କନକ ବ୍ୟୁରୋ : ମହାମାରୀ କରୋନା ସମଗ୍ର ବିଶ୍ବର ଚିତ୍ରକୁ ବଦଳାଇ ଦେଲା। ଏହି ସଙ୍କଟ ମଧ୍ୟରେ କିଛି ଭଲ କଥା ବି ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ କରୋନା ଧର୍ମର ପାଚେରିକୁ ଭାଙ୍ଗି ଦେଇଛି। ଏଠାରେ ଥିବା ଏକ ମସ୍ଜିଦ୍ ଏବଂ ମଦ୍ରାସା ହଷ୍ଟେଲ୍କୁ କ୍ବାରେଣ୍ଟିନ୍ ସେଣ୍ଟର କରାଯାଇଛି । ଅନ୍ୟ ଏକ ଘଟଣାରେ ପଶ୍ଚିମବଙ୍ଗର ଦୁଇ ଜଣ ପ୍ରବାସୀ ମୁସ୍ଲିମ୍ଙ୍କୁ ଓଡ଼ିଶାରେ ଏକ ମନ୍ଦିରରେ ରହିବା ପାଇଁ ଅନୁମତି ଦିଆଯାଇଛି । ଏହି ଦୁଇ ଘଟଣା ଉଭୟ ରାଜ୍ୟରେ ହିନ୍ଦୁ ମୁସ୍ଲିମ୍ ସମ୍ପ୍ରଦାୟ ମଧ୍ୟରେ ଥିବା ଭାଇଚାରାକୁ ପ୍ରମାଣିତ କରିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଖବରରୁ ଜଣାପଡ଼ିଛି, ନଦିଆ ଜିଲ୍ଲାର କାଳୀଗଞ୍ଜ ବ୍ଲକ ଅଧୀନସ୍ଥ ଭାଗା ଗ୍ରାମରେ ଅଧିକାଂଶ ଅଧିବାସୀ ମୁସ୍ଲିମ୍। ତେଣୁ ଏଠାରେ ମସ୍ଜିଦ୍ଟିଏ ଅଛି। ମୁସ୍ଲିମ ପିଲାସଂଖ୍ୟା ଦୃଷ୍ଟିରୁ ଏଠାରେ ଦାରୁଲ ଅମୂଲ ମଦ୍ରାସା ସ୍କୁଲ୍ ମଧ୍ୟ ଅଛି। ମଦ୍ରାସାର ହଷ୍ଟେଲ ଏବଂ ମସ୍ଜିଦ୍କୁ କ୍ବାରେଣ୍ଟିନ୍ ସେଣ୍ଟର କରାଯାଇଛି। ବିଭିନ୍ନ ଅଞ୍ଚଳ ତଥା ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କୁ ଏହି କ୍ବାରେଣ୍ଟିନ୍ ସେଣ୍ଟରରେ ରଖାଯାଉଛି। ସେମାନଙ୍କ ଭଲମନ୍ଦ କଥା ମଧ୍ୟ ମୁସ୍ଲିମ୍ ଭାଇମାନେ ବୁଝୁଛନ୍ତି।
ସ୍ଥାନୀୟ ସରପଞ୍ଚ କହନ୍ତି, ଏହି ମହାମାରୀ ସଙ୍କଟ ମଧ୍ୟରେ ଭାଇଚାରାର ସନ୍ଦେଶ ଦେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଏଠାକୁ ଆସୁଥିବା ଲୋକମାନଙ୍କୁ ଜାତି, ଧର୍ମ ସମ୍ପର୍କରେ କୌଣସି ପ୍ରଶ୍ନ କରା ନଯାଇ ଏହି କ୍ବାରେଣ୍ଟିନ୍ ସେଣ୍ଟରରେ ରଖାଯାଉଛି। ଅନ୍ୟଏକ ଘଟଣା ଓଡ଼ିଶାର। ସେଠାକାର ହିନ୍ଦୁ ସମୁଦାୟ ଏ ରାଜ୍ୟର ଦୁଇଜଣ ମୁସ୍ଲିମ୍ ଶ୍ରମିକଙ୍କୁ ମନ୍ଦିରରେ ରଖି ଉଦାହରଣ ସୃଷ୍ଟି କରିଛନ୍ତି। ପୂର୍ବ ମେଦିନୀପୁରର ଶେଖ୍ ମହସିନ୍ ଅଲ୍ଲୀ ଏବଂ ଅନିସୁର ଆଲମ ନାମକ ଦୁଇଜଣ ଶ୍ରମିକ ଯାଜପୁର ଜିଲ୍ଲାର ବ୍ରାହ୍ମଣୀକୁଡ଼ା ଗ୍ରାମରେ କାମ କରୁଥିଲେ।
ଲକ୍ଡାଉନ୍ ଯୋଗୁଁ କାମ ବନ୍ଦ ହୋଇଗଲା। ଯେନତେନ ପ୍ରକାରେ କିଛିଦିନ ସେମାନେ ଖୋଲା ଆକାଶ ତଳେ ଦିନ କାଟିଲେ। ଘରକୁ ଫେରିବାର ସୁବିଧା ନାହିଁ। ସେମାନଙ୍କ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ଗ୍ରାମବାସୀ ସାହାଯ୍ୟର ହାତ ବଢ଼ାଇଲେ। ଗାଁରେ ଥିବା ମନ୍ଦିରର ଏକ କୋଠରିରେ ରହିବାକୁ ଅନୁମତି ଦେଲେ। ହେଲେ ମନ୍ଦିର ପରିସରରେ ରହୁଥିବା ଆମିଷ ନ ରାନ୍ଧିବା, ନ ଖାଇବା ପାଇଁ କୁହାଗଲା। ଦୁହେଁ ଏହି ନିୟମ ମାନି ପ୍ରାୟ ମାସେ ସେଠାରେ ଅଟକି ରହିଲେ। ତା’ପରେ ଦୁହେଁ ଏକ ସାଇକଲ ଯୋଗେ ମେ ୧୭ ତାରିଖରେ ନିଜ ଘରକୁ ଫେରିଲେ।