କନକ ବ୍ୟୁରୋ , (ରାୟଗଡା) : ୩ରୁ ୩ ବିଧାନସଭା ଆସନରେ ପ୍ରାର୍ଥୀ ପଛୁଆ । ରାୟଗଡା, ବିଷମକଟକ ନିର୍ବାଚନ ମଣ୍ଡଳୀରେ ଦଳ ଲଢ଼େଇକୁ ଆସିବା ତ’ ଦୂରର କଥା ତୃତୀୟ ସ୍ଥାନକୁ ଚାଲିଗଲା । ଗୁଣପୁର ଆସନରେ ଦଳ ଲଢ଼େଇ କରି ହାରିଲା । କେବଳ ରାୟଗଡା ନୁହେଁ, କୋରାପୁଟ ଲୋକସଭା ଆସନର ୭ଟି ଆସନ ମଧ୍ୟରୁ ଜୟପୁରକୁ ଛାଡି ଅନ୍ୟ ୬ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ହାରିଗଲେ । ଏହା ସତ୍ତ୍ବେ କଂଗ୍ରେସର ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ଜିତିଲେ । ତେବେ ଏତେ ବଡ଼ ବିପର୍ଯ୍ୟୟ ପଛର କାରଣ କ’ଣ ହୋଇପାରେ ତାକୁ ନେଇ ଦଳ ପକ୍ଷରୁ ଆରମ୍ଭ ହୋଇଛି ମାନସ ମନ୍ଥନ । ଖୁବଶୀଘ୍ର ନିର୍ବାଚନ ମଣ୍ଡଳୀ ୱାରି ବୁଥସ୍ତରୀୟ ସମୀକ୍ଷା ପାଇଁ ଦଳୀୟ ନେତୃବୃନ୍ଦ ତଥ୍ୟ ସଂଗ୍ରହରେ ଲାଗିଛନ୍ତି ।
କଂଗ୍ରେସର ଗଡ଼ ରାୟଗଡା । ମୋଦୀ ହାୱା, ନବୀନ ରାଜ ସତ୍ତ୍ବେ ଏଠି କଂଗ୍ରେସ ଭୋଟ ଏବେ ବି ସୁରକ୍ଷିତ ରହିଛି ଏ କଥା ପ୍ରାମଣ ହୋଇଛି ସପ୍ତଗିରିଙ୍କ ବିଜୟରୁ । କୋରାପୁଟ ଲୋକସଭା ପ୍ରାର୍ଥୀଙ୍କ ବିଜୟରେ ଦୀର୍ଘ ବର୍ଷରୁ ରାୟଗଡାର ୩ ନିର୍ବାଚନ ମଣ୍ଡଳୀ ହିଁ ଗୁରୁତ୍ବପୂର୍ଣ ଭୂମିକା ନିଭାଇ ଆସୁଛନ୍ତି। ପୂର୍ବତନ ସାଂସଦ ଡ. ଗିରିଧର ଗମାଙ୍ଗଙ୍କଠୁ ଆରମ୍ଭ କରି ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକା, ବିଜେଡିର ପୂର୍ବତନ ସାଂସଦ ଝିନ୍ନ ହିକକା, ଜୟରାମ ପାଙ୍ଗୀଙ୍କ ଏକତରଫା ବିଜୟ ପଛରେ ରହିଛି ରାୟଗଡା ଭୋଟରଙ୍କ ନିଃସର୍ତ ମତଦାନ ।