ବିପଦ ବଳୟରେ କୋରାପୁଟ ସର୍କଲ ଜେଲ । ସାଂଘାତିକ ହେଉଛି କରୋନା ସଂକ୍ରମଣ । ଅନଶନରେ ବିଚାରାଧୀନ ବନ୍ଦୀ

87

କନକ ବ୍ୟୁରୋ : ଆଉ ନିୟନ୍ତ୍ରଣରେ ନାହିଁ କରୋନା ସଂକ୍ରମଣ । ବରଂ, ଦିନକୁ ଦିନ କୋରାପୁଟ ସର୍କଲ ଜେଲରେ ମାଡି ଚାଲିଛି ଏହି ଭୁତାଣୁ। ଲଗାତାର ତୃତୀୟ ଦିନ ପାଇଁ ଏଠାରୁ ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ଏ ଭିତରେ ୩୨ ଜଣ ଅନ୍ତେବାସୀ କରୋନା କବଳରେ ପଡିଥିବା ସରକାରୀ ଭାବେ କୁହାଯାଇଛି। ଏହା ସହିତ ୧୦ରୁ ଅଧିକ ୱାର୍ଡର ଓ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଗତକାଲି ଏଠାରେ ଜଣେ ଅନ୍ତେବାସୀ କରୋନା ସଂକ୍ରମିତ ଥାଇ ମୃତ୍ୟୁମୁଖରେ ପଡିଥିଲାବେଳେ ଏବେ ବି ଅନେକ କୋଭିଡ ଲକ୍ଷଣ ଯୁକ୍ତ ଅନ୍ତେବାସୀ ଜେଲରେ ରହିଛନ୍ତି। ଫଳରେ ଆଗକୁ କୋରାପୁଟ ଜେଲରେ ସ୍ଥିତି ସାଂଘାତିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅପରପକ୍ଷରେ ତୁରନ୍ତ ବିଚାର କରିବା ଦାବି ନେଇ ବିଚାରାଧୀନ ବନ୍ଦୀମାନେ ଦୁଇ ଦିନ ହେଲା ଅନଶନ କରୁଛନ୍ତି।

କୋରାପୁଟ ସର୍କଲ ଜେଲରେ ଏବେ ୬୬୭ ଜଣ ଅନ୍ତେବାସୀ ରହିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ମାମଲାରେ ଜଡିତ ଥିବା ଲୋକଙ୍କୁ ଏଠାରେ ରଖାଯାଇଛି। ସେହିପରି ଦୋଷୀ ସାବ୍ୟସ୍ତ ଲୋକମାନେ ମଧ୍ୟ ଏଠାରେ ରହିଛନ୍ତି। କ୍ଷମତା ଅପେକ୍ଷା ଅଧିକ କଏଦୀ ରହିଥିଲାବେଳେ ୩ ଦିନ ହେଲା ନିୟମିତ ଏଠାରୁ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଏଠାରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ଗତକାଲି ଅଗଷ୍ଟ ୧୭ ତାରିଖରେ ୧୫ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ୧୬ ତାରିଖରେ ଆଉ ୧୪ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା।

ସେହିପରି ୧୫ ତାରିଖରେ ଜେଲ କଲୋନୀରୁ ୪ ଜଣ କରୋନା ସଂକ୍ରମଣର ଶୀକାର ହୋଇଥିଲେ। ଏହା ପୂବର୍ରୁ ମଧ୍ୟ ଜେଲ କର୍ମଚାରୀମାନେ କରୋନା ସଂକ୍ରମିତ ହୋଇଥିଲେ। ଏମିତି ଏ ଭିତରେ କୋରାପୁଟ ସର୍କଲ ଜେଲରୁ ୩୨ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିଲାବେଳେ ୧୦ ରୁ ଅଧିକ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାତ ହେଲା, ଜେଲରେ ଏବେ ଅନ୍ତେବାସୀଙ୍କ କାଶ, ଜ୍ବର, ଥଣ୍ଡା ଆଦି ଲାଗି ରହୁଛି। ମେଘୁଆ ପାଗ ଓ ବର୍ଷା କାରଣରୁ ଏମିତି ଥଣ୍ଡା ହୋଇଥିବ ବୋଲି ଅନୁମାନ କରି ଏହି ମାମଲାଗୁଡିକୁ ଚାପି ଦିଆଯାଉଛି। ପୁଣି ଜେଲ ଭିତରେ ଅଳ୍ପ ଜାଗାରେ ଅଧିକ ଅନ୍ତେବାସୀ ରହୁଥିବାରୁ ଦୃତ ଗତିରେ ବଢି ଚାଲିଛି ସଂକ୍ରମଣ। ଏପରିକି କୋଭିଡ ସଂକ୍ରମିତ ଥାିଇ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ମଧ୍ୟ ହେଲାଣି। ଏଥିନେଇ ପ୍ରଶାସନ ଓ ଜେଲ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନ ଥିଲେ ମଧ୍ୟ ପିପିଇ କିଟ ପିନ୍ଧି କୋଭିଡ ଗାଇଡଲାଇନ ଅନୁସାରେ, ଶବ ସତ୍କାର କରାଯାଇଥିଲା।

