କନକ ବ୍ୟୁରୋ : ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ୍ ପରେ ଆକ୍ସନ ମୋଡକୁ ଆସିଛି କମିଶନରେଟ୍ ପୋଲିସ । ୩ ମାସରେ ପ୍ରାୟ ୩ ଶହ ଅପରାଧ ପରେ ପୋଲିସ ସ୍ମାର୍ଟ ସିଟିରେ ଆରମ୍ଭ କରିଛି ଜୋରଦାର ତଲାସି ଅଭିଯାନ । ଦିନକ ତଳେ ଗୋଟିଏ ରାତିରେ ତିନି ତିନିଟି ସ୍ଥାନରେ ଲୁଟ୍ ଏବଂ ସହର ମଝିରେ ବ୍ୟବସାୟୀଙ୍କୁ ଆକ୍ରମଣ, ରାଜଧାନୀ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା । ଗତକାଲି ହାଇସ୍ପିଡ୍ ବାଇକରେ ଆସି ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ବେଧଡକ ଲୁଟ୍ କରିଛନ୍ତି ଦୁର୍ବୃତ । ଏହା ପରେ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିଲେ ଲୋକେ । ଆଉ ଏହି ଅପରାଧ ପରେ ଏବେ ଆକ୍ସନ ମୋଡକୁ ଆସିଯାଇଛି କମିଶନରେଟ୍ ପୋଲିସ ।

Advertisment

ରାଜଧାନୀର ଗଳିକନ୍ଦି ଉପରେ କମିସନରେଟ୍ ପୋଲିସର କଡ଼ା ନଜର । ଆଉ ଖସିପାରିବେନି ଅପରାଧୀ । ରାଜଧାନୀରେ ଦିନକୁ ଦିନ ଅପରାଧ ବଢ଼ିଚାଲିଛି । ସ୍ପଷ୍ଟ ଦିବାଲୋକରେ ଲୁଟ ଓ ଆକ୍ରମଣର ଶିକାର ହେଉଛନ୍ତି ରାଜଧାନୀବାସୀ । ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ଲୁଟୁଛନ୍ତି ଦୁର୍ବୃତ୍ତ । ଏପରିସ୍ଥଳେ ଅସୁରକ୍ଷିତ ଭୁବନେଶ୍ୱରବାସୀକୁ ସୁରକ୍ଷା ଦେବା ପାଇଁ ଶେଷରେ ଅଣ୍ଟା ଭିଡ଼ିଛି ପୋଲିସ୍ । ରାତିସାରା ସହର ସାରା ପାଟ୍ରୋଲିଂ କରିଛି ପୋଲିସ୍ । ରାଜଧାନୀ ଭୁବନେଶ୍ୱରର ରସୁଲଗଡ, ଆଚାର୍ଯ୍ୟ ବିହାର, ଏୟାରପୋର୍ଟ, ପାହାଳ ପରି ବିଭିନ୍ନ ସ୍ଥାନରେ ସାରା ରାତି ବ୍ଲକିଂ ଓ ଚେକିଂ କରିଛି କମିଶନରେଟ୍ ପୋଲିସ ।

କେବଳ ଯେ ଭୁବନେଶ୍ୱରରେ ତା’ନୁହେଁ କଟକରେ ମଧ୍ୟ ବିଭିନ୍ନ ସ୍ଥାନରେ ଚେକିଂ ହୋଇଛି । ସିରିଜ୍ ଅପରାଧ, ଲୁଟ୍ ପାଟ ଚଳାଉଥିବା ଅପରାଧୀଙ୍କୁ ଧରିବାକୁ ଏବେ ସବୁ ବଳ ଖଟେଇ ଦେଇଛି କମିଶନରେଟ୍ ପୋଲିସ । ତେବେ କମିସନରେଟ୍ ପୋଲିସର ଏହି ପଦକ୍ଷେପ ପରେ ରାଜଧାନୀରେ ଲୁଟତରାଜ ଓ ଆକ୍ରମଣ କରୁଛି ନା ନାହିଁ ଆଗକୁ ଦେଖିବାକୁ ବାକି ରହିଲା ।