ଟ୍ରାଫିକ ନିୟମକୁ କଂଗ୍ରେସର ବିରୋଧ : ସୁର ରାଉତରାୟ କହିଲେ,ଗାଡି ଚେକିଂ ଆଳରେ ଲୋକଙ୍କ ସହ କରାଯାଉଛି ଖରାପ ବ୍ୟବହାର . . . ପରିବହନ ମନ୍ତ୍ରୀଙ୍କ ଜବାବ, ଭଲ ବ୍ୟବହାର ପାଇଁ ରହିଛି କଡା ନିର୍ଦ୍ଦେଶ . . .

482

କନକ ବ୍ୟୁରୋ : ନୂଆ ଟ୍ରାଫିକ ନିୟମକୁ କଂଗ୍ରେସର ବିରୋଧ । ଗାଡ଼ି ଚେକିଂ ଆଳରେ ସାଧାରଣ ଜନତାଙ୍କୁ ହଇରାଣ କରାଯାଉଛି । ବିଧାୟକ ସୁର ରାଉତରାୟ କହିଛନ୍ତି, ଗତକାଲି ଆରଟିଓ କର୍ମଚାରୀ ଓ ପୁଲିସ ଜନସାଧାରଣଙ୍କ ଉପରେ ଯେ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି । ଆରଟିଓ ଅଫିସରେ କର୍ମଚାରୀ ନାହାଁନ୍ତି । ନିୟମ ଉଲ୍ଲଂଘନ କଲେ ଫାଇନ୍ ଆଦାୟ କରିବା ଯୁକ୍ତିଯୁକ୍ତ । ହେଲେ ଜରୁରିକାଳୀ ପରିସ୍ଥିତିରେ ଯେଉଁପରି ବ୍ୟବହାର କରାଯାଉଛି ଏହା ଅତି ଅସଙ୍ଗତ । ପାର୍କିଂ ଓ ଆନୁସଙ୍ଗିକ ବ୍ୟବସ୍ଥା ନଥିବା ବେଳେ ଏ ଫାଇନ ଅତ୍ୟାଚାର । ଭୁଲ ଥିଲେ ବୁଝାଇ ସୁଝାଇ କାମ କରିବା ସହ ଲୋକଙ୍କୁ ନିୟମ ମାନିବାକୁ ଅପିଲ କରିଛନ୍ତି ସୁର ରାଉତରାୟ ।

ସେପଟେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି,ଧନ ଜୀବନ ସୁରକ୍ଷା ସରକାରଙ୍କ ଲକ୍ଷ । ନୂଆ ନିୟମ ଦ୍ୱାରା ଗତ ସେପଟେମ୍ବରରୁ ଦୁର୍ଘଟଣା ହାର ୫୦ ପ୍ରତିଶତ କମିଛି । ନୂଆ ଆଇନକୁ ସମସ୍ତେ ମାନିବା ଆବଶ୍ୟକ । ଲୋକଙ୍କ ହିତ ପାଇଁ ଏହି ନିୟମ ହୋଇଛି । ଆରଟିଓ ମାନଙ୍କୁ ଲୋକଙ୍କ ସହ ଭଦ୍ର ବ୍ୟବହାର କରିବାକୁ ନିର୍ଦ୍ଦେଶ ଥିବା କହିଛନ୍ତି ।

ଅନ୍ୟପଟେ ଦ୍ୱିତୀୟ ଦିନରେ ଟ୍ରାଫିକ ଚେକିଂ ଜୋରଦାର ହୋଇଛି । ୨୪ ଘଂଟାରେ କୋଟିଏ ଟଙ୍କାର ଫାଇନ ଆଦାୟ କରାଯାଇଛି । ଟ୍ରାଫିକ ନିୟମ ଉଂଲଘନ କରିଥିବା ୩ ହଜାର ୮୭୦ ଜଣଙ୍କର ଚାଲାଣ କଟାଯାଇଛି । ୩ ଜଣ ବସି ବାଇକ ଚଳାଉଥିବା ବେଳେ ୧୨୬ ଜଣ ଧରାପଡିଛନ୍ତି । ମୋବାଇଲରେ କଥା ହେଉଥିବା ବେଳେ ୪୮ ଜଣ, ବିନାହେଲମେଟରେ ୧୮୩୧ ଜଣ, ଦ୍ରୁତ ଗାଡି ଚାଳନା ପାଇଁ ୨୭୭ ଜଣ. ମଦ ପିଇ ଗାଡି ଚଳାଉଥିବା ବେଳେ ୨୪ ଜଣ, ବିନା ସିଟ ବେଲଟରେ ଗାଡି ଚଲାଉଥିବା ୩୪୯ ଜଣଙ୍କଠାରୁ ଚାଲାଣ କଟାଯାଇଛି । ଆରଟିଓ ୧୭ ଶହ ୫୮ ଜଣଙ୍କ ଠାରୁ ୮୮ ଲକ୍ଷ ଆଦାୟ କରିଥିବା ବେଳେ ପୁଲିସ ୨୧ ଶହ ୧୨ ଜଣଙ୍କ ଠାରୁ ୧୮ ଲକ୍ଷ ଆଦାୟ କରିଛି ।