କରୋନା କଟକଣା : ସାରା ରାଜ୍ୟରେ ଚାଲିଥିବା ନିର୍ମାଣାଧୀନ କାମ ତୁରନ୍ତ ବନ୍ଦ ପାଇଁ ସରକାରଙ୍କ ନିର୍ଦ୍ଦେଶ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଜାରି ରହିବ ଚାଲୁଥିବା ନିର୍ମାଣ କାମ

16,541

କନକ ବ୍ୟୁରୋ : କରୋନା ବିରୋଧରେ ରାଜ୍ୟ ସରକାରଙ୍କ ଲଢ଼େଇ । ଦେଶରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାର ଭାଇରସ୍ ମୁକାବିଲା ପାଇଁ ତତ୍ପର ହୋଇ ଉଠିଛନ୍ତି । ଲୋକଙ୍କୁ ସଚେତନ କରାଇବା ପାଇଁ ବାରମ୍ବାର ପ୍ରୟାସ ଜାରି ରହିଛି । କରୋନା ପାଇଁ ପୁରା ରାଜ୍ୟକୁ ଲକଡାଉନ୍ କରି ସାରିଥିବା ବେଳେ ଆଜି ନିର୍ମାଣ କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ଚାଲୁଥିବା ସମସ୍ତ ନିର୍ମାଣ କାମ ବନ୍ଦ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସାରା ରାଜ୍ୟରେ ଚାଲୁଥିବା ନିର୍ମାଣ କାମ ତୁରନ୍ତ ବନ୍ଦ କରାଯାଉ । ହେଲେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଚାଲୁଥିବା ନିର୍ମାଣ କାମ ଚାଲୁ ରହିବ । କାରଣ ନିର୍ମାଣ କାମ ଅନେକ ଶ୍ରମିକ ନିୟୋଜିତ ଥାଆନ୍ତି । ଫଳରେ ସଂକ୍ରମଣ ବ୍ୟାପିବାର ଅନେକ ଆଶଙ୍କା ଥାଏ । ତେବେ ରାଜ୍ୟରେ କରୋନା ମୁକାବିଲା ପାଇଁ ସରକାର ଯଥେଷ୍ଟ ସତର୍କ ଥିବାବେଳେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି ।

ସେପଟେ ଘରେ ଘରେ ପେନସନ୍ ଓ ପିଡ଼ିଏସ୍ ସାମଗ୍ରୀ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ସରକାରଙ୍କ ପକ୍ଷରୁ ସର୍କୁଲାର ଜାରି ରହିଛି । ଏଥିପାଇଁ ସମସ୍ତ ଜିଲ୍ଲାପାଳ , ଜିଲ୍ଲା ମାଜିଷ୍ଟ୍ରେଟ ଓ ମ୍ୟୁନସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକୀୟ ଗାଇଡଲାଇନ ମଧ୍ୟରେ ରହି ଏ ନେଇ ଆବଶ୍ୟକୀୟ ପଦକ୍ଷେପ ନେବେ । କରୋନାର ସଫଳ ମୁକାବିଲା ପାଇଁ ଏପରି ପଦକ୍ଷେପ ନେଇଛନ୍ତି ସରକାର ।

ଅନ୍ୟପଟେ କରୋନା ନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି, ଯେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ସଚେତନ ହୁଅନ୍ତୁ । ବାହରକୁ ବାହରନ୍ତୁ ନାହିଁ । ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ଏହାସହ ୨ ପଜିଟିଭଙ୍କ ସ୍ୱାସ୍ଥ୍ୟବସ୍ଥ ସ୍ଥିର ଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।