ଗାନ୍ଧିବାଦୀ ଚିନ୍ତାଧାରେ ଅନୁପ୍ରାଣିତ ମୋଦି : ନମୋଙ୍କ ପ୍ରସଂଶାରେ ଶତମୁଖ କଂଗ୍ରେସ ନେତା, ସ୍ପଷ୍ଟୀକରଣ ମାଗିଲା ଦଳ

284

କନକ ବ୍ୟୁରୋ : ମୋଦିଙ୍କୁ ପ୍ରଶଂସା କରି ଅଡ଼ୁଆଡ଼େ କଂଗ୍ରେସ ନେତା । ଲୋକସଭା ନିର୍ବାଚନରେ ମୋଦିଙ୍କୁ ବିପୁଳ ବିଜୟ ପରେ କଂଗ୍ରେସ ନେତା ଏପି ଅବଦୁଲ୍ଲା କୁଟ୍ଟି ନରେନ୍ଦ୍ର ମୋଦିଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ପରାଜୟ ପରେ କଂଗ୍ରେସର ସ୍ଥିତି ଏବେ ସମସ୍ତଙ୍କୁ ଭଲଭାବରେ ଜଣା । ଦଳରେ ଏବେ ଚାଲିଛି ଆରୋପ ପ୍ରତ୍ୟାରୋପର ପର୍ବ । ଲୋକସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ପାଇଁ ଅଡ଼ି ବସିଛନ୍ତି । ଅନେକ ବୁଝାସୁଝା କରିବା ପରେ ନୂଆ କଂଗ୍ରେସ ଅଧ୍ୟକ୍ଷ ନମିଳିବା ଯାଏଁ ସେ ପଦ ସମ୍ଭାଳିବେ ବୋଲି ମଙ୍ଗିଛନ୍ତି । ଆଉ ଏହି ସମୟରେ କଂଗ୍ରେସ ନେତାଙ୍କ ଏପରି ମନ୍ତବ୍ୟ କଟା ଘା’ରେ ଚୁନ ସେକ ପରି ଲାଗୁଛି । ଦଳ ପକ୍ଷରୁ ଏପି ଅବଦୁଲ୍ଲା କୁଟ୍ଟିଙ୍କୁ ସ୍ପଷ୍ଟୀକରଣ ମଗାଯାଇଛି ।

ସୋସିଆଲ ମିଡ଼ିଆରେ ମୋଦିଙ୍କ ପ୍ରଶଂସା କରିଛନ୍ତି ଅବଦୁଲ୍ଲାକୁଟ୍ଟି । ଗେରୁଆ ଦଳର ବିପୁଳ ବିଜୟରେ କେବଳ ବିରୋଧୀ ନୁହେଁ ବିଜେପିର ନେତାମାନେ ମଧ୍ୟ ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଇଛନ୍ତି । ଅବଦୁଲ୍ଲା କୁଟ୍ଟି କହିଛନ୍ତି ମହାତ୍ମା ଗାନ୍ଧି କହିଥିଲେ କୌଣସି ବି ନୀତି ଆଣିବା ପୂର୍ବରୁ ଗରିବଙ୍କ ଚେହରାକୁ ସାମ୍ନରରେ ରଖି ତିଆରି କରିବା ଉଚିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଗାନ୍ଧୀଙ୍କ ଏହି କଥାକୁ ଆପଣାଇବା ସହ ଅନୁସରଣ କରୁଛନ୍ତି । ଆଉ ସେଥିପାଇଁ ଜନତା ଭୋଟ୍ ଦେଇ ପ୍ରଚଣ୍ଡ ବହୁମତରେ ପୁଣି ଥରେ ସରକାର ଗଢ଼ିବା ପାଇଁ ଯାଉଛନ୍ତି ।

ଅବଦୁଲ୍ଲାକୁଟ୍ଟି କହିଛନ୍ତି, ମୋଦି ଗାନ୍ଧୀବାଦି ଚିନ୍ତାଧାରାରେ ଅନୁପ୍ରାଣିତ । ଗାନ୍ଧୀବାଦି ଚିନ୍ତାଧାରା ହିଁ ମୋଦିଙ୍କ ସଫଳତାର ସୂତ୍ର । ବିଜେପି ସରକାରର ସ୍ୱଚ୍ଛ ଭାରତ ଯୋଜନା, ଉଜ୍ଜଳା ଯୋଜନା ତଥା ଆଉ ଅନେକ ଲୋକ କଲ୍ୟାଣକାରୀ ଯୋଜନା ଗୁଡ଼ିକର ପ୍ରଶଂସା କରିଛନ୍ତି । ଜନତାଙ୍କ ପାଇଁ ହୋଇଥିବା ଜନକଲ୍ୟାଣ ଯୋଜନା ଗୁଡ଼ିକ ମଧ୍ୟ ମୋଦିଙ୍କ ବିଜୟର ପ୍ରମୁଖ କାରଣ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଅବଦୁଲ୍ଲାକୁଟ୍ଟି ୨୦୦୯ରେ ମୋଦିଙ୍କ ପ୍ରଶଂସା କରିଥିବାରୁ ମାକପାରୁ ତାଙ୍କୁ ବାହାର କରି ଦିଆଯାଇଥିଲା । ସେହି ସମୟରେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ । ଆଉ ପରେ ଅବଦୁଲ୍ଲାକୁଟ୍ଟି କଂଗ୍ରେସରେ ସାମିଲ ହୋଇଥିଲେ । ସେ ୧୯୯୯ ଓ ୨୦୦୪ରୁ କନ୍ନୁରରୁ ସାଂସଦ ଥିଲେ । ତେବେ ତାଙ୍କର ଏହି ମନ୍ତବ୍ୟ ପାଇଁ କେରଳର କଂଗ୍ରେସ ଅଧ୍ୟକ୍ଷ ସ୍ପଷ୍ଟୀକରଣ ମାଗିଛନ୍ତି ।