୟାୟରେ ୪୦ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରାଯାଇଥିବାରୁ ଏହି ଦିନ ଗୁଡ଼ିକରେ ରାଜଧାନୀରେ ୧୦ ହଜାର କୋଟି ଟଙ୍କାର ବେପାର ମାଡ଼ ଖାଇଯିବ।

ରାଜଧାନୀର ଖୁଚୁରା ଦୋକାନୀମାନେ ଦୈନିକ ପ୍ରାୟ ୧୨୦ କୋଟି ଟଙ୍କାର ବେପାର କରିଥାନ୍ତି। ଏହି ବ୍ୟବସାୟୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଦୋକାନ ଗୋଟିଏ ସ୍ଥାନରେ ଥିବାବେଳେ ଘର ଆଉ ଗୋଟିଏ ସ୍ଥାନରେ ରହିଛି। ତେଣୁ ଦୋକାନରେ ଜିନିଷପଟା କିଭଳି ଅବସ୍ଥାରେ ଅଛି ତାହା ସେମାନେ ଜାଣିବା ପରିସ୍ଥିତିରେ ନାହାନ୍ତି। ଏଥିସହିତ ଦୋକାନ ବନ୍ଦ ବଢ଼ି ବଢ଼ି ଚାଲିଥିବାରୁ ସେମାନଙ୍କ କ୍ଷତି ମଧ୍ୟ ବଢ଼ିବାରେ ଲାଗିଛି। ଘର ଭଡ଼ା, ବ୍ୟାଙ୍କ ସୁଧ, କର୍ମଚାରୀଙ୍କ ଦରମା ଆଦି ଖର୍ଚ୍ଚକୁ କିଭଳି ତୁଲାଇବେ ଏବଂ ପରିବାରର ଖର୍ଚ୍ଚ ‌କିଭଳି ମେଣ୍ଟାଇବେ ତାହାକୁ ନେଇ ପ୍ରାୟ ଅଧିକାଂଶ ବ୍ୟବସାୟୀ ଏବେ ଚିନ୍ତିତ ଅଛନ୍ତି ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ  କହିଛନ୍ତି । ବ୍ୟବସାୟୀ ସ୍ବାଭାବିକ ହେବାକୁ ୨ ବର୍ଷ ପାଖାପାଖି ସମୟ ଲାଗିଯିବ ବୋଲି ସେ ମତ ଦେଇଛନ୍ତି ।

ରାଜଧାନୀର ରସୁଲଗଡ଼, ‌ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର, ଚନ୍ଦକା ଆଦି ସ୍ଥାନରେ ଶତାଧିକ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଠାରୁ ଆଉ ବୃହତ୍‌ ଶିଳ୍ପ ରହିଛନ୍ତି। ଏସବୁରେ ଏବେ ଉତ୍ପାଦନ ପ୍ରାୟତଃ ଠପ୍ ହୋଇଯାଇଛି। କାରଖାନାରେ କାମ କରୁଥିବା ଲୋକମାନେ ଗାଁକୁ ପଳାଇଛନ୍ତି। ଡ୍ରାଇଭର ନଥିବାରୁ ମାଲ ପରିବହନ ମଧ୍ୟ ହୋଇପାରୁନାହିଁ। ତେଣୁ ରାଜଧାନୀରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ମିଶାଇ ଅନ୍ୟାନ୍ୟ କଳଖାନାଗୁଡ଼ିକରେ ଦୈନିକ ପ୍ରାୟ ୭୫ କୋଟି ଟଙ୍କାର ଉତ୍ପାଦନ ଠପ୍ ହୋଇଯାଇଛି ବୋଲି ଉତ୍କଳ ଶିଳ୍ପ ଓ ବଣିକ ସଂଘର ସଭାପତି ମତ ଦେଇଛନ୍ତି।

ରାଜଧାନୀରେ ଟ୍ରକ୍‌ରେ ମାଲ୍‌ ପରିବହନ, ଟାଉନ୍ ବସ୍ ଓ ଅଟୋରେ ଯାତ୍ରୀ ଯିବାଆସିବା ବନ୍ଦ ହୋଇଯାଇଥିବାରୁ ଏ ବାବଦରେ ମାଲିକମାନେ ପ୍ରାୟ ୫ କୋଟି ଟଙ୍କାର କ୍ଷତି ସହୁଛନ୍ତି । ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକଙ୍କ କହିବାନୁଯାୟୀ ରାଜଧାନୀରେ ଛୋଟ ଏବଂ ବଡ଼ ମିଶି ପ୍ରାୟ ୧୦ ହଜାର ଟଙ୍କା ମାଲ ପରିବହନ ସେବାରେ ଲାଗିଥାନ୍ତି । ଇଟା, ବାଲି, ଗୋଡି, ସିମେଣ୍ଟ ଠାରୁ ଆରମ୍ଭ କରି ପନିପରିବା, ଡାଲି, ଆଳୁ ଆଦି ପରିବହନ କାର୍ଯ୍ୟ ଟ୍ରକ୍ ଦ୍ବାରା କରାଯାଇଥାଏ। କିନ୍ତୁ ଲକଡାଉନ୍ ଯୋଗୁଁ ସେମାନଙ୍କୁ ରାଜଧାନୀରେ ଦୈନିକ ପ୍ରାୟ ସାଢ଼େ ୩ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ୁଛି।

