ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ କଂଗ୍ରେସର ସଙ୍ଗୀନ ଅଭିଯୋଗ ! ଘରୋଇ ସ୍କୁଲକୁ ମୁନାଫା ଦେବା ଲକ୍ଷ୍ୟରେ ଜାଣିଶୁଣି ସରକାରୀ ସ୍କୁଲ ବନ୍ଦ କରାଉଛନ୍ତି ସରକାର !

365

କନକ ବ୍ୟୁରୋ :  ରାଜ୍ୟର ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବାରେ ଲାଗିଛି । ବେସରକାରୀ ସ୍କୁଲ ଗୁଡ଼ିକ ପାଇଁ ସରକାରୀ ସ୍କୁଲରେ ପାଠ ପଢ଼ାଇବା ପାଇଁ ଅଭିଭାବନ ଅନିଚ୍ଛୁକ । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ତଥା ଶିକ୍ଷାର ମାନ ବଢ଼ାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସରକାରୀ ସ୍କୁଲର ଉପସ୍ଥାନ ବଢ଼ାଇବା ପାଇଁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ପିଲାଙ୍କୁ ମାଗଣାରେ ବହି ଓ ପୋଷାକ ମିଳଛି । ଏପରିକି ସ୍କୁଲକୁ ଦଣ୍ଡମୁକ୍ତ ଅଂଚଳ ମଧ୍ୟ ଘୋଷଣା କରାଯାଇଛି । ତଥାପି ସରକାରୀ ସ୍କୁଲ ଗୁଡ଼ିକର ଅବସ୍ଥା ଜରାଜୀର୍ଣ୍ଣ । ସରକାରୀ ସ୍କୁଲକୁ ଆସିବାକୁ ମଙ୍ଗୁନାହାନ୍ତି ଛାତ୍ରଛାତ୍ରୀ । ତେଣୁ  କମ୍ ଉପସ୍ଥାନ ଦର୍ଶାଇ ବନ୍ଦ ହେବ ୯୬୬ ଟି ପ୍ରାଥମିକ ସ୍କୁଲ । ଦଶ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ୯୬୬ଟି ପ୍ରାଥମିକ ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରାକାରଙ୍କ ଏପରି ନିଷ୍ପତ୍ତି ପରେ ଚାରିଆଡ଼େ ବିରୋଧର ସ୍ୱର ଉଠିବା ସହ ଏ ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ଆଜି ଏକ ପ୍ରେସମିଟ୍ କରିଛି କଂଗ୍ରେସ ।

ସରକାରୀ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । କଂଗ୍ରେସ ଅଭିଯୋଗ କରିଛି ରାଜ୍ୟ ସରକାର ଘରୋଇ ସ୍କୁଲକୁ ମୁନାଫା ଦେବାପାଇଁ ଚେଷ୍ଟା କରୁଛନ୍ତି । ଘରୋଇ ସ୍କୁଲର ଏଜେଣ୍ଟ ଭାବେ ସରକାର କାମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ସତ୍ୟ ନାୟକ । କଂଗ୍ରେସ ଯୁକ୍ତ କରିଛି ୯୬୬ଟି ସରକାରୀ ସ୍କୁଲ ବନ୍ଦ ହେବା ଦ୍ୱାରା ଘରୋଇ ତଥା ବେସରକାରୀ ସ୍କୁଲକୁ ଅଧିକ ପିଲାଯାଇପାରିବେ । ଧାର-ଉଧାର କରି ଅଭିଭାବକମାନେ ଘରୋଇ ସ୍କୁଲରେ ପଢ଼ାଇବାକୁ ଚାହୁଁଛନ୍ତି ସିନା ହେଲେ ମାଗଣା ବହିଖାତା ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଦେଉଥିବା ସରକାରୀ ସ୍କୁଲକୁ ପଠାଇବାକୁ ଅମଙ୍ଗ ହେଉଛନ୍ତି । ସରକାରୀ ସ୍କୁଲରେ ଆବଶ୍ୟକ ସଂଖ୍ୟାର ଶିକ୍ଷକ ନାହାନ୍ତି । ଯଦିବା ଅଛନ୍ତି ସେମାନଙ୍କୁ ଅନ୍ୟାନ୍ୟ କାମରେ ଲଗାଇ ଦିଆଯାଇଛି । ସରକାରୀ ସ୍କୁଲରେ ଶ୍ରେଣୀଗୃହ ନାହିଁ କି ପାଠପଢ଼ା ନାହିଁ ।

