କନକ ବ୍ୟୁରୋ : ଦିଲ୍ଲୀରେ ସଂକ୍ରମଣ ମାମଲା ହଠାତ୍ ବଢ଼ିଯାଇଛି ଏବଂ ଏଠାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି। ଦିଲ୍ଲୀରେ ୫୦ ପ୍ରତିଶତ କରୋନା ରୋଗୀ କେଉଁଠୁ ସଂକ୍ରମିତ ହୋଇଛନ୍ତି ତାହା ଜଣାପଡ଼ୁନି। ତେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, କେନ୍ଦ୍ର ସରକାରଙ୍କ ଅନୁଯାୟୀ ଦେଶରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇନି। ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଦିଲ୍ଲୀରେ ମୋଟ୍ ମାମଲାର ୫୦ ପ୍ରତିଶତ କ୍ଷେତ୍ରରେ ସଂକ୍ରମଣର ମୂଳ ଉତ୍ସ ଜଣାପଡ଼ୁନଥିବାରୁ ଏହାକୁ ଗୋଷ୍ଠୀ ସଂକ୍ରମଣ ବୋଲି ସନ୍ଦେହ କରାଯାଉଛି। ତେବେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି କି ନା’ ତାହା କେବଳ କେନ୍ଦ୍ର ସରକାର ହିଁ ଘୋଷଣା କରିପାରିବେ ବୋଲି ସେ କହିଛନ୍ତି।
ଦିଲ୍ଲୀରେ ଏବେ ମାମଲା ଯେଭଳି ଦ୍ବିଗୁଣା ହେଉଛି ତାହା ଆକଳନ କଲେ ଜଣାପଡ଼ୁଛି ଯେ, ଜୁଲାଇ ୩୧ ସୁଦ୍ଧା ଦିଲ୍ଲୀରେ ସଂକ୍ରମଣ ମାମଲା ସାଢ଼େ ପାଞ୍ଚ ଲକ୍ଷରେ ପହଞ୍ଚିଯିବ। ଉପମୁଖ୍ୟମନ୍ତ୍ରୀ ସିସୋଦିଆ କହିଛନ୍ତ, ଦିଲ୍ଲୀରେ ଏବେ ପ୍ରତି ୧୨-୧୩ ଦିନରେ ମାମଲା ଦ୍ବିଗୁଣା ହେଉଛି। ଜୁଲାଇ ୩୧ ବେଳକୁ ଏହା ସାଢ଼େ ପାଞ୍ଚ ଲକ୍ଷରେ ପହଞ୍ଚିଥିବ। ସେତେବେଳକୁ ଆମକୁ ୮୦ ହଜାର ବେଡ୍ ଆବଶ୍ୟକ ହେବ। ତେଣୁ ଆଗକୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରାୟ ୬୦ ହଜାର ବେଡ୍ ପ୍ରସ୍ତୁତ ରଖିବାକୁ ପଡ଼ିବ। ଦିଲ୍ଲୀ ସରକାରଙ୍କ ଆକଳନ ଅନୁଯାୟୀ ଦିଲ୍ଲୀରେ ଜୁନ୍ ୩୦ ସୁଦ୍ଧା ୧ ଲକ୍ଷ ଏବଂ ଜୁଲାଇ ୧୫ ସୁଦ୍ଧା ମାମଲା ୨.୨୫ ଲକ୍ଷରେ ପହଞ୍ଚିଯିବ। ୫୨ ଦିନରେ ଦିଲ୍ଲୀ ସରକାରଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରାୟ ୬୦ ହଜାର ବେଡ୍ ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ସିସୋଦିଆ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/38-1.jpg)