କମ୍ପ୍ୟୁଟର ଶିକ୍ଷକଙ୍କ ଭବିଷ୍ୟତ ନେଇ ଗୃହରେ ଝଡ଼ : ନିଯୁକ୍ତି ନଦେଇ ଛଟେଇ କାହିଁକି କରାଯାଇଛି ବୋଲି ପ୍ରଶ୍ନ କଲେ ବିରୋଧୀ ଦଳ ନେତା ?

988

କନକ ବ୍ୟୁରୋ : ଛଟେଇ ହୋଇଛନ୍ତି ଓଡ଼ିଶାର ୪ ହଜାର କମ୍ପ୍ୟୁଟର ଶିକ୍ଷକ । ଫଳରେ ହଜାର ହଜାର ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ଓଡିଶାର ଚାରି ହଜ଼ାର ଉଚ୍ଚ ବିଦ୍ୟାଳୟରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାଗଣାରେ କମ୍ପୁଟର ଶିକ୍ଷା ସହିତ ଅନକ୍ଷନ୍ୟା ପାଠ ବିଷୟ ଗୁଡିକରେ ମଧ୍ୟ୍ୟ ଗୁଣାତ୍ମକ ଶିକ୍ଷା ପାଇ ପାରୁଥିଲେ । କମ୍ପ୍ୟୁଟର ଶିକ୍ଷକମାନେ ନିଜର ବୃତ୍ତି ହରାଇ ବେକାର ହୋଇ ବସିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ତେବେ ଆଜି କମ୍ପ୍ୟୁଟର ଶିକ୍ଷକଙ୍କ ଛଟେଇ ପ୍ରସଙ୍ଗ ନେଇ ଗୃହରେ ହଙ୍ଗାମା ହୋଇଛି । ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

ଆଜି ଶୂନ୍ୟକାଳରେ ସ୍କୁଲରେ କମ୍ପ୍ୟୁଟର ଶିକ୍ଷକ ଛଟେଇ ପ୍ରସଙ୍ଗ ଉଠିଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ନେଇ ପ୍ରଶ୍ନ କରିଛନ୍ତି, ଶିକ୍ଷକ ନିଯୁକ୍ତି ନ ଦେଇ ସରକାର କାହିଁକି ଆଉଟସୋର୍ସିଙ୍ଗ କରିଛନ୍ତି । ଯଦ୍ୱାରା ସଂପୃକ୍ତ ସଂସ୍ଥା କମିଶନ ରଖି ମାଲାମାଲ ହେଉଛନ୍ତି । ସରକାର ବଣି ମାରି ଝିଂଟିକା ପୋଷୁଛନ୍ତି । ବେକାର ଶିକ୍ଷକ ଖରାପ ରାସ୍ତାରେ ଯିବାର ସମ୍ଭାବନା ରହିଛି । ୪ ହଜାର କମ୍ପ୍ୟୁଟର ଶିକ୍ଷକଙ୍କୁ ଛଟେଇ କରାଯାଇଛି ।

ତେବେ ଏହି ଛଟେଇ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ୪ ହଜାର ଶିକ୍ଷକ ଛଟେଇ ହେବା ନିଶ୍ଚିତ ଭାବେ ଦୁଃଖଦ ଘଟଣା । କିନ୍ତୁ ଏମାନଙ୍କୁ ସରକାର ନିଯୁକ୍ତି ଦେଇନଥିଲେ । ଟେଣ୍ଡର ମାଧ୍ୟମରେ ଏକ ସର୍ଭିସ ପ୍ରୋଭାଇଡର ନିଯୁକ୍ତି ଦେଇଥିଲେ । ଯାହାର ଅବଧି ୫ ବର୍ଷ ଥିଲା । ଖୁବଶୀଘ୍ର ୨ ହଜାର ସ୍କୁଲରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଦିଆଯିବ । ଆଉ ସେତେବେଳେ ହିଁ ଛଟେଇ ଶିକ୍ଷକଙ୍କ କଥା ଚିନ୍ତା କରାଯିବ ।