ଲେଉଟିଲା ଶୀତ : ସୋନପୁର ସବୁଠାରୁ ଥଣ୍ଡା ସହର

236

କନକ ବ୍ୟୁରୋ : ଆଜି ରାଜ୍ୟରେ ପୁଣି ହାଡ଼ଭଙ୍ଗା ଜାଡ଼ ଫେରିଥିବା ଜଣାଯାଇଛି । ଆଜି ସୋନପୁର ସବୁଠାରୁ ଥଣ୍ଡା ସହର ବୋଲି ଜଣାପଡ଼ିଛି  । ଏଠାକାର ସର୍ବନିମ୍ନ ତାପମାତ୍ରା ରହିଛି ୭.୫ ଡିଗ୍ରି ସେଲସିଅସ୍। ଆଜି ରାଜ୍ୟର ୩ଟି ସହରର ତାପମାତ୍ରା ୧୦ ଡିଗ୍ରି ସେଲସିଅସ୍ ତଳେ ଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ସେଲସିଅସ୍ ରହିଥିବା ବେଳେ ଫୁଲବାଣୀରେ ୧୦ ଡିଗ୍ରି ସେଲସିଅସ୍ ରହିଛି । ମୋଟାମୋଟିଭାବେ କହିବାକୁ ଗଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪ରୁ ୫ ଡିଗ୍ରି ସେଲସିଅସ୍ ଯାଏ ତାପମାତ୍ରା ହ୍ରାସ ପାଇଛି ।

ଆଜି ସକାଳୁ ସକାଳୁ ଉପକୂଳ ଓଡ଼ିଶା ସମେତ ମଧ୍ୟ ଓଡ଼ିଶାରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ମଧ୍ୟ ଦେଖିବାକୁ ମିଳିଛି ବହଳିଆ କୁହୁଡ଼ିଆ ଆସ୍ତରଣ । ସେହିପରି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ବି ସକାଳୁ ସକାଳୁ ଦେଖିବାକୁ ମିଳିଛି କୁହୁଡ଼ିର ପ୍ରଭାବ । ସକାଳେ ସକାଳେ କୁହୁଡ଼ି ପରିମାଣ ଏତେ ରହିଛି ଯେ ସାଧାରଣ ଗାଡ଼ିମୋଟର ଯାତାୟତ ବି ପ୍ରଭାବିତ ହୋଇଥିବା ଜଣାଯାଇଛି। ତେବେ ଆସନ୍ତା ୮ ଓ ୯ ତାରିଖରେ ରାଜ୍ୟର କେତେକ ସ୍ଥାନରେ ଝିପିଝିପି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।