ରାଜ୍ୟର ମୋଟ ୮୫ ପ୍ରତିଶତ ଛାତ୍ରଛାତ୍ରୀ ସରକାରୀ ସ୍କୁଲ ଉପରେ ନିର୍ଭରଶୀଳ । ଆଦିବାସୀ, ପଛୁଆ ବର୍ଗ ଦଳିତ, ଗରୀବ ସୀମାରେଖା ତଳେ ଥିବା ଜନସଂଖ୍ୟା ବହୁଳ ଅଂଚଳରେ ହିଁ ସରକାର ସ୍କୁଲ ବନ୍ଦ କରବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି କଂଗ୍ରେସର ଅଭିଯୋଗ । ୪୦, ୫୫୮ଟି ସ୍କୁଲରେ ବିଦ୍ୟୁତ ସଂଯୋଗ ନାହିଁ । ୩୯, ୯୩୬ଟି ସ୍କୁଲରେ କମ୍ପ୍ୟୁଟର ନାହିଁ । ୪୦,୦୨୬ଟି ସ୍କୁଲରେ ଖେଳପଡ଼ିଆ ନାହିଁ । ରାଜ୍ୟରେ ହଜାର ହଜାର ସ୍କୁଲ ରହିଛି, ଯେଉଁଠି ଜଣେ ମାତ୍ର ଶିକ୍ଷକ ପାଠ ପଢ଼ାଉଛନ୍ତି । ଏପରିସ୍ଥଳେ ବାପାମା’ମାନେ ସରକାରୀ ସ୍କୁଲରେ ପିଲାଙ୍କୁ ପାଠ ପଢ଼ିବା ପାଇଁ ପଠାଉ ନାହାନ୍ତି । ସରକାରୀ ଜାଣିଶୁଣି ସରକାରୀ ସ୍କୁଲ ଗୁଡ଼ିକ ବନ୍ଦ କରାଉଛନ୍ତି । ଯଦ୍ୱାରା ପଞ୍ଚାୟତ ତଥା ଗାଁ ଗଳହିରେ ପ୍ରାଇଭେଟ୍ ସ୍କୁଲ ଗୁଡ଼ିକ ଅଧିକ ଖୋଲିବ ।

ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାରଙ୍କୁ ମଧ୍ୟ ରାଜ୍ୟରେ ସ୍କୁଲ ବନ୍ଦର କାରଣ ବୋଲି ଅଭିଯୋଗ କରିଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ ନୀତି ଆୟୋଗଙ୍କ ସୁପାରିସ୍ କ୍ରମେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଉଛନ୍ତି । ରାଜ୍ୟ ସରକାର ନିଜ ସଦାସର୍ବଦା ନିଜର ଦୋଷ ଘୋଡ଼ାଉଛନ୍ତି । ଆନୁଆଲ ଷ୍ଟାଟସ୍ ରିପୋର୍ଟ ଅନୁସାରେ ଅଷ୍ଟମ ଶ୍ରେଣୀ ପିଲା ସାଧାରଣ ମିଶାଣ ଜାଣି ନାଥିବା କଥା ସମସ୍ତେ ଅବଗତ । ପଞ୍ଚମ ଶ୍ରେଣୀ ପିଲା ବହି ପଢ଼ିପାରୁ ନାହାନ୍ତି । ଏଥିରୁ ସ୍ପଷ୍ଟ ହେଉଛି ସରକାରୀ ସ୍କୁଲରେ ପାଠପଢ଼ା ହେଉନାହିଁ । ଓଡ଼ିଶାର ପିଲାମାନଙ୍କୁ ପାଠପଢ଼ାରୁ ବଂଚିତ କରାଯାଉଛି । ସରକାର ସରକାରୀ ସ୍କୁଲକୁ ବନ୍ଦ କରାଇ ଘରୋଇ ସ୍କୁଲର ଏଜେଣ୍ଟ ଭାବେ କାର୍ଯ୍ୟ କରିଛନ୍ତି ବୋଲି ଅଭିଯୋଗ ଆଣିଛି କଂଗ୍ରେସ ।