ଚିକିତ୍ସା ବିଜ୍ଞାନରେ ମିଳିଲା ବିରଳ ସଫଳତା ! ଅଲଗା ହେଲେ ଯୋଡାମୁଣ୍ଡ ଶିଶୁ ଜଗା-ବଳିଆ, ଆଜି ଦିନ ୧୨ଟା ସୁଦ୍ଧା ସରିପାରେ ଅପରେସନ

69

କନକ ବ୍ୟୁରୋ : ଅଲଗା ହେଲେ ଜଗା-ବଳିଆ । କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଦିଲ୍ଲୀ ଏମ୍ସରେ ଅପରେସନ୍ ଦ୍ୱାରା ଅଲଗା କରାଯାଇଛି । ବୁଧବାର ସକାଳ ପ୍ରାୟ ୯ଟାରେ ଆରମ୍ଭ ହୋଇଥିଲା ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ । ଦୀର୍ଘ ୧୧ ଘଂଟା ପରେ ରାତି ପ୍ରାୟ ୮ ଟାରେ ଜଗା-ବଳିଆଙ୍କ ଯୋଡାମୁଣ୍ଡକୁ ଅଲଗା କରିଛନ୍ତି ଡାକ୍ତର । ବର୍ତମାନ ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏବେ ଦୁଇ ଶିଶୁଙ୍କର ପ୍ଲାଷ୍ଟିକ ସର୍ଜରୀ କାମ ଜାରି ରହିଛି । ଆଜି ଦିନ ୧୨ ଟା ସୁଦ୍ଧା ଏହି ପ୍ରକ୍ରିୟା ସରିବା ନେଇ ସମ୍ଭାବନା ରହିଛି । ଅପରେସନ ପରେ ଜଗାବଳିଆଙ୍କୁ ୭୨ ଘଂଟା ଅବଜରଭେସନରେ ରଖାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

joint headed child operationଚିକିତ୍ସା ବିଜ୍ଞାନରେ ବିରଳ ସଫଳତା । ଜଗା ବଳିଆଙ୍କ ଅପରେସନ ଉପରେ ସାରା ବିଶ୍ୱର ଡାକ୍ତରଙ୍କ ନଜର ରହିଛି । ଆଉ ଏହାରି ଭିତରେ ସରିଛି ସବୁଠାରୁ ଜଟିଳ ପ୍ରକ୍ରିୟା । ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କ ମୁଣ୍ଡ ଅଲଗା ହୋଇଛି । ଦିଲ୍ଲୀ ଏମ୍ସ ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ପ୍ରାୟ ୨୦ ଜଣିଆ ଡାକ୍ତରୀ ଟିମ୍ ଶିଶୁଙ୍କ ଅପରେସନରେ ଲାଗିଛନ୍ତି । ନ୍ୟୁରୋ ସର୍ଜରୀ ଦ୍ୱାରା ଶିଶୁଙ୍କ ମୁଣ୍ଡ ଅଲଗା ହେବା ପରେ ଏବେ ପ୍ଲାଷ୍ଟିକ ସର୍ଜନ ସେମାନଙ୍କ କାମ ଜାରି ରଖିଛନ୍ତି । ଆଶା କରାଯାଉଛି ଏହି ପ୍ରକ୍ରିୟା ବି ସଫଳ ହେବ ।

ଗତକାଲି ସକାଳ ପ୍ରାୟ ୬ଟାରେ ଜଗା ବଳିଆଙ୍କୁ ଅପରେସନ୍ ରୁମକୁ ନିଆଯାଇଥିଲା । ପରେ ସକାଳ ପ୍ରାୟ ୯ଟାରେ ଆରମ୍ଭ ହୋଇଥିଲା ଅପରେସନ୍ । ଏହା ପୂର୍ବରୁ ଅଗଷ୍ଟ ୨୮ ରେ ଜଗା ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ୍ ହୋଇଥିଲା । ଦୁଇ ଭାଇଙ୍କୁ ଏକ ୪୦ ଜଣିଆ ଡାକ୍ତରୀ ଦଳ ପ୍ରାୟ ୨୦ ଘଂଟା ଧରି ଅପରେସନ କରିଥିଲେ । ଆଉ ଏହି ପର୍ଯ୍ୟାୟରେ କୃତ୍ରିମ ଶିରାପ୍ରସିରାର ଢାଂଚା ତିଆରି କରି ବଳିଆ ଦେହରେ ରୋପଣ କରାଯାଇଥିଲା । ଏହାପରେ ଦୁଇ ଜଣଙ୍କ ମସ୍ତିଷ୍କକୁ ଅଲଗା କରିବାର ସବୁଠାରୁ ଜଟିଳ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ସେପଟେ ଜଗାବଳିଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଜଗାବଳିଆଙ୍କ ଅପରେସନରେ ସାମିଲ ଥିବା ଡାକ୍ତରୀ ଟିମ୍ ଓ ସମସ୍ତ ସହଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଜଗାବଳିଆଙ୍କ ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚନା କରିଛନ୍ତି ଲୋକେ । ଦୀପ ଜଳାଇ ଭଗବାନଙ୍କ ନିକଟରେ ଜଗାବଳିଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଜଗାବଳିଆ ସୁସ୍ଥ ହୋଇ ଫେରିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଓଡିଶାବାସୀ ।