ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେସର କସରତ : ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଆଲୋଚନା ପରେ ଏଆଇସିସିକୁ ପଠାଯିବ ଆଶାୟୀ ପ୍ରାର୍ଥୀଙ୍କ ନାଁ

492

କନକ ବ୍ୟୁରୋ : ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେସର କସରତ । ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । କଂଗ୍ରେସ ଭବନରେ ବିଜେପୁର ନିର୍ବାଚନ ପାଇଁ ଜୋରସୋରେ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । ବୈଠକରେ ପ୍ରାର୍ଥୀ ଚୟନ ନେଇ ଆଲୋଚନା କରାଯିବ । ଆଲୋଚନା ପରେ ଏଆଇସିସିକୁ ପଠାଯିବ ଆଶାୟୀ ପ୍ରାର୍ଥୀଙ୍କ ନାଁ । ଏଆଇସିସିଙ୍କ ଅନୁମୋଦନ ପରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ ।  ଏହି ବୈଠକରେ ପିସିସି ସଭାପତିଙ୍କ ସମେତ ସମସ୍ତ ବିଧାୟକ ସାମିଲ ଅଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀରେ  ସଙ୍ଗଠନର ସ୍ଥିତି କପରି ରହିଛି ଏବଂ ସଙ୍ଗଠନକୁ ମଜଭୁତ କରିବା ପାଇଁ ମଧ୍ୟ ସମସ୍ତ ଆଲୋଚନା ହେବାର ସମ୍ଭାବନା ରହିଛି ।

ବିଜେପୁର ନିର୍ବାଚନ ପାଇଁ ସଜବାଜ ହେଉଛି କଂଗ୍ରେସ । ଉଭୟ ଲୋକସଭା ଓ ବିଧାସଭାରେ ଶୋଚନୀୟ ପରାଜୟ ପରେ ବିଜେପୁର ଉପରେ କଂଗ୍ରେସର ଫୋକସ୍ । ତେଣୁ ଏଥର ଉପନିର୍ବାଚନରେ ଜଣେ ଦକ୍ଷ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇପାରେ କଂଗ୍ରେସ । ସାଧାରଣ ନିର୍ବାଚନରେ ଦଳ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କୁ ମଇଦାନକୁ ଓହ୍ଲାଇଥିଲା । ରିପୁଙ୍କ ଅଭିଜ୍ଞତା ବଳରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କୁହାଯାଉଥିଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ସାମ୍ନାରେ ତିଷ୍ଠି ପାରିନଥିଲେ ରିପୁନାଥ୍ । କଂଗ୍ରେସ ବିଜେପୁରରେ ଶୋଚନୀୟ ପ୍ରଦର୍ଶନ କରିଥିଲା ।

 

ତେଣୁ ଦଳ ସ୍ଥାନୀୟ ନେତାଙ୍କୁ ଟିକଟ୍ ଦେବ ନା ବାହାରୁ ପ୍ରାର୍ଥୀ ଆମଦାନୀ କରିବ, ତାହା ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି । ସୂଚନା ମୁତାବକ, ୨୦୧୮ରେ ଉପ-ନିର୍ବାଚନ, ୨୦୧୯ରେ ସାଧାରଣ ନିର୍ବାଚନ ଏବଂ ଏବେ ବିଜେପୁରରେ ପୁଣି ଏକ ଉପ-ନିର୍ବାଚନ ହେବାକୁ ଯାଉଛି ।