କନକ ବ୍ୟୁରୋ : ଟେବୁଲ ଫ୍ୟାନରେ ପଶି ଏକ ନାଗ ସାପ କଲବଲ ହୋଇଛି । ଭୁଲବଶତଃ ଫ୍ୟାନ ଭିତରକୁ ପଶି ଯାଇଥିଲା ସାଢ଼େ ତିନି ଫୁଟ ଲମ୍ବର ସାପ । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଶ୍ରପତିପୁର ଗ୍ରାମରେ ଘଟିଛି ଏହି ଘଟଣା । ସୂଚନା ଅନୁଯାୟୀ ଏହି ଗ୍ରାମର ଗାଦାଧର ମଲ୍ଲିକ ଘରେ ଖାଇପିଇ ଶୋଇବାକୁ ଯିବାବେଳେ କାନ୍ଥ କଡରେ ଥୁଆ ହୋଇଥିବା ଟେବୁଲ ଫ୍ୟାନ ଆଣି ମୁଣ୍ଡ ଉପରେ ଥୋଇଥିଲେ । ଫ୍ୟାନ୍ ପ୍ଲଗ୍ ଦେବାକୁ ବାହାରିବା ବେଳେ ଫ୍ୟାନ ଭିତରୁ ଫଁ ଫଁ ଶବ୍ଦ ଶୁଣି ଚମକି ପଡିଥିଲେ ।
ଦେଖିଲା ବେଳକୁ ଫ୍ୟାନ ଭିତରେ ଏକ ନାଗ ସାପ ପଶି ଗର୍ଜନ କରୁଛି । ଏହାଦେଖି ସେ ସଙ୍ଗେ ସଙ୍ଗେ ସ୍ନେକ୍ ହେଲପଲାଇନକୁ ଫୋନ୍ କରିଥିଲେ । ସ୍ଥାନୀୟ ସ୍ନେକ୍ ହେଲପ ଲାଇନ୍ ସଦସ୍ୟ ସୁଶାନ୍ତ କୁମାର ବେହରୋ ପହଞ୍ଚି ଅତି ସତର୍କତାର ସହ ଫ୍ୟାନର କ୍ଲାମ୍ପକୁ ଖୋଲି ନାଗକୁ ଉଦ୍ଧାର କରିଥିଲେ । ଏବଂ ସାପଟିକୁ ଗାଁ ବାହାରେ ଛାଡି ଦେଇଥିଲେ ।