କନକ ବ୍ୟୁରୋ : ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ । ପୂର୍ବରୁ ରାଜ୍ୟ ସରକାର କରୋନାର ସଫଳ ମୁକାବିଲା ପାଇଁ ମାର୍ଚ୍ଚ ୩୧ ଯାଏଁ ଅଙ୍ଗନୱାଡ଼ି ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ଏହି ଅବଧିକୁ ବୃଦ୍ଧି କରି ଏପ୍ରିଲ ୩୦ ପର୍ଯ୍ୟନ୍ତ ଘୁଞ୍ଚେଇ ଦିଆଯାଇଛି । ତେବେ ଏହି ସମୟସୀମା ମଧ୍ୟରେ ଘରକୁ ଆସିବ ଅଙ୍ଗନୱାଡ଼ି । ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନେ ଘରକୁ ଆସି ଏହି ସେବା ଯୋଗାଇବେ ।
୬ ମାସରୁ ୩ ବର୍ଷର ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କ ଘରେ ଶୁଖିଲା ରାସନ୍ ପହଞ୍ଚାଇ ଦେବେ ଅଙ୍ଗନୱାଡ଼ି କର୍ମୀ । ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନକୁ ଶୁଖିଲା ଖାଦ୍ୟ ମଧ୍ୟ ଘରେ ପହଞ୍ଚାଇଦେବେ । ପ୍ରତ୍ୟେକ ପରିବାରକୁ ପ୍ରାପ୍ୟ ମୁତାବକ ଅଣ୍ଡା ପ୍ରତି ସପ୍ତାହରେ ଘରେ ବଣ୍ଟନ କରାଯିବ । ଛତୁଆ ପ୍ରସ୍ତୁତକାରୀ ସ୍ୱୟଂସେବକ ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନେ ସାମାଜିକ ଦୂରତ୍ୱ ଓ ପରିସ୍କାର ପରିଚ୍ଛନ୍ନତା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ପାଳନ କରିବେ । ସେଥିପାଇଁ ସରକାରଙ୍କ ତରଫରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।
ସମୟ ପୂର୍ବରୁ କରୋନାକୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ଲୋକଙ୍କୁ ସଚେତନ କରିବା ସହ ନୂଆ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ତେବେ କରୋନାକୁ ହରାଇବା ପାଇଁ ସରକାରଙ୍କ ପରି ସାଧାରଣ ଜନତା ମଧ୍ୟ ସଚେତନ ହେବା ଉଚିତ ।