କନକ ବ୍ୟୁରୋ : ସହରର କର୍ପୋରେଟ ତଥା ବଡ଼ ହସ୍ପିଟାଲ ଓ ମେଡିକାଲ କଲେଜରେ କରୋନା କର୍ଣ୍ଣର ରହିବ। ହସ୍ପିଟାଲ ପରିସରରେ ଆଇସୋଲେଟେଡ ରିସେପସନ, ଚାମ୍ବର ଏବଂ କରୋନା ସନ୍ଦିଗ୍ଧଙ୍କ ପାଇଁ ସ୍ବତନ୍ତ୍ର ଆଇସିୟୁ ଖୋଲାଯିବ। କରୋନା ମୁକାବିଲା ପାଇଁ ଘରୋଇ ହସ୍ପିଟାଲମାନେ ଏସବୁକୁ ଆପଣାଇବା ପାଇଁ ସମ୍ମତି ଜଣାଇଛନ୍ତି। ଗତକାଲି ନୂଆପଲ୍ଲୀସ୍ଥିତ ରାଜ୍ୟ ସ୍ବାସ୍ଥ୍ୟ ବ୍ୟୁରୋ ପରିସରରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ଏକ‌ ବୈଠକରେ ଏପରି ନିଷ୍ପତ୍ତି ହୋଇଛି। ସହରର କର୍ପୋରେଟ ହସ୍ପିଟାଲ୍‌, ପ୍ରାଇଭେଟ ମେଡିକାଲ କଲେଜ ଏବଂ ଅଲ୍‌ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମର ସଦସ୍ୟମାନେ ଉପସ୍ଥିତ ରହି କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ସମସ୍ତ ନିର୍ଦେଶନାମା ପାଳନ କରିବେ ବୋଲି କହିଛନ୍ତି।

Advertisment

କରୋନାକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ଏବଂ ଅଧିକ ବ୍ୟାପିବାକୁ ଦିଆଯିବ ନାହିଁ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ମେଡିକାଲକୁ ଆସୁଥିବା ଏବଂ କରୋନାର ଲକ୍ଷଣ ଦେଖା‌ ଦେଉଥିବା ରୋଗୀମାନେ ଯେପରି ଲୋକଙ୍କ ଭିଡ଼କୁ ନଯିବେ, ଦୂରତା ବଜାୟ ରଖିବେ ସେ ସମ୍ପର୍କରେ ସାବଧାନ ରହିବାକୁ କୁହାଯାଇଥିଲା। ଏଥିସହ ବଡ଼ ହସ୍ପିଟାଲ୍‌ରେ ବହୁ ସଂଖ୍ୟାରେ ରୋଗୀମାନେ ସମବେତ ହେଉଥିବାରୁ ଏବଂ ପ୍ରତୀକ୍ଷା କକ୍ଷରେ ବସି ରହୁଥିବାରୁ ସେମାନେ କିଭଳି ପରସ୍ପରଠାରୁ ଦୂରେଇ ବସିବେ ଏ ସମ୍ପର୍କରେ ମେଡିକାଲ କର୍ମଚାରୀମାନେ କିପରି ନଜର ରଖିବେ ସେ ଦିଗରେ ଗୁରୁତ୍ବ ଦେବାକୁ କୁହାଯାଇଥିଲା।

ଫ୍ଲୁ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଧାରିତ ହୋମ ଆଇସୋଲେସନ ବ୍ୟବସ୍ଥା ଆପଣାଇବାକୁ କୁହାଯାଇଥିଲା। ଏଥିସହ ନୈଦାନିକ ପ୍ରତିଷ୍ଠାନ ମଧ୍ୟ ଯଦି ସେପରି କୌଣସି ଶ୍ବାସ ସମ୍ବନ୍ଧୀୟ ରୋଗୀଙ୍କ ସମ୍ପର୍କରେ ଜାଣୁଛନ୍ତି ଏବଂ ସେମାନେ ‌ବିଦେଶ ଫେରନ୍ତା ବୋଲି ଜାଣୁଛନ୍ତି ସେମାନେ ତୁରନ୍ତ ନିୟମ ମୁତାବକ, ଅନଲାଇନରେ ସେମାନଙ୍କର ପଞ୍ଜୀକରଣ କରି‌ବାକୁ କୁହାଯାଇଛି। ଯଦି କେହି ବିଦେଶୀ ବ୍ୟକ୍ତି ଆସୁଛନ୍ତି ତେବେ ସେମାନଙ୍କର ମଧ୍ୟ ତୁରନ୍ତ ପଞ୍ଜୀକରଣ କରିବେ। ଯଦି କେହି ଜାଣି ମଧ୍ୟ ପଞ୍ଜୀକରଣ ନକରିବ ‌ତେବେ ତାହା ଅପରାଧ ବୋଲି ବିବେଚନା କରାଯିବ। ତେଣୁ ନୈଦାନିକ ପ୍ରତିଷ୍ଠାନ ତୁରନ୍ତ ୧୦୪ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେବାକୁ ନିର୍ଦେଶ ଦିଆଯାଇଥିଲା ବୋଲି ଅଲ୍‌ ଓଡ଼ିଶା ପ୍ରାଇଭେଟ ମେଡିକାଲ ଫୋରମର ସଭାପତି ଡାକ୍ତର ଅଜୟ କୁମାର ମିଶ୍ର ଓ ସମ୍ପାଦକ ଡାକ୍ତର ଇନ୍ଦ୍ରମଣି ଜେନା ସୂଚନା ଦେଇଛନ୍ତି। କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ଏ ସମସ୍ତ ଦିଗ ପ୍ରତି ଘରୋଇ ହସ୍ପିଟାଲ ଓ ନୈଦାନିକ ପ୍ରତିଷ୍ଠାନ ସମୂହ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ସଭାପତି ଡାକ୍ତର ମିଶ୍ର କହିଛନ୍ତି।