କରୋନା ମୁକାବିଲା ପାଇଁ ଦୁର୍ଗମ ଅଞ୍ଚଳରେ ଡାକ୍ତର : ମାଇଲ୍ ମାଇଲ୍ ବାଟ ଚାଲି ଗ୍ରାମାଞ୍ଚଳର ଲୋକଙ୍କୁ ସଚେତନ କରାଉଛନ୍ତି ଡାକ୍ତର ପ୍ରତାପ କୁମାର

187

କନକ ବ୍ୟୁରୋ : କରୋନାକୁ ନେଇ ସମସ୍ତେ ଆତଙ୍କିତ ଥିବା ବେଳେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ସଂକ୍ରମଣ ରୋକିବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି । ସହରରେ ତ ଚାରିଚକିଆ ଯାନରେ ବସି ସେମାନେ ଲୋକଙ୍କ ନିକଟରେ ପହଞ୍ଚି ପାରୁଛନ୍ତି । କିନ୍ତୁ ଗ୍ରାମାଞ୍ଚଳ ଓ ଅଗମ୍ୟ ପାହାଡ଼ିଆ ଅଞ୍ଚଳରେ ସେମାନଙ୍କୁ ପାଦ‌ରେ ମାଇଲ ମାଇଲ୍‌ ବାଟ ଚାଲିଚାଲି ଲୋକଙ୍କ ନିକଟରେ ପହଞ୍ଚିବା ଦେଖିବାକୁ ମିଳୁଛି ।

ସୋମବାର ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ୍‌ ଅର୍ନ୍ତଗତ ପାହାଡ଼ିଆ ଜଙ୍ଗଲ ରଥିପଡ଼ାରେ ଜଣେ ଡାକ୍ତର ଏକୁଟିଆ ଚାଲି ଚାଲି ଯାଇ ଲୋକଙ୍କୁ ସଚେତନ କରାଇବା ସହ ବାହାରୁ ଆସି ରହିଥିବା ଶ୍ରମିକଶ୍ରେଣୀର ଲୋକଙ୍କୁ କ୍ବାରାଣ୍ଟିନ୍‌(ସଙ୍ଗରୋଧ)ରେ ରହିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା । ସେ ହେଉଛନ୍ତି ଠେମରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆର୍‌ବିଏସ୍‌କେ ଡାକ୍ତର ପ୍ରତାପ କୁମାର ନାୟକ। ଡା. ନାୟକ ଏକୁଟିଆ ଚାଲିଚାଲି ଏହି ଅଞ୍ଚଳରେ ଥିବା ବିଭିନ୍ନ ପାହାଡ଼ିଆ ଗ୍ରାମରେ ଲୋକଙ୍କ ପାଖରେ ପହଞ୍ଚିବା ସହ ସେମାନଙ୍କୁ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସଚେତନ କରାଉଛନ୍ତି ।

ଅନେକ ସମୟରେ ଆଶା ଓ ଅଙ୍ଗନୱାଡି ଦିଦିଙ୍କୁ ମଧ୍ୟ ସାଙ୍ଗରେ ନେଇ ଡା.ନାୟକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। କେବଳ ଯେ ଏହି କରୋନା ସ୍ଥିତି ନୁହେଁ ବରଂ ସାଧାରଣ ସମୟରେ ବି ଯେଉଁ ଅଞ୍ଚଳକୁ ପ୍ରଶାସନିକ ଅଧିକାରୀ ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ଯିବାକୁ କୁଣ୍ଠା‌ବୋଧ କରନ୍ତି ସେହି ଅଞ୍ଚଳରେ ଏବେ ଡା.ନାୟକ ଆଶା ଭରସା ପାଲଟିଛନ୍ତି।