ସେହିଭଳି ରାଜଧାନୀରେ ଯଦିଓ ପାଖାପାଖି ୩୦ ହଜାର ଅଟୋ ପଞ୍ଜୀକୃତ ହୋଇଛନ୍ତି ସେଥିରୁ ପ୍ରାୟ ୨୦ ହଜାର ଅଟୋ ରାସ୍ତାରେ ଲୋକଙ୍କୁ ନେବାଆଣିବା କରିଥାନ୍ତି। ତେଣୁ ରାସ୍ତାରେ ଅଟୋ ନଗଡ଼ିବା ଯୋଗୁଁ ଜଣେ ଜଣେ ଅଟୋ ମାଲିକଙ୍କୁ ଅତିକମ୍‌ରେ ୫ ଶହ ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ତେଣୁ ସବୁ ଅଟୋ‌କୁ ହିସାବକୁ ନେଲେ ଏହି କ୍ଷତି ପରିମାଣର ପ୍ରାୟ କୋଟିଏ ଟଙ୍କା ହେବ ବୋଲି ଅଟୋ ମହାସଂଘ ଭୁବନେଶ୍ବରର, ଓଡ଼ିଶାର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ କହିଛନ୍ତି। ରାଜଧାନୀରେ ପରିବହନ ସେବା ଯୋଗାଉଥିବା ବସ୍‌ର କ୍ଷତିକୁ ବିଚାରକୁ ନେଲେ ମୋଟ ପରିବହନ କ୍ଷତି ୫ କୋଟି ଟଙ୍କା ପାଖାପାଖି ପହଞ୍ଚିଯିବ ବୋଲି କୁହାଯାଉଛି।

ରାସ୍ତାରେ ଗାଡ଼ି ମୋଟର ଚାଲିବା କମିଯିବା ଯୋଗୁଁ ରାଜଧାନୀରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ମଧ୍ୟ ସାଂଘାତିକ ମାତ୍ରାରେ ହ୍ରାସ ପାଇଛି। ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସୂଚନା ଅନୁଯାୟୀ ରାଜଧାନୀରେ ପ୍ରାୟ ୩୦ଟି ପେଟ୍ରୋଲ ପମ୍ପ ରହିଛି। ସେଗୁଡ଼ିକ ଦୈନିକ ଦେଢ଼ ଲକ୍ଷ ଲିଟର ପେଟ୍ରୋଲ ଏବଂ ୨ ଲକ୍ଷ ଲିଟର ଡିଜେଲ ବିକ୍ରି କରିଥାନ୍ତି। କିନ୍ତୁ ଲକଡାଉନ୍ ଯୋଗୁଁ ସେମାନେ ଦୈନିକ ୧ ଲକ୍ଷ ୨୦ ହଜାର ଲିଟର ପେଟ୍ରୋଲ ଏବଂ ୧ ଲକ୍ଷ ୪୦ ହଜାର ଲିଟର ଡିଜେଲ ବିକ୍ରି କରିବାକୁ ସକ୍ଷମ ହେଉନାହାନ୍ତି। ପାଖାପାଖି ୨ କୋଟି ଟଙ୍କାର ପେଟ୍ରୋଲ ଏବଂ ଡିଜେଲ ବିକ୍ରି ବାଧାପ୍ରାପ୍ତ ହୋଇଛି ବୋଲି ସଂଘର ସାଧାରଣ ସମ୍ପାଦକ କହିଛନ୍ତି।

ଏତଦବ୍ୟତୀତ ହୋଟେଲ, ପର୍ଯ୍ୟଟନ, ରିଅଲ ଇଷ୍ଟେଟ୍ ସମେତ ଅନ୍ୟାନ୍ୟ କ୍ଷେତ୍ରକୁ ମିଶାଇଲେ ରାଜଧାନୀ ଭୁବନେଶ୍ବରର ଲକ୍‌ଡାଉନ୍ ଜନିତ ଦୈନିକ କ୍ଷତି ୨୫୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ‌ବଜାର ବି‌ଶ୍ଳେଷକମାନେ ମତ ଦେଇଛନ୍ତି। ସମାଜର ଦୁର୍ବଳ ବର୍ଗର ବ୍ୟକ୍ତିଙ୍କ ଭଳି ସରକାର ଯଦି ଏସବୁ କ୍ଷେତ୍ରକୁ କୌଣସି ରିହାତି କିମ୍ବା ପ୍ୟାଜେକ୍ ନଦେ‌ବେ ‌ତା‌’ହେଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟବସାୟୀଙ୍କୁ ବ୍ୟବସାୟ ପୁଣି ଥରେ ଆରମ୍ଭ କରିବା କଷ୍ଟକର ହୋଇପଡ଼ିବ ବୋଲି ମତ ପ୍ରକାଶ ପାଇଛି। ନିଯୁକ୍ତି ଉପରେ ଏହାର ଗୁରୁତର ପ୍ରଭାବ ମଧ୍ୟ ପଡ଼ିବ।

Comments are closed.