କନକ ବ୍ୟୁରୋ : ବିଜେପୁର ନିର୍ବାଚନ ପାଇଁ ସଜବାଜ ହେଉଛି କଂଗ୍ରେସ । ବିଜେପୁର ବିଜୟ ପାଇଁ ଆଜି ଠାରୁ କସରତ୍ ଆରମ୍ଭ କରିଛି କଂଗ୍ରେସ । କଂଗ୍ରେସ ଭବନରେ ବିଜେପୁର ନିର୍ବାଚନ ପାଇଁ ଜୋରସୋରେ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ବୈଠକ ବସିଛି । ଏହି ବୈଠକରେ ପିସିସି ସଭାପତିଙ୍କ ସମେତ ସମସ୍ତ ବିଧାୟକ ସାମିଲ ଅଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀରେ  ସଙ୍ଗଠନର ସ୍ଥିତି କପରି ରହିଛି ଏବଂ ସଙ୍ଗଠନକୁ ମଜଭୁତ କରିବା ପାଇଁ ସମସ୍ତ ଆଲୋଚନା ହେବାର ସମ୍ଭାବନା ରହିଛି ।

Advertisment

ଉଭୟ ଲୋକସଭା ଓ ବିଧାସଭାରେ ଶୋଚନୀୟ ପରାଜୟ ପରେ ବିଜେପୁର ଉପରେ କଂଗ୍ରେସର ଫୋକସ୍ । ତେଣୁ ଏଥର ଉପନିର୍ବାଚନରେ ଜଣେ ଦକ୍ଷ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇପାରେ କଂଗ୍ରେସ । ସାଧାରଣ ନିର୍ବାଚନରେ ଦଳ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କୁ ମଇଦାନକୁ ଓହ୍ଲାଇଥିଲା । ରିପୁଙ୍କ ଅଭିଜ୍ଞତା ବଳରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କୁହାଯାଉଥିଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ସାମ୍ନାରେ ତିଷ୍ଠି ପାରିନଥିଲେ ରିପୁନାଥ୍ । କଂଗ୍ରେସ ବିଜେପୁରରେ ଶୋଚନୀୟ ପ୍ରଦର୍ଶନ କରିଥିଲା ।

ତେଣୁ ଦଳ ସ୍ଥାନୀୟ ନେତାକୁ ଟିକଟ୍ ଦେବ ନା ବାହାରୁ ପ୍ରାର୍ଥୀ ଆମଦାନୀ କରିବ, ତାହା ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି । ତେଣୁ ଆଜିର ବୈଠକରେ ତୃଣମୂଳ ସ୍ତରରେ ସଂଗଠନକୁ କିପରି ସୁଦୃଢ କରାଯାଇପାରିବ, ସେଥିପାଇଁ ରୋଡମ୍ୟାପ ପ୍ରସ୍ତୁତ ହୋଇପାରେ । ସୂଚନା ମୁତାବକ, ୨୦୧୮ରେ ଉପ-ନିର୍ବାଚନ, ୨୦୧୯ରେ ସାଧାରଣ ନିର୍ବାଚନ ଏବଂ ଏବେ ବିଜେପୁରରେ ପୁଣି ଏକ ଉପ-ନିର୍ବାଚନ ହେବାକୁ ଯାଉଛି । ଯାହା ଦେଢ଼ ବର୍ଷ ମଧ୍ୟରେ ତୃତୀୟଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀରେ ଭୋଟ୍ ଦେଇ ନେତା ବାଛିବେ ବିଜେପୁରବାସୀ । ଦେଢ଼ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଭୋଟ୍ ଦେବେ ବିଜେପୁରବାସୀ ।