ଜୁଲାଇ ମାସରେ କରୋନା ସ୍ଥିତି ଗମ୍ଭୀର । ମାସ ଶେଷ ସୁଦ୍ଧା ୨୫ ହଜାର ଛୁଇଁପାରେ ଆକ୍ରାନ୍ତଙ୍କ ସଂଖ୍ୟା । ସରକାରୀ ମଡେଲ କରୁଛି ଆକଳନ

227

କନକ ବ୍ୟୁରୋ : ଚଳିତମାସ ରାଜ୍ୟରେ କରୋନା ସଂକ୍ରମଣ ୨୫ହଜାର ଛୁଇଁପାରେ। ସରକାରଙ୍କ କରୋନା ନେଇ ଚାଲିଥିବା ଗାଣିତିକ ବା ମାଥମେଟିକାଲ ମଡେଲ ଏଭଳି ସୂଚନା ଦେଉଛି । ମାତ୍ର କେତେ ସଂଖ୍ୟକ ମୃତ୍ୟୁ ହେବ ତାହା ଏହି ମଡେଲରେ ସ୍ପଷ୍ଟ ହୋଇନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମଡେଲ ସଂପର୍କରେ ଘୋଷଣା ହୋଇ ନ ଥିଲେ ହେଁ ବିଶ୍ବସ୍ତ ସୂତ୍ରରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ରାଜ୍ୟ ସରକାର ଓ ଆଇଆଇଟି ମିଳିତ ଭାବେ ଏହି ମଡେଲ ପ୍ରସ୍ତୁତ କରିଛନ୍ତି। ଏଥିରେ ରାଜ୍ୟରେ କେତେ ସଂକ୍ରମଣ ବଢ଼ିବ ତାହାର ହିସାବ ନିକାଶ ଚାଲିଛି। ଏହି ତଥ୍ୟକୁ ଅନୁଶୀଳନ କରି ରାଜ୍ୟ ସରକାର କରୋନା ସ୍ଥିତି ସଂପର୍କରେ ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ମଡେଲ ପାଇଁ ଏବେ ରାଜ୍ୟବ୍ୟାପୀ ତଥ୍ୟ ସଂଗ୍ରହ ଚାଲିଛି। ଏଥିରେ ସଂକ୍ରମଣ ଅଧିକ ଥିବା ଜିଲ୍ଲାଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ନିକଟରେ ଏହି ମଡେଲ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା।

ତେବେ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ସଂକ୍ରମଣ ଶୀର୍ଷରେ ପହଞ୍ଚିବା ପରେ ହିଁ ତାହା କେବେ ଖସିବ ତାହା କହିହେବ। ଏବେ ରାଜ୍ୟରେ କରୋନା ସଂଖ୍ୟା ଶୀର୍ଷରେ ପହଞ୍ଚିଛି କି ନାହିଁ ତାହା ଏବେଠାରୁ ନିର୍ଦ୍ଦିଷ୍ଟ ଭାବେ କହିହେବ ନାହିଁ। କରୋନାରେ ନିର୍ଦ୍ଦିଷ୍ଟ ଭାବେ କିଛି ଅନୁମାନ କରିବା ମୁର୍ଖାମୀ। ବିଶ୍ବରେ ବିଭିନ୍ନ ଦେଶରେ ହେଉଥିବା ଗାଣିତିକ ମଡେଲ ସବୁ ଦେଶ କିମ୍ବା ରାଜ୍ୟରେ ସମାନ ହେବା ସମ୍ଭବ ନୁହେଁ। ଭିନ୍ନ ଭିନ୍ନ ଦେଶରେ କରୋନାର ଭିନ୍ନ ଭିନ୍ନ ଇନ୍‌ସିଡେନ୍‌ସ ଓ ମୃତ୍ୟୁହାର ରହିଛି, ତାହାକୁ ଓଡ଼ିଶା ସହିତ ତୁଳନା କରି‌ହେବ ନାହିଁ। କରୋନାର ନିର୍ଦ୍ଦିଷ୍ଟ ଭାବେ ଏକ ସ୍ଥିର ସୂଚକ ମିଳିଲେ ହିଁ, ପୂରା ଅନୁମାନ ଲଗାଇବା ସମ୍ଭବ ହୋଇପାରିବ।