ଲୋକସେବା ଭବନରେ ମାର୍ଗଦର୍ଶନ ଦେଲେ ନବୀନ : ଗଣତନ୍ତ୍ରରେ ଲୋକ ହେଉଛନ୍ତି ପ୍ରକୃତ ମାଲିକ, ନିଜ ଦାୟିତ୍ୱ ଠିକ ଭାବେ ତୁଲାଇବାକୁ  ଜିଲ୍ଲାପାଳଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

267

କନକ ବ୍ୟୁରୋ : ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ । ଲୋକସେବା ଭବନରେ ଅନୁଷ୍ଠିତ ଜିଲ୍ଲାପାଳ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।  ଲୋକସେବା ଭବନରେ ଆଇଏଏସ୍ ସମ୍ମିଳନୀରେ ଦିଗଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଜିଲ୍ଳାପାଳଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଗତ କିଛି ମାସ ହେଲା ସରକାରଙ୍କ ଫୋକସରେ ଥିବା ‘୫-ଟି’ ଓ ‘ମୋ ସରକାର’କୁ ବ୍ୟାପକ ଓ ସଫଳ କରିବା ପାଇଁ ନବନିର୍ମିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେଇଛନ୍ତି । ପଞ୍ଚମ ପାଳିରେ ଏହା ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ ।

ଜିଲ୍ଲାପାଳ ସମ୍ମିଳନୀରେ ଛାତ୍ରଙ୍କ ଶିକ୍ଷା ଓ  ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଲେ ନବୀନ । ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଇବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି  । ନବୀନଙ୍କ ପଞ୍ଚମ ପାଳିରେ ସାଧାରଣ ଜନତାଙ୍କୁ ଉର୍ଦ୍ଧ୍ୱରେ ରଖି ତଥା ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ କହିଛନ୍ତି, ଆମ ସରକାର ଉପରେ ସାଧାରଣ ଲୋକଙ୍କର ଅତୁଟ ଆଶା ଓ ବିଶ୍ୱାସ ରହିଛି । ଆମ ବପା ଆଉ ମା ଭଳି ସ୍ୱାସ୍ଥ୍ୟ ସେବା ସମସ୍ତେ ପାଆନ୍ତୁ ।

ଲୋକମାନେ ହିଁ ଆମର ପ୍ରଭୁ । ସେମାନେ ହିଁ ଶାସନର ବିନ୍ଦୁ । ଗଣତନ୍ତ୍ରରେ ଲୋକେ ମାଲିକ । ଲୋକଙ୍କ ସେବାପାଇଁ ମୋ ସରକାର କଠିନ ପରିଶ୍ରମ କରୁଛି । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ନେଇ ଆମ ପରିବାର ।  ଲୋକଙ୍କୁ ସର୍ବଶ୍ରେଷ୍ଠ ସେବା ପ୍ରଦାନ କରିବା ଆମର କର୍ତ୍ତବ୍ୟ । ଜନତାଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଆମ ଲକ୍ଷ୍ୟ ହେବା ଉଚିତ । ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟକ ବ୍ୟକ୍ତିକୁ ମର୍ଯ୍ୟାଦା ଦେବା ଆବଶ୍ୟକ । ଲୋକଙ୍କ ଆଶିର୍ବାଦରୁ ୨୦ ବର୍ଷ ହେବ ସେବାର ସୁଯୋଗ ମିଳିଛି । ଫାଇଭ ଟି ଓ ମୋ ସରକାରରେ ଅମର କାର୍ଯ୍ୟ ପ୍ରତିଫଳିତ ହେବ । ଲୋକଙ୍କ ଟଙ୍କାରେ ଆମେ ଦରମା ପାଉଛୁ, ପଞ୍ଚମ ପାଳିରେ ଉତ୍କୃଷ୍ଟ ସେବା ଯୋଗାଇବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିରେ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିବା ଜଣାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଏହା ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ ହୋଇଥିବାରୁ ପ୍ରଶାସନିକ ମହଲରେ ଏହାକୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି।