କନକ ବ୍ୟୁରୋ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଆଉ ୨ଟି ସ୍ୱର୍ଣ୍ଣ । କୁସ୍ତିର ୫୭ କିଲୋଗ୍ରାମ ବର୍ଗରେ ରାହୁଲ ଆୱରେ ଓ ୭୪ କେଜି ଫ୍ରିଷ୍ଟାଇଲରେ ସୁଶୀଲ କୁମାରଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ ରାହୁଲଙ୍କ ଏହା ହେଉଛି ପ୍ରଥମ ପଦକ । କାନାଡାର ପ୍ରତିଦ୍ୱନ୍ଦୀ କୁ ସେ ହରାଇ ଏହି ସ୍ୱର୍ଣ୍ଣ ଜିତିଛନ୍ତି । ଫାଇନାଲ ମୁକାବିଲାରେ ସାଉଥ ଆଫ୍ରିକାର ଜନଓ ବୋଥାଙ୍କୁ ହରାଇ ରାଜ୍ୟ ଗୋଷ୍ଠି କ୍ରୀଡାରେ କ୍ରମାଗତ ତୃତୀୟ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ସୁଶୀଲ କୁମାର । ଏହି ବିଜୟ ସହ ଭାରତର କୁସ୍ତିରେ ପଦକ ସଂଖ୍ୟା ୪ରେ ପହଚିଂଛି ।
ସେହିପରି ଆଜି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିବସରେ ମହିଳା ୫୦ ମିଟର୍ ରାଇଫଲ୍ ପ୍ରୋନ୍ର ଚୂଡ଼ାନ୍ତ ପର୍ଯ୍ୟାୟରେ ତେଜସ୍ୱିନୀ ସାଓ୍ଵନ୍ତଙ୍କୁ ରୌପ୍ୟ ପଦକ ମିଳିଛି । ସିଙ୍ଗାପୁରର ମାର୍ଟିନା ଲିଣ୍ଡ୍ସେ ବେଲୋସୋ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଏହି ରୌପ୍ୟ ପଦକ ସହ ଭାରତର ପଦକ ସଂଖ୍ୟା ହେଲା ୨୫ । ୩୭ ବର୍ଷୀୟ ସାଓ୍ଵନ୍ତଙ୍କ ପାଇଁ ଏହା ଥିଲା ଷଷ୍ଠ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ । ସେ ୨୦୦୬ରେ ଦୁଇଟି ସ୍ୱର୍ଣ୍ଣ ଏବଂ ୨୦୧୦ରେ ଦୁଇଟି ରୌପ୍ୟ ଏବଂ ୨୦୧୦ରେ ଗୋଟିଏ କାଂସ୍ୟ ପଦକ ପାଇଥିଲେ । ୨୦ ପ୍ରତିଯୋଗୀ ବିଶିଷ୍ଟ ଅନ୍ତିମ ପର୍ଯ୍ୟାୟରେ ସାଓ୍ଵନ୍ତ ୧୦୨. ୧, ୧୦୨. ୪, ୧୦୩. ୩, ୧୦୨. ୮, ୧୦୩୭. ୭ ଏବଂ ୧୦୪. ୭ ସିରିଜ୍ରେ ବନ୍ଧୁକ ଚାଳନା କରି ସମୁଦାୟ ୬୧୮. ୯ ସଟ୍ ଖେଳିଥିଲେ । ଭେଲୋସୋ ସମୁଦାୟ ୬୨୧ ସଟ୍ ଖେଳି ସ୍ୱର୍ଣ୍ଣ ପଦକ ପାଇଛନ୍ତି । ସ୍କଟ୍ଲାଣ୍ଡ୍ର ସିଓନେଡ୍ ମ୍ୟାକ୍ଇନ୍ତୋସ୍ ୬୧୮. ୧ ସଟ୍ ଖେଳି କାଂସ୍ୟ ପଦକ ପାଇଛନ୍ତି ।