ନାଟକ ଚାଲିଛି କର୍ଣ୍ଣାଟକରେ : ମୁମ୍ବାଇ ଛାଡି ଗୋଆ ଗଲେ ବିଦ୍ରୋହୀ ବିଧାୟକ, ଆଜି କଂଗ୍ରେସ ବିଧାୟକ ଦଳ ବୈଠକ

89

କନକ ବ୍ୟୁରୋ : କର୍ଣ୍ଣାଟକରେ ଜାରି ରହିଛି ରାଜନୈତିକ ନାଟକ । ମେଂଟ ସରକାରକୁ ବଂଚାଇବା ପାଇଁ କଂଗ୍ରେସ ଓ ଜେଡିଏସ ନେତାଙ୍କ ଜୋରଦାର ପ୍ରୟାସ ଜାରି ରହିବା ଭିତରେ ୨ ଜଣ ସ୍ୱାଧୀନ ବିଧାୟକ ଏଚ ନାଗେଶ୍ ଓ ଆର ଶଙ୍କର ବିଦ୍ରୋହୀ ବିଧାୟକଙ୍କ ସହିତ ସାମିଲ ହୋଇଛନ୍ତି । କୁମାରସ୍ୱାମୀ ସରକାରରୁ ଏହି ୨ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ବିଦ୍ରୋହୀଙ୍କ ମେଳରେ ଯୋଗ ଦେଇଛନ୍ତି । ଫଳରେ କର୍ଣ୍ଣାଟକରେ ୨୨୪ ଆସନ ବିଶିଷ୍ଟ ବିଧାନସଭାରେ ମେଂଟ ସରକାର ଏବେ ଅଡୁଆରେ । ସରକାର ଗଠନ ପାଇଁ ମ୍ୟାଜିକ୍ ନଂବର ୧୦୩କୁ ଖସି ଆସିଛି । ତେବେ ବିଜେପିକୁ ବର୍ତମାନ ୧୦୭ ବିଧାୟକଙ୍କ ସମର୍ଥନ ଥିବାରୁ , ସମସ୍ତଙ୍କ ନଜର ରହିଛି ବିଜେପିର ରାଜନୈତିକ ଗୋଟି ଚାଳନା ଉପରେ । ମନ୍ତ୍ରୀପଦର ଲୋଭ ଦେଖାଇ ପୁଣି ଥରେ ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ଫେରାଇ ଆଣିବାକୁ ଜୋରଦାର ପ୍ରୟାସ ଚଳାଇଛି କଂଗ୍ରେସ ।

ମନ୍ତ୍ରିମଣ୍ଡଳରୁ ମନ୍ତ୍ରୀଙ୍କ ସାମୁହିକ ଇସ୍ତଫା ପରେ ମେଂଟ ସରକାର ପାଇଁ ସ୍ଥିତି ଜଟିଳ ହୋଇଛି । ୧୩ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସହିତ ଯୋଗ ଦେବାକୁ ମୁମ୍ୱାଇ ବାହାରି ଯାଇଛନ୍ତି ୨ ସ୍ୱାଧୀନ ବିଧାୟକ । ସେଠାରେ ସେମାନେ ସମସ୍ତେ ଗୋଆ ଯାଇଛନ୍ତି । ଏସବୁ ଭିତରେ ଆଜି ଇସ୍ତଫା ଦେଇଥିବା ବିଧାୟକଙ୍କୁ ନେଇ ବାଚସ୍ପତି କଣ ନିଷ୍ପତି ନେଉଛନ୍ତି କର୍ଣ୍ଣାଟକ ସରକାରଙ୍କ ଭାଗ୍ୟ ତା ଉପରେ ନିର୍ଭର କରୁଛି । ସ୍ଥିତିକୁ ସଜାଡିବାକୁ କଂଗ୍ରେସ ବେଙ୍ଗାଲୁରୁରେ ବିଧାୟକ ଦଳ ବୈଠକ ଡାକିଛି । ବିଦ୍ରୋହୀ ବିଧାୟକଙ୍କୁ ବୈଠକରେ ସାମିଲ ହେବାକୁ ହୁଇପ୍ ଜାରି କରିଛି ଦଳ ।