କନକ ବ୍ୟୁରୋ : ବୟସ ଅନୁପାତରେ ଓଡ଼ିଶାରେ ପିଲାମାନଙ୍କ ଉଚ୍ଚତା କମ୍ । କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଏବଂ କମ୍ପ୍ରେନସିଭ୍ ନ୍ୟାସନାଲ ନ୍ୟୁଟ୍ରିସନ ସର୍ଭେ (ସିଏନ୍ଏନ୍ଏସ୍) ଦ୍ବାରା କରାଯାଇଥିବା ସର୍ଭେରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ରାଜ୍ୟରେ ବୟସ ଅନୁସାରେ ପିଲାଙ୍କ ଉଚ୍ଚତା କମ୍ ହେଉଥିବା କ୍ଷେତ୍ରରେ ୮ ପ୍ରତିଶତ ପିଲା ରହିଛନ୍ତି । ସର୍ବଭାରତୀୟ ସ୍ତରରେ ଏହା ହେଉଛି ୧୩.୨ ପ୍ରତିଶତ ରହିଛି। ଦେଶର ୧୧ ଲକ୍ଷ ୨୦ ହଜାର ପିଲାଙ୍କୁ ନେଇ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି । ଗବେଷଣାରେ ୟୁନିସେଫ୍ ପପୁଲେସନ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ସହାୟତା ମଧ୍ୟ ନିଆଯାଇଥିଲା ।
ଗବେଷଣାରେ ୩ ବର୍ଗର ପିଲା- ୦-୫ ବର୍ଷ, ୫-୧୦ ବର୍ଷ ଏବଂ ୧୦-୧୯ ବର୍ଷର ପିଲା ସାମିଲ ଥିଲେ । ସର୍ଭେରେ ଉଚ୍ଚତା ବୃଦ୍ଧି ହେଉଥିଲେ ସୁଦ୍ଧା ଓଜନ ବୃଦ୍ଧି ନଥିବା ବର୍ଗରେ ଓଡ଼ିଶା ୧୩.୯ ପ୍ରତିଶତ ରହିଛି। ସର୍ବଭାରତୀୟ ସ୍ତରରେ ୧୭.୩ ପ୍ରତିଶତ ରହିଛି। ରକ୍ତହୀନତାରେ କିଶୋରୀଙ୍କ ପ୍ରତିଶତରେ ଓଡ଼ିଶା ଜାତୀୟ ହାରଠାରୁ ଅଧିକ ରହିଛି। କିଶୋରୀଙ୍କ ସଂଖ୍ୟା ଜାତୀୟ ସ୍ତରରେ ୩୯.୬ ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ଏହାର ପ୍ରତିଶତ ରହିଛି ୪୧.୦୫। ୧-୪ ବର୍ଷ ବୟସ ସୀମା ମଧ୍ୟରେ ୩୬.୨ ପ୍ରତିଶତ ପୁଅ ରକ୍ତହୀନତାର ଶିକାର ହେଉଥିବା ବେଳେ ଝିଅମାନଙ୍କ ହାର ହେଉଛି ୩୮.୨ ପ୍ରତିଶତ।କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ଜାତୀୟ ପୋଷଣ ମିସନ ନେଇ ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେଥିରେ ଓଡ଼ିଶା ହାସଲ କରିବାରେ ବିଫଳ ହେବ ବୋଲି ରିପୋର୍ଟରେ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଜାତୀୟ ପରିବାର ସ୍ବାସ୍ଥ୍ୟ ମିସନ ପକ୍ଷରୁ ପ୍ରତି ୫ ବର୍ଷରେ ଏହି ଗବେଷଣା ହେଉଥିଲା। ପ୍ରଥମଥର ପାଇଁ ସିଏନ୍ଏନ୍ଏସ୍ ଦ୍ବାରା ଏହି ଗବେଷଣାରେ ଅନେକ ଆହ୍ବାନ ଓ ଗୁରୁତ୍ବପୂର୍ଣ୍ଣ କଥା ରହିଛି । ଏବଂ ଏହାର ନିରାକରଣ ପାଇଁ ଖୁବ୍ଶୀଘ୍ର ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସିଏନଏନଏସର କାର୍ଯ୍ୟକାରୀ ନିର୍ଦ୍ଦେଶକ ସୁଜିତ ରଞ୍ଜନ କହିଛନ୍ତି।