ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ବହୁ ବିଦେଶୀ ଅତିଥି : ବିଲ ଗେଟସ୍, ଜନ୍ ଚାମ୍ବର୍ସଙ୍କୁ ନିମନ୍ତ୍ରଣ, ସାମିଲ ହେବେ ବାଂଲାଦେଶ, ଶ୍ରୀଲଙ୍କା, ମରିସସ୍, ନେପାଳ ରାଷ୍ଟ୍ରମୁଖ୍ୟ

279

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥଗ୍ରହଣ ଉତ୍ସବ । ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ଦେଶ ବିଦେଶର ବିଶିଷ୍ଟ ବ୍ୟକ୍ତି । ସୂଚନା ଅନୁସାରେ ଶପଥଗ୍ରହଣ ଉତ୍ସବରେ ପ୍ରାୟ ୬ ହଜାରରୁ ଅଧିକ ଅତିଥିଙ୍କ ସମାଗମ ହେବ । ଶପଥ ଗ୍ରହଣ ଉତ୍ସବରେ ବିଦେଶୀ ଅତିଥି, ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଅନ୍ୟ ଅତିଥି ଯୋଗ ଦେବେ । ବିଶିଷ୍ଟ ଉଦ୍ୟୋଗପତିଙ୍କ ମଧ୍ୟରେ ସାମିଲ ହେଉଛନ୍ତି ରତନ ଟାଟା, ଅଜୟ ପିରାମଲ୍, ଜନ୍ ଚାମ୍ବର୍ସ । ସେହିପରି ବିଲ୍ ଗେଟସଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି । ଫିଲ୍ମ ଷ୍ଟାର ଶାହାରୁଖ ଖାନ୍, ରଜନୀକାନ୍ତ, କଙ୍ଗନା ରଣାୱତ୍, ସଂଜୟ ଲୀଲା ବଂଶାଲି, କରନ ଜୋହରଙ୍କୁ ନିମନ୍ତ୍ରଣ କରାଯାଇଛି । ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ, ଅନୀଲ କୁମ୍ୱଲେ, ହରଭଜନ ସିଂ, ବ୍ୟାଡମିଂଟନ ଖେଳାଳି ସାଇନା ନେହୱାଲ ମଧ୍ୟ ମୋଦିଙ୍କ ଅତିଥୀ ଭାବେ ସାମିଲ ହେବେ ।

ସେହିପରି ପାକିସ୍ତାନକୁ ବାଦ୍ ଦେଲେ ଅନ୍ୟ ପଡୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କାରାଯାଇଛି । ସାର୍କ ଦେଶରେ ରହିଥିବା ରାଷ୍ଟ୍ର ସମୁହର ରାଷ୍ଟ୍ରନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା, ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି , ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ସେରିଂ, ଶ୍ରୀଲଙ୍କା ରାଷ୍ଟ୍ରପତି ମୈତିପାଲ୍ ସିରିସେନା, ମିଆଁମାର ରାଷ୍ଟ୍ରପତି ୟୁ ୱିନ୍ ମିନ୍ତ, କିରଗିଜସ୍ଥାନ ରିପବ୍ଲିକ୍ ରାଷ୍ଟ୍ରପତି ସୋରନୋବେ ଜିନବେକୋଭ, ମରିସସ ପ୍ରଧାନମନ୍ତ୍ରୀ ପ୍ରବିଣ କୁମାର ଜୁଗନାଥଉଥ୍ ଉତ୍ସବରେ ସାମିଲ ହେଉଛନ୍ତି ।

ବିଜେପି ଶାସିତ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆନ୍ଧ୍ରପ୍ରଦେଶର ଭାବି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପ୍ରମୁଖ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ ଏହି ଉତ୍ସବରେ ଯୋଗ ଦେବେ ବୋଲି ଜଣାପଡିଛି । ତେବେ ଏହି ଶପଥ ଗ୍ରହଣ ପାଇଁ ମୋଦିଙ୍କୁ ଶୁଭେଛା ଜଣାଇଥିଲେ ମଧ୍ୟ ନବୀନ ପଟ୍ଟନାୟକ ଯୋଗ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଆସନ୍ତା ଦୁଇ ଦିନ ଧରି ନୂଆ ବିଧାୟକମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଥିବାରୁ ମୋଦୀଙ୍କ ଉତ୍ସବରେ ଯୋଗ ଦେଇପାରିବେ ନାହିଁ ବୋଲି କହିଛନ୍ତି ନବୀନ ।