ରାଉରକେଲାରୁ ଦିଲ୍ଲୀ ପାଦରେ ଚାଲି ଚାଲି ଯାଇଥିବା ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଟିକେଟ ଦେଲା କଂଗ୍ରେସ ! ରାଉରକେଲାରୁ ଲଢ଼ିବେ ନିର୍ବାଚନ 

796

କନକ ବ୍ୟୁରୋ : ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ମୁହଁକୁ ସୁଯୋଗ ଦେଇଛି କଂଗ୍ରେସ । ଚଳିତ ଥର ରାଉରକେଲା ମୈଦାନକୁ ଓଲ୍ହାଇବେ ମୁକ୍ତିକାନ୍ତ ବିଶ୍ୱାଳ । ବ୍ରାହ୍ମଣୀ ନଦୀ ପୋଲ ଓ ଆଇଜିଏଚ୍ ହସ୍ପିଟାଲ ପାଇଁ ପ୍ରାୟ ୧୬ଶହ କିଲୋମିଟର ପାଦରେ ଚାଲିଚାଲି ଦିଲ୍ଲୀରେ ପହଞ୍ଚିଥିବା ରାଉକେଲାର ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ହାତରେ ତ୍ରିରଙ୍ଗା ଧରି ଓଡିଶାରୁ ଝାଡଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହରିଆଣା ଦେଇ ଦିଲ୍ଲୀରେ ପହଞ୍ଚିଥିଲେ । ସେତେବେଳେ କଂଗ୍ରେସ ଏହାକୁ ଏକ ବଡ଼ କ୍ୟାମ୍ପେନ ଭାବେ ଠିଆ କରିଥିଲେ । ସୂଚନାଯୋଗ୍ୟ ସେତେବେଳେ ମୁକ୍ତିକାନ୍ତଙ୍କ ସେହି କ୍ୟାମ୍ପେନଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମର୍ଥନ କରିଥିଲେ । ଉକ୍ତ ପ୍ରସଙ୍ଗରେ ମୁକ୍ତିକାନ୍ତଙ୍କୁ ସମର୍ଥନ କରି ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ, ଫେସବୁକରେ ଏକ ଲମ୍ବା ଚୌଡ଼ା ସ୍ପଷ୍ଟିକରଣ ରଖିଥିଲେ ।

ରାଜନୀତିରେ ବିଲକୁଲ ଅଭିଜ୍ଞତା ନଥିଲେ ମଧ୍ୟ ମୁକ୍ତିକାନ୍ତ ରାଉରକେଲା ତଥା ପୁରା ରାଜ୍ୟ ପାଇଁ ଏବେ ଜଣେ ଜଣାଶୁଣା ଚେହେରା । ତେଣୁ କଂଗ୍ରେସ ମୁକ୍ତିକାନ୍ତଙ୍କ ଲୋକପ୍ରିୟତାର ସାହାରା ନେଇ ରାଉରକେଲା ହାସଲ କରିବା ପାଇଁ ଚାହୁଁଛି । ସେପଟେ ରାଉରକେଲାରୁ ଚଳିତ ଥର ସାରଦା ପ୍ରସନ୍ନ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି ।  ଏବଂ ନିହାର ରେଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ୨୦୧୪ରେ ରାଉରକେଲା ଗଡ଼ ଅକ୍ତିଆର କରିଥିଲେ ଦିଲ୍ଲୀପ ରୟ । ହେଲେ ୨୦୧୮ ନଭେମ୍ବର ମାସରେ ସେ ଦଳରୁ ଦଳରୁ ଇସ୍ତଫା ଦେଇଥିଲେ । ସୂଚନାଯୋଗ୍ୟ ବ୍ରାହ୍ମଣୀ ନଦୀରେ ଦ୍ଵିତୀୟ ପୋଲ ଓ ଆଇଜିଏଚକୁ ସୁପର ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରିବାକୁ ଦୀର୍ଘ ଦିନ ହେଲା ଦାବି କରି ଆସୁଥିଲେ ମଧ୍ୟ କାର୍ଯ୍ୟକାରୀ ନହେବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା ।  ଆଉ ସେଥିପାଇଁ ଦଳ ଛାଡ଼ିଥିଲେ ଦିଲ୍ଲୀପ । ୨୦୧୯ରେ ରାଉରେକଲାରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ମଧ୍ୟ କହିଥିଲେ ।