ପୁରୀରୁ ଆସିଲା କରୋନା ମୃତ୍ୟୁ ଖବର । ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି  । ସେପଟେ ରାଜ୍ୟରେ ଆଉ ୧୭୯ ନୂଆ କରୋନା ପଜିଟିଭ୍ ଚିହ୍ନଟ

1,751

କନକ ବ୍ୟୁରୋ : ରାଜ୍ୟରେ କରୋନା ଜନିତ ଆଉ ଏକ ମୃତ୍ୟୁ । ପୁରୀରୁ ଆସିଛି କରୋନା ମୃତ୍ୟୁ ଖବର । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୬୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ଦୀର୍ଘ ଦିନ ଧରି ଶ୍ୱାସକ୍ରିୟା ଜନିତ ରୋଗରେ ପୀଡିତ ଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ହୋଇଛି । ଏହା ସହିତ ରାଜ୍ୟର ଚତୁର୍ଥ ଜିଲ୍ଲା ଭାରେ କରୋନା ମୃତ୍ୟୁସଂଖ୍ୟାରେ ପୁରୀ ଜିଲ୍ଲା ସାମିଲ ହୋଇଛି । ଆଗରୁ ଖୋର୍ଦ୍ଧା, ଗଂଜାମ ଏବଂ କଟକରୁ କରୋନା ଜନିତ ମୃତ୍ୟୁ ହୋଇଥିଲା ।

ସେପଟେ ରାଜ୍ୟରେ ଆଉ ୧୭୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୫୦ ଏବଂ ସ୍ଥାନୀୟ ଅଂଚଳରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୭୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ ରହିଛି ସର୍ବାଧିକ ୫୭ ଆକ୍ରାନ୍ତ ଅଛନ୍ତି । ସେହିପରି ଖୋର୍ଦ୍ଧାରୁ ୨୭, କେନ୍ଦୁଝରରୁ ୧୮, ମୟୂରଭଂଜରୁ ୧୦ ଜଣ , କଟକରୁ ଚିହ୍ନଟ ହୋଇଛନ୍ତି ୧୫ ଜଣ ଆକ୍ରାନ୍ତ । ଅନୁଗୁଳରୁ ୬, ଭଦ୍ରକ, ରାୟଗଡା ଓ କେନ୍ଦ୍ରାପଡାରୁ ୫, ମାଲକାନଗିରି ଓ ବରଗଡରୁ ୨ ଜଣ ଆକ୍ରାନ୍ତ ଏବଂ ନବରଙ୍ଗପୁର ଦେବଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩ ଜଣ ଆକ୍ରାନ୍ତ ।

ପଶ୍ଚିମବଙ୍ଗରୁ ଅମ୍ଫାନ ଡ୍ୟୁଟିରୁ ଫେରିଥିବା ଏନଡିଆରଏଫ, ଅଗ୍ନିଶମ ଓ ଓଡ୍ରାଫ ବାହିନୀର ୧୮ ଜଣ ଜବାନଙ୍କ ଠାରେ ଚିହ୍ନଟ ହୋଇଛନ୍ତି କରୋନା ସଂକ୍ରମଣ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୪ ହଜାର ୮୫୬କୁ ବୃଦ୍ଧି ହୋଇଛି । ତେବେ କେବଳ ଜୁନ୍ ମାସରେ ରାଜ୍ୟରେ ୨୯ ଶହ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କ ଜୀବନ ଗଲାଣି ।