ଫଳରେ ଏହା କୋଭିଡ ଜନିତ ମୃତ୍ୟୁ ବୋଲି ସୁନିଶ୍ଚିତ ହୋଇଛି। ଏପଟେ ମୃତ ଅନ୍ତେବାସୀଙ୍କର ଆଗରୁ କରୋନା ଲକ୍ଷଣ ରହିଥିବା ଜଣାପଡିଛି। ତେବେ ତାଙ୍କୁ ଡାକ୍ତରଖାନା ନେବାରେ ବିଳମ୍ବ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଉଠିଛି। ଏପଟେ ଜେଲ ଭିତରେ ହିଁ କରୋନା ସଂକ୍ରମିତଙ୍କୁ ରଖି ଚିକିତ୍ସା କରାଯାଉଛି। କେବଳ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନିଆଯାଉଛି। ଏହାକୁ ନେଇ ଜେଲ ଅନ୍ତେବାସୀଙ୍କ ଭିତରେ ଅସନ୍ତୋଷ ବଢୁଛି। ଏହି କଠିନ ସମୟରେ ଜେଲରେ ନିୟମିତ ଡାକ୍ତର ନ ଥିବାରୁ ଏହା ସ୍ଥିତିକୁ ଅଧିକ ଜଟିଳ କରୁଛି।

ଜେଲ ଭିତର ସ୍ଥିତି ଏମିତି ଧୀରେ ଧୀରେ ବିଗିଡି ଯାଉଥିଲାବେଳେ ଭିତରେ ଉଠିଛି ବିଦ୍ରୋହର ସ୍ବର। ତୁରନ୍ତ ବିଚାର କରାଯିବା ଦାବିରେ ୨ ଦିନ ହେଲା ବିଚାରାଧୀନ ବନ୍ଦୀମାନେ ଅନଶନ ଚଳାଇଛନ୍ତି। ନ ଖାଇ ସେମାନେ ସେମାନଙ୍କ ଦାବି ପୂରଣ ନେଇ ପାଟିତୁଣ୍ତ କରୁଛନ୍ତି। ସେମାେନେ ଅଭିଯୋଗ କରିଛନ୍ତି ଯେ, କୋର୍ଟ ବନ୍ଦ ଥିବାରୁ ସେମାନଙ୍କ ବିଚାର ହୋଇ ପାରୁନି। ଜାମିନ ଆବେଦନର ମଧ୍ୟ ଶୁଣାଣି ହୋଇ ପାରୁନି। ଏପଟେ ଏଠାରେ ଭୟଙ୍କର ପରିବେଶରେ ସେମାନେ ରହିବାକୁ ବାଧ୍ୟ ହେଉଛନ୍ତି। ତେଣୁ ତୁରନ୍ତ ସେମାନଙ୍କୁ ଜାମିନ ପ୍ରଦାନ ନେଇ ଅଡି ବସିଥିଲେ।
ଜେଲ କର୍ତ୍ତୃପକ୍ଷ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଫଳରେ ଆଜି ଅପରାହ୍ନରେ କିଛି ବିଚାରାଧୀନ ବନ୍ଦୀଙ୍କୁ ଏଠାରେ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଛି। ଆଜି ୨୦ ଜଣଙ୍କୁ ଅନ୍ୟ ଜେଲକୁ ପଠାଇ ଦିଆଯାଇଥିଲାବେଳେ ଆସନ୍ତାକାଲି ଆଉ ୧୦ ଜଣଙ୍କୁ ଅନ୍ୟ ଜେଲକୁ ପଠାଇବାର ଯୋଜନା ରହିଛି। ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯିବା ପରେ ଅନଶନ ସାମାନ୍ୟ ଥମିଛି। ଆଜି ଅପରାହ୍ନରେ ଅନ୍ତେବାସୀମାନେ ଖାଦ୍ୟ ଗ୍ରହଣ କରିଥିବା କହିଛନ୍ତି ଜେଲ କର୍ତ୍ତୃପକ୍ଷ। ଏଥିନେଇ ଜେଲର ଗଗନ ବିହାରୀ ସାହୁ କହିଛନ୍ତି ଯେ, କରୋନା ସଂକ୍ରମିତ ଅନ୍ତେବାସୀଙ୍କୁ ଜେଲ ଭିତରେ ରଖି ଚିକିତ୍ସା କରାଯାଉଛି। ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ପଠାଯାଉଛି। ଏପଟେ କିଛି ବିଚାରଧୀନ ବନ୍ଦୀ କରିଥିବା ଅନଶନ ଭାଙ୍ଗିଛନ୍ତି। ଆଜି ସମସ୍ତେ ଖାଦ୍ୟ ଖାଇଥିବା ସେ ପ୍ରକାଶ କରିଛନ୍ତି।