ଫଳ ବଜାର ଉପରେ କରୋନା ପ୍ରଭାବ : ଦରରେ ଲଗାମ ନାହିଁ,କମଳା ଭାଉ ବଢ଼ିଲା

Advertisment
ଫଳ ବଜାର ଉପରେ କରୋନା ପ୍ରଭାବ : ଦରରେ ଲଗାମ ନାହିଁ,କମଳା ଭାଉ ବଢ଼ିଲା

କନକ ବ୍ୟୁରୋ : କରୋନାର ପ୍ରଭାବ ଫଳ ବଜାର ଉପରେ ପଡ଼ିଛି । ବିଶେଷକରି ମହାରାଷ୍ଟ୍ର ନାଗପୁରରୁ ଆସୁଥିବା କମଳା ଦର ଦୁଇଦିନରେ ୨୦ ଟଙ୍କା ବଢ଼ିଯାଇଛି । ଗତକାଲି କମଳା ଦଳ ୬୦ ଟଙ୍କା ଥିବା ବ‌େଳେ ଆଜି ଏହା ୮୦ ଛୁଇଁଛି। କରୋନା ପାଇଁ ଏବେ କିଛି ନିର୍ଦିଷ୍ଟ ପରିବା ଓ ଫଳ ଖାଇବା ପାଇଁ ପୁଷ୍ଟି ବିଜ୍ଞାନୀମାନେ ପରାମର୍ଶ ଦେଉଥିବା ବେଳେ ଏହା ମଧ୍ୟରେ କମଳା ମଧ୍ୟ ରହିଛି । ଏ ଦୃଷ୍ଟିରୁ କମଳାର ବିକ୍ରିବଟା ଅଧିକ ହେଉଛି । ଭିଟାମିନ ସି ଯୋଗୁଁ ଏହା ପାଚନ ଶକ୍ତି ବୃଦ୍ଧି କରୁଥିବାରୁ ଲୋକେ ଏହାକୁ ଖାଇବାକୁ ମଧ୍ୟ ପସନ୍ଦ କରୁଛନ୍ତି । ଏମିତି ବି ଲୋକେ ଗୃହବନ୍ଦୀ ହୋଇ ରହୁଥିବାରୁ ପାଚନ ଶକ୍ତି ବଢ଼ାଇବା ପାଇଁ କମଳା ଓ ଅନ୍ୟ ଫଳ କିଣିବା ଉପରେ ଧ୍ୟାନ ଦେଉଛନ୍ତି ।

ଗୋଟେ ପଟେ କମଳାର ବିକ୍ରିବଟା ବେଶି ହେଉଥିବା ବେଳେ ଅନ୍ୟ ପାର୍ଶ୍ବରେ ମହାରାଷ୍ଟ୍ରର ନାଗପୁରରୁ କମ୍‌ ଫଳ ଗାଡ଼ି ଆସୁଥିବାରୁ ‌ମୂଲ୍ୟ ବୃଦ୍ଧି ପାଉଛି ବୋଲି ଶିରିପୁର ଶହେ ଫୁଟିଆ ରୋଡ୍‌ରେ ପସରା ମେଲାଇଥିବା ଫଳ ବ୍ୟବସାୟୀ ବବଲୁ କହିଛନ୍ତି। ତେବେ କେବଳ କମଳା ନୁହେଁ ସେଉ, ଅଙ୍ଗୁରୁ, ନାସପାତି, ଡାଳିମ୍ବ, କଦଳୀ, ପାଚିଲା ଅମୃତଭଣ୍ଡାର ଦର ମଧ୍ୟ ବୃଦ୍ଧି ପାଇଛି। ସେଉର ଦାମ ୧୨୦ରୁ ନେଇ ୧୮୦ ଟଙ୍କା ପର୍ଯ୍ୟନ୍ତ ବିକ୍ରିବଟା ହେଉଛି। ବାସ୍ତବରେ ଭିନ୍ନ ଭିନ୍ନ ଫଳ ଦୋକାନରେ ଅଲଗା ଦର ରହୁଛି। ଆମ୍ରପଲ୍ଲୀ ଆମ୍ବର ଦର ୧୦୦ ଟଙ୍କା ରହିଥିବା ବେଳେ ଅଙ୍ଗୁରୁ ଦର ୧୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ନାଗପୁରରୁ ଆସୁଥିବା ନାସପାତି ଦର ମଧ୍ୟ ବୃଦ୍ଧି ପାଇଛି। ତେଣୁ ଫଳ ଦର ଉ‌ପରେ ଯେପରି ଲଗାମ ଲାଗିପାରିବ ତା’ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଫଳ କିଣିବାକୁ ଆସିଥିବା ଗ୍ରାହକ ରମାକାନ୍ତ ପ୍ରଧାନ କହିଛନ୍ତି। ବ୍ୟବସାୟୀ ବବଲୁଙ୍କ କହିବା ମୁତାବକ, ଏବେ ଦର ଏମିତି ରହିଥିଲେ ହେଁ, ଆଗାମୀ ଦିନରେ ଦର ଆହୁରି ବୃଦ୍ଧି ପାଇବ।

ଗୋଦାମରେ ଯାହା ଫଳ ଷ୍ଟକ୍‌ ଥିଲା ସେହି ଫଳ ଏବେ ଆସୁଛି। ଏମିତି ବି ମହାରାଷ୍ଟ୍ରରେ ସବୁଠୁ ଅଧିକ କ‌ରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ସେଠାକାର ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି। ଯଦିଓ ଫଳ ଆମଦାନୀରେ ସରକାର ରୋକ ଲଗାଇ ନାହାନ୍ତି, ମାତ୍ର ଟ୍ରକ ଚାଳକ ଓ ସହାୟକ କର୍ମଚାରୀ ବାହାରକୁ ବାହାରୁ ନାହାନ୍ତି। ତାଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି ଖାଦ୍ୟ। ଟ୍ରକ୍‌ ଡ୍ରାଇଭର ଓ ଅନ୍ୟ ସହାୟକ କର୍ମଚାରୀମାନେ ଲମ୍ବା ବାଟ ଟ୍ରକରେ ଜିନିଷ ନେଇ ଆସୁଥିବାରୁ ‌ମଧ୍ୟାହ୍ନ ଓ ରାତ୍ରି ଭୋଜନ ପାଇଁ ହୋଟେଲ ଉପରେ ନିର୍ଭର କରନ୍ତି। ମାତ୍ର ହୋଟେଲ ଓ ରେସ୍ତୋରାଁ ବନ୍ଦ ରହୁଥିବାରୁ ଅଧିକାଂଶ ଚାଳକ ଖାଇନପାରିବାର ଆଶଙ୍କା ଯୋଗୁଁ ଆସୁନାହାନ୍ତି ବୋଲି ଟ୍ରକ ଚାଳକଙ୍କଠାରୁ ସୂଚନା ମିଳିଛି।

ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, କଶ୍ମୀର ଭଳି ରାଜ୍ୟରୁ ଫଳ ଆମଦାନୀ ହୋଇଥାଏ। ମାତ୍ର ଏବେ ଅଧିକାଂଶ ଗାଡ଼ି ବାହାରୁ ଓଡ଼ିଶା ଭିତରକୁ ଆସୁନାହାନ୍ତି। ଏମିତି ବି କାହାକୁ ବାଧ୍ୟ କରାଯିବାର ନିୟମ ନାହିଁ। ତେଣୁ ଫଳ ଓ ପରିବା ମହଜୁଦ ଥାଇ ମଧ୍ୟ ସୀମିତ ପରିମାଣରେ ଗାଡ଼ି ଆସୁଥିବାରୁ ଏଭଳି ସମସ୍ୟା ଦେଖାଦେଇଛି ବୋଲି ବ୍ୟବସାୟୀମାନେ କହିଛନ୍ତି। ମାତ୍ର କିଛି ବ୍ୟବସାୟୀଙ୍କ ମତ ଯେ କିଛି ଗାଡ଼ି ଆସୁଛନ୍ତି, ହେଲେ ଆମଦାନୀ କରୁଥିବା ଗାଡ଼ିଗୁଡ଼ିକ ଏହି ସମୟରେ ଅଧିକ ଭଡ଼ା ନେଉଛନ୍ତି। ତେଣୁ ଟ୍ରାନ୍ସପୋର୍ଟ ଖର୍ଚ୍ଚ ବଢ଼ିଯାଇଥିବାରୁ ଫଳ ‌ମୂଲ୍ୟ ବୃଦ୍ଧି ହେଉଛି। ତେଣୁ ଫଳ ଓ ପରିବା ଯୋଗାଉଥିବା ଟ୍ରକ ଓ ଏହିଭଳି ଅନ୍ୟ ପରିବହନକାରୀ ଗାଡ଼ି ଯେମିତି ଅଧିକ ପରିମାଣରେ ଆସିପାରିବ ତା’ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକତା ରହିଛି ବୋଲି ବ୍ୟବସାୟୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe