ହୋଟେଲରେ ରହିପାରିବେ କରୋନା ଆକ୍ରାନ୍ତ । କେବଳ ମାଗଣା ଚିକିତ୍ସା ମିଳିବ ହୋଟେଲରେ, ରହିବା ଓ ଖାଇବା ଖର୍ଚ୍ଚ ନିଜେ ବହନ କରିବେ ଆକ୍ରାନ୍ତ

288

କନକ ବ୍ୟୁରୋ : ରାଜଧାନୀରେ ଥିବା କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ରାଜଧାନୀ ତୁଳନାରେ ବାହାର ଜିଲ୍ଲାର ବହୁ ରୋଗୀ ଚିକିତ୍ସିତ ହେଉଥିବାରୁ ଏବେ କୋଭିଡ୍‌ କେୟାର ହୋମ୍ ବା କୋଭିଡ୍‌ କେୟାର ସେଣ୍ଟରରେ ରଖାଯାଉଛି । କିଛି ଲୋକ ହୋମ୍ ଆଇସୋଲେସନରେ ରହୁଛନ୍ତି। କିନ୍ତୁ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍‌ସି ଏବେ କରୋନା ରୋଗୀଙ୍କ ପାଇଁ ହୋଟେଲରେ ରହିବା ବ୍ୟବସ୍ଥା କରିଛି। ଅନ୍ୟ ସ୍ଥାନଗୁଡ଼ିକରେ କରୋନା ଆକ୍ରାନ୍ତମାନେ ମାଗଣାରେ ସମସ୍ତ ଚିକିତ୍ସା, ଖାଦ୍ୟପେୟ ଆଦି ପାଉଥିଲେ ହେଁ ହୋଟେଲରେ କେବଳ ମାଗଣା ଚିକିତ୍ସା ମିଳିବ। ରହିବା ଓ ଖାଇବା ଖର୍ଚ୍ଚ ଆକ୍ରାନ୍ତ ନିଜେ ବହନ କରିବେ।

ବିଏମ୍‌ସି ପକ୍ଷରୁ ତିନିଟି କୋଭିଡ୍‌ କେୟାର ହସ୍ପିଟାଲ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ତିନିଟି ଓୟୋ ଗେଷ୍ଟହାଉସ୍‌କୁ ଏନେଇ ବଛାଯାଇଛି। ସମ୍ ହସ୍ପିଟାଲ ନିକଟରେ ଘାଟିକିଆସ୍ଥିତ ସମ୍ ପ୍ୟାଲେସ୍, କିମ୍ସ ହସ୍ପିଟାଲ ନିକଟରେ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଥିବା ମା’ ଗେଷ୍ଟ ହାଉସ୍ ଏବଂ ଆଦିତ୍ୟ-ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ ନିକଟରେ ଡିଷ୍ଟ୍ରିକ୍ଟ ସେଣ୍ଟରରେ ମା’ କ୍ଲାସିକ୍ ଇନ୍‌ରେ ଆଇସୋଲେସନ୍ ସୁବିଧା ମିଳିବ। ଏଠାରେ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ, ଦୁଇଟି ପାଣି ବୋତଲ ଆଦି ଯୋଗାଇ ଦିଆଯିବ। ଏଥିପାଇଁ ମୂଲ୍ୟ ଧାର୍ଯ୍ୟ ହୋଇଛି। ଏହାବାଦ୍ ଆଉ କିଛି ଖାଇଲେ ଅଲଗା ଅର୍ଥ ଦେବେ।

ସମ୍ ପ୍ୟାଲେସରେ ୧୪ଟି ରୁମ୍ ଥିବାବେଳେ ଏଠାରେ କେବଳ ନନ୍ ଏସି ରୁମ୍ ରହିଛି। ଏହାର ଭଡ଼ା ଦିନକୁ ୧୨୯୯ଟଙ୍କା ରହିଛି। ମା’ ଗେଷ୍ଟ ହାଉସରେ ୧୫ଟି ନନ୍ ଏସି ରୁମ୍ ରହିଛି। ଏଠାରେ ରୁମ୍‌ ଭଡ଼ା ୧୨୯୯ଟଙ୍କା ରହିଛି। ମା’ କ୍ଲାସିକ୍ ଇନ୍‌ରେ ଏସି ରୁମ୍ ଭଡ଼ା ୧୮୯୯ ଟଙ୍କା ରହିଛି। ଏଠାରେ କେବଳ ଲକ୍ଷଣବିହୀନ କରୋନା ଆକ୍ରାନ୍ତ ରହିପାରିବେ। ସର୍ବନିମ୍ନ ୧୦ଦିନ ଏଠାରେ ରହିବାକୁ ପଡ଼ିବ। ଏହାପରେ ୭ଦିନ ଘରେ ସଙ୍ଗରୋଧରେ ରହିବେ। ଆକ୍ରାନ୍ତଙ୍କୁ ହୋଟେଲରେ ରହିବାକୁ ହେଲେ ପ୍ରତି ଦିନର ୫୦% ଅର୍ଥ ଆଗୁଆ ଦେବାକୁ ହେବ। ଆକ୍ରାନ୍ତ ଏଠାରେ ନିଜେ ନିଜ ଶରୀରର ଅମ୍ଳଜାନ ମାତ୍ରା ପଲ୍ସ ଅକ୍ସିମିଟରରେ ମାପିବେ। ସେହିପରି ଆକ୍ରାନ୍ତଙ୍କର ସ୍ବାସ୍ଥ୍ୟ ଯାଞ୍ଚ ଏବଂ ପରାମର୍ଶ ଦେବା ପାଇଁ ଘାଟିକିଆ ଅଞ୍ଚଳ ପାଇଁ ଡୁମଡୁମା ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ମଧୁସ୍ମିତା ପଢ଼ିହାରୀ ଏବଂ ଚନ୍ଦ୍ରଶେଖରପୁର ଅଞ୍ଚଳ ପାଇଁ ଚନ୍ଦ୍ରଶେଖରପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଦେବୀ ପ୍ରସନ୍ନ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ଆବଶ୍ୟକ ହେଲେ ଆକ୍ରାନ୍ତଙ୍କୁ ନିକଟସ୍ଥ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିବେ।