କଳ୍ପନା ଜଳ୍ପନାର ଅନ୍ତ ! ବାରାଣାସୀରେ ମୋଦିଙ୍କୁ ଚ୍ୟାଲେଞ୍ଜ ଦେବେ ଅଜୟ ରାୟ, ପ୍ରିୟଙ୍କା ଗାନ୍ଧୀଙ୍କ ବଦଳରେ ଅମାନତ ହରାଇଥିବା ପ୍ରାର୍ଥୀଙ୍କୁ ଟିକେଟ ଦେଲା କଂଗ୍ରେସ

392

କନକ ବ୍ୟୁରୋ : ସବୁ କଳ୍ପନା ଜଳ୍ପନାର ଅନ୍ତ । ବାରାଣାସୀ ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ରଣାଙ୍ଗନରେ ଓହ୍ଲାଇବାକୁ ନେଇ ଚର୍ଚ୍ଚା ଉପରେ ବ୍ରେକ୍ ଲଗାଇ ଅଜୟ ରାୟଙ୍କୁ ଟିକେଟ ଦେଇଛି ଦଳ । ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରଣାସୀ ସିଟରୁ ଅଜୟ ରାୟ ଲଢ଼ିବେ ନିର୍ବାଚନ । ୨୦୧୪ ନିର୍ବାଚନରେ ମଧ୍ୟ କଂଗ୍ରେସ ଅଜୟ ରାୟଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ଅଜୟ ୨୦୧୪ ଲୋକସଭା ନିର୍ବାଚନରେ ଅମାନତ ହରାଇଥିଲେ । ତେବେ ଅମାନତ ହରାଇଥିବା ପ୍ରାର୍ଥୀ ଉପରେ ପୁଣି ଭରସା କରିଛି କଂଗ୍ରେସ ।


ବାରାଣାସୀ କନଫ୍ୟୁଜନରେ ବ୍ରେକ୍ । ନିର୍ବାଚନ ବୈତରଣୀ ପାର ପାଇଁ ଅମାନତ ହରାଇଥିବା ପ୍ରାର୍ଥୀ ଉପରେ କଂଗ୍ରେସର ଭରସା । ଅଜୟ ରାୟ ବାରାଣାସୀ ସିଟରୁ ବିଧାୟକ ହୋଇଛନ୍ତି । ଅଜୟ ରାୟ ବିଜେପି ଟିକେଟରୁ ୧୯୯୬ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିଥିଲେ, ଆଉ ବିଜୟୀ ହୋଇଥିଲେ । ହେଲେ ତା’ପରେ ଅଜୟ ରାୟ ସପାରେ ସାମିଲ ହୋଇଥିଲେ । ୨୦୦୯ରେ ସପା ତରଫରୁ ନିର୍ବାଚନ ଲଢ଼ିଥିଲେ ହେଁ ବିଜୟ ଦୋହରାଇ ପାରିଲେ ନାହିଁ । ଆଉ ତା’ପରେ କଂଗ୍ରେସରେ ସାମିଲ ହୋଇ ୨୦୧୨ରେ ବିଧାୟକ ହୋଇଥିଲେ । ପରେ ୨୦୧୪ରେ ମୋଦିଙ୍କ ବିରୋଧରେ ବାରାଣାସୀରୁ ନିର୍ବାଚନ ମୈଦାନକୁ ଓଲହ୍ଲାଇଥିଲେ । ହେଲେ ୨୦୧୪ରେ ତାଙ୍କୁ ସଫଳତା ମିଳିଲା ନାହିଁ । ଲୋକସଭା ନିର୍ବାଚନରେ ମାତ୍ର ୭୫ ହଜାର ଭୋଟ୍ ପାଇଥିଲେ ।


କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାରାଣାସୀରୁ ନିର୍ବାଚନ ଲଢ଼ିବେ ବୋଲି କଳ୍ପନା ଜଳ୍ପନା ହେଉଥିଲା । ଏନେଇ ମଜାରେ ମଜାରେ କଂଗ୍ରେସ ମହାସଚିବ ମଧ୍ୟ ଇଙ୍ଗିତ କରିଥିଲେ । ତେବେ ଶେଷର ମୈଦାନରେ ଖେଳ ଓଲଟପାଲଟ ହୋଇଯାଇଛି । ପ୍ରିୟଙ୍କା ଗାନ୍ଧୀଙ୍କ ବଦଳରେ ଅଜୟ ରାୟଙ୍କୁ ଟିକେଟ ଦେଇଛି କଂଗ୍ରେସ । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀ ଲୋକସଭା ସିଟ୍ ପାଇଁ ୨୬ ଏପ୍ରିଲରେ ନାମାଙ୍କନ ଭରିବେ । ନାମାଙ୍କନ ଦାଖଲ ଅବସରରେ ଜେଡ଼ିୟୁ ଅଧ୍ୟକ୍ଷ ନୀତିଶ କୁମାର ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସହିତ ଅନେକ ବରିଷ୍ଠ ନେତା ଉପସ୍ଥିତ ରହିବ ।