ସରକାରୀ ହସ୍ପିଟାଲରେ ଜନ୍ମହେଲା ବଡ଼ବାବୁଙ୍କ ପିଲା : ଜନସଚେତନତା ଓ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତି ବିଶ୍ୱାସ ବଢ଼ାଇବାକୁ ମାଲକାନଗିରି ଜିଲ୍ଲାପାଳଙ୍କ ଉଦ୍ୟମ

1,238

କନକ ବ୍ୟୁରୋ : ସରକାରୀ ହସ୍ପିଟାଲରେ ଜନ୍ମନେଲା ବଡ଼ବାବୁଙ୍କ ପିଲା । ସନ୍ତାନ ପ୍ରସବ ପାଇଁ ସରକାରୀ ଡାକ୍ତରଖାନାକୁ ବାଛିଲେ ମାଲକାନଗିରି ଜିଲ୍ଲାପାଳ । ଆଜିକାଲି ଲୋକେ ପାଣି ପରି ଟଙ୍କା ଖର୍ଚ୍ଚ କରି ବେସରକାରୀ ମେଡ଼ିକାଲକୁ ଧାଉଁଛନ୍ତି । ସମସ୍ତଙ୍କ ମନରେ ଧାରଣା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଅପେକ୍ଷା ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତମ ଚିକିତ୍ସା ସୁବିଧା ମିଳୁଛି । ଆଉ ଏହାର ଫାଇଦା ଉଠାଉଛନ୍ତି ବେସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ । ଚିକିତ୍ସା ଆଳରେ ରୋଗୀ ତଥା ରୋଗୀଙ୍କ ପରିବାରକୁ ହଇରାଣରେ ପକାଉଛନ୍ତି । ରୋଗୀଙ୍କୁ ଶୋଷଣ କରୁଛନ୍ତି । ଗୋଟିଏ ପଟେ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତି ଲୋକଙ୍କ ଆସ୍ଥା କମୁଥିବା ବେଳେ ଜିଲ୍ଲାପାଳଙ୍କ ଏହି ନିଆରା ଉଦ୍ୟମ ଉଦାହରଣ ସୃଷ୍ଟି କରିଛି । ସରକାରୀ ସ୍ୱାସ୍ଥ୍ୟସେବା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଜନ୍ମାଇବା ପାଇ ମାଲକାନଗିରି ଜିଲ୍ଲାପାଳଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ ।

ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ । ସେ ଚାହିଁଥିଲେ ଅଧିକ ଟଙ୍କା ଖର୍ଚ୍ଚ କରି ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ଥିବା ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀଙ୍କ ପ୍ରସବ କରାଇପାରିଥାନ୍ତେ । କିନ୍ତୁ ସେପରି ନକରି  ସରକାରୀ ଡାକ୍ତରଖାନାରେ ନିଜ ସନ୍ତାନର ପ୍ରସବ କରାଇ ସରକାରୀ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିବାକୁ ବାର୍ତ୍ତା ଦେଇଛନ୍ତି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ତାଙ୍କ ପତ୍ନୀ ସୋନମ ଅଗ୍ରୱାଲ । ଗର୍ଭାବସ୍ଥା ଆରମ୍ଭ ଠାରୁ ପ୍ରସବ ଯାଏଁ, ପୁରା ପ୍ରକ୍ରିୟା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରାଇଥିଲେ ଅଗ୍ରଓାଲ ଦମ୍ପତି ।

ରଥଯାତ୍ରା ପୂର୍ବ ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ଯୋଗୁ ମାଲକାନଗିରି ଡାକ୍ତରଖାନାରେ ପତ୍ନୀଙ୍କୁ ଭର୍ତ୍ତି କରାଇଥିଲେ । ସାମାନ୍ୟ ପ୍ରସବରେ କିଛିଟା ସମସ୍ୟା ଥିବାରୁ ତୁରନ୍ତ ଅସ୍ତ୍ରପୋଚାର ଲାଗି ପରାମର୍ଶ ଦେଇଥିଲେ ଡାକ୍ତର । ଏବଂ ତୁରନ୍ତ ଅସ୍ତ୍ରପୋଚାର କରି ରଥଯାତ୍ରା ଦିନ ଏକ ପୁତ୍ର ସନ୍ତାନକୁ ଜନ୍ମ କରାଇଥିଲେ ଡାକ୍ତରୀ ଦଳ । ଅସ୍ତ୍ରପୋଚାର ପରେ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣା ପଡିଛି । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ସୁବିଧା ଉପଲବ୍ଧ । ତେଣୁ ସେଠାରେ ଚିକିତ୍ସା କରାବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ମନିଷ ଅଗ୍ରୱାଲ ।

କେବଳ ଗରିବଗୁରୁବା ସରକାରୀ ଡାକ୍ତରଖାନା ଉପରେ ନିର୍ଭର କରୁଥିବାବେଳେ ଜିଲ୍ଲାପାଳଙ୍କ ଏହି କାର୍ଯ୍ୟ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଆସ୍ଥା ପ୍ରକଟ କରିବାକୁ ଅନ୍ୟମାନଙ୍କୁ ଭରଷା ଦେବ ବୋଲି ଆଶା କରାଯାଉଛି । କିଛି ଦିନ ତଳେ ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସଙ୍କ ଟିକଟିକ୍ ଭିଡିଓ ଚର୍ଚ୍ଚାରେ ରହିଥିଲା । ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ କର୍ମଚାରୀଙ୍କ ଏହି ବ୍ୟବହାର ଏକ ନକରାତ୍ମକ ଛବି ତିଆରି କରିଥିଲା । ହେଲେ ଜିଲ୍ଲାପାଳଙ୍କ ଭିନ୍ନ ପ୍ରୟାସ ଯୋଗୁଁ ନକରାତ୍ମକ ଛବିରେ ସୁଧାର ଆସିବା ସହ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତି ଲୋକଙ୍କ ବିଶ୍ୱାସ ଆସିବ ବୋଲି ଆଶା କରାଯାଉଛି ।