ନିମାପଡା ଓ ବଡଚଣା ପାଇଁ ନୂଆ ପ୍ରାଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ ! ବଡଚଣା ପାଇଁ ଅଜୟ ସାମଲଙ୍କୁ ମିଳିଲା ଟିକେଟ, ନିମାପଡାରୁ ସତ୍ୟବ୍ରତଙ୍କ ସ୍ଥାନରେ ଦିଲ୍ଲୀପ ନାୟକ ଲଢିବେ ନିର୍ବାଚନ

172

କନକ ବ୍ୟୁରୋ : ଆଉ ମାତ୍ର ଗୋଟିଏ ଦିନ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ୨୦୧୯ ମହାସମର ପାଇଁ ସୀପାହି ପ୍ରସ୍ତୁତ କରିସାରିଛନ୍ତି । ୨୦୧୯ରେ ଦେଖିବାକୁ ମିଳିବ ଜୋରଦାର ଲଢ଼େଇ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ନିର୍ବାଚନ ପ୍ରଚାର ।  ଗୋଟିଏ ପଟେ ପ୍ରଚାର ମଇଦାନ ସରଗରମ ଥିବାବେଳେ ଆଜି ପ୍ରାର୍ଥୀ ବଦଳାଇଛି କଂଗ୍ରେସ ।

ନିମାପଡା ଓ ବଡଚଣା ବିଧାନସଭା ଆସନ ପାଇଁ ଆଜି ନୂଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବଡଚଣାରୁ କଂଗ୍ରେସ ପ୍ରାର୍ଥୀ ହେବେ ଅଜୟ ସାମଲ । ଏଠାରୁ ନିର୍ବାଚନ ଲଢିବାକୁ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ମନା କରିଦେଇଥିଲେ । ସୀତାକାନ୍ତ ମହାପାତ୍ର ଟିକେଟ୍ ମିଳିବାରେ ବିଳମ୍ବରେ ଅଭିଯୋଗ ଦର୍ଶାଇ ଶେଷ ମୁହୂର୍ତ୍ତରେ ନିର୍ବାଚନ ଲଢିବାକୁ ମନାକରିଦେଇଥିଲେ । ଏହା ପରେ ଆଜି ସକାଳୁ ନୂଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ସେହିଭଳି ନିମାପଡାରୁ ଲଢିବେ ଦିଲ୍ଲୀପ ନାୟକ । ଆଜି ସେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଏଠାରେ ନିର୍ବାଚନ ଲଢିବାକୁ ସତ୍ୟବ୍ରତ ପାତ୍ର ମନାକରିଦେବା ପରେ ନୂଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଟିକେଟ ଘୋଷଣାରେ ବିଳମ୍ବ ଯୋଗୁଁ ସେ ଟିକେଟ ଫେରାଇ ଦେଇଥିଲେ। ଟିକେଟ ଫେରାଇବା ସହ ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ସତ୍ୟବ୍ରତ ।

ଦିନକୁ ଦିନ କଂଗ୍ରେସ ପାଇଁ ସଙ୍କଟ ବଢ଼ିବାରେ ଲାଗିଛି । କିଏ ଟିକେଟ ଘୋଷଣାରେ ବିଳମ୍ବ ପାଇଁ ଦଳ ଛାଡ଼ୁଛି ତ ଆଉ କିଏ ଟିକେଟ ପାଇ ମଧ୍ୟ ଫେରାଇ ଦେଉଛି । ଯାହା ପିସିସି ସଭାପତିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହା ପୂର୍ବରୁ ପିପିଲି ବିଧାନସଭା ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ, ତିର୍ତୋଲ୍ ପ୍ରାର୍ଥୀ ବିଭୁପ୍ରସାଦ ତରାଇ, କବିସୂର୍ଯ୍ୟନଗର ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀ ପ୍ରମୁଖ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ।