ଜନତା କର୍ଫ୍ୟୁ ବେଳେ ଲୋକେ ଭୁଲିଗଲେ ମୂଳ ଲକ୍ଷ୍ୟ : ସଂଧ୍ୟା ୫ଟାରେ ତାଳି ମାରିବାକୁ ବାନ୍ଧିଲେ ମେଳି, ସାମାଜିକ ଦୂରତା ବୃଦ୍ଧି ପାଇଁ ମୋଦୀ ଦେଇଥିଲେ ଆହ୍ୱାନ

958

କନକ ବ୍ୟୁରୋ : ଗତକାଲିର ଜନତା କର୍ଫ୍ୟୁ ପରେ ଜରୁରୀ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଯେଉଁଭଳି ଭାବରେ ଧନ୍ୟବାଦ ଦିଆଗଲା ତାକୁ ନେଇ ସାଧାରଣତଃ ଦୁଇଟି ପ୍ରଶ୍ନ ଉଠିଛି । ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ କ’ଣ? ଆଉ ଜନତା ପରାମର୍ଶକୁ ଗ୍ରହଣ କଲେ କେମିତି? ଯେତେବେଳେ କାଲି ୫ଟା ବାଜିଥିଲା, ଲୋକ ଦଳ ଦଳ ହୋଇ ଉତ୍ସବର ମାହୋଲ ଭିତରେ ଧନ୍ୟବାଦ ଦେଇଥିଲେ । ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି ।

ଜନତା କର୍ଫ୍ୟୁର ପ୍ରଭାବ । ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ସକାଳ ୭ଟା ପରେ ଦେଖିବାକୁ ମିଳିଥିଲା ଏହିପରି ଦୃଶ୍ୟ । ବିଭିନ୍ନ ଜିଲ୍ଲାର ପ୍ରମୁଖ ରାସ୍ତା ଗୁଡିକ ଖାଁ ଖାଁ ଥିଲା । ରାସ୍ତାରେ ଲୋକଙ୍କ ଦେଖାନଥିଲା । ଆଉ ନୀରବତାର ଥିଲା ରାଜୁତି । ଲୋକେ ଘରୁ ବାହାରିନଥିଲେ । ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଜନତା କର୍ଫ୍ୟୁକୁ ମାନି ଲୋକେ ଘରେ ରହିବାକୁ ନିଷ୍ପତି ନେଇଥିଲେ ।

କିନ୍ତୁ ଅପରାହ୍ନ ୫ଟା ପରେ ବଦଳି ଯାଇଥିଲା ଚିତ୍ର । ଘର ଦୁଆରମୁହଁରେ କିମ୍ବା ବାଲକନିରେ ତାଳି କିମ୍ବା ଘଂଟା ବାଡେଇର ଦୃଶ୍ୟ ଦେଖିବାକୁ ମିଳିଥିଲା କିନ୍ତୁ ଲୋକେ ଏକାଠି ଥିଲେ । ରାସ୍ତାଘାଟରେ ବି ଲୋକେ ଏକତ୍ର ହୋଇଯାଇଥିଲେ । ସେମାନଙ୍କ ମଧ୍ୟରେ କୌଣସି ସାମାଜିକ ଦୂରତ୍ୱ ନଥିଲା । ଯାହାକି କରୋନା ସଂକ୍ରମଣକୁ ସୁହାଇବା ଭଳି ପରିସ୍ଥିତି ସୃଷ୍ଟି କରିଥିଲା ।

ରାଜ୍ୟର କେତେକ ସ୍ଥାନରେ ରାଜନେତା ମଧ୍ୟ ଲୋକଙ୍କ ସହିତ ଧାଡିରେ ଠିଆ ହୋଇ ଘଂଟ ପିଟିବା ଏବଂ ତାଳି ମାରିବାର ଦୃଶ୍ୟ ଆଶ୍ଚର୍ଯ୍ୟ କରିଦେଇଥିଲା । କାରଣ ଏହି ଦୃଶ୍ୟକୁ ଦେଖିଲେ ଲାଗୁଥିଲା ଆମର ମୁଳ ଲକ୍ଷ୍ୟକୁ ଆମେ ଭୁଲିଯାଇଛେ ।

କରୋନା ସହିତ ମଣିଷର ଚାଲିଥିବା ଏହି ଲଢେଇରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି, ଜଣେ ବ୍ୟକ୍ତି ନିଜେ କେତେ ସଚେତନ ହୋଇପାରୁଛି ଏବଂ ସତର୍କ ହୋଇପାରୁଛି । କରୋନା ସଂକ୍ରମଣ ନ ହେବା ପାଇଁ ଥିବା ନିୟମକୁ ନିଜେ କେତେଦୂର ପାଳନ କରିପାରୁଛି । କିନ୍ତୁ ଗତକାଲି ୫ଟା ପରେ ସତେ ଯେମିତି ସମସ୍ତେ ଏକଥା ଭୁଲିଗଲେ ।