କମୁଛି ‘ମୋ ସାଇକେଲ’ର ଚାହିଦା ! ଅଚଳ ହେଲେ ମରାମତି ହେଉନି, ଲୋକଙ୍କ ମନରେ ପୂର୍ବପରି ଉତ୍ସାହ ନାହିଁ

266

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ଆଉ ଦେଖିବାକୁ ମିଳୁନି ‘‌ମୋ ସାଇକେଲ୍‌’ । କାଁ ଭାଁ ଗୋଟିଏ କି ଦୁଇଟି ସାଇକେଲ୍‌ ଗଡ଼ୁଛି । ହକି ବିଶ୍ବକପ୍‌ ସମୟରେ ସ୍ମାର୍ଟ ସିଟି ବାସିନ୍ଦାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଓ ପ୍ରଦୂଷଣମୁକ୍ତ ସହର କରିବା ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ପକ୍ଷରୁ ଆରମ୍ଭ ହୋଇଥିଲା ଏହି ଡ୍ରିମ୍‌ ପ୍ରୋଜେକ୍ଟ ‘ମୋ ସାଇକେଲ୍‌’। ମାତ୍ର ଏହି ପ୍ରକଳ୍ପର ସଫଳତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆରମ୍ଭରୁ ସହରବାସୀଙ୍କ ମଧ୍ୟ‌ରେ ଯେଉଁଭଳି ଉତ୍ସାହ ଦେଖିବାକୁ ମିଳିଥିଲା ତାହା ଏବେ ଆଉ ନାହିଁ । ୪ ମାସ ମଧ୍ୟରେ ସବୁ କିଛି ବିଗିଡ଼ି ଯାଇଛି । ପିଲା, ମହିଳା, ବୟସ୍କଙ୍କ କଥା‌ ଛାଡ଼ନ୍ତୁ ଯୁବପିଢ଼ି ବି ସାଇକେଲ୍‌ ଚଲାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ସରକାରୀ ଭାବେ ମିଳିଥିବା ତଥ୍ୟରେ ଏହି କଥା ଉଲ୍ଲେଖ ହୋଇଛି । ତଥ୍ୟ କହୁଛି ଯେ ୨୦୧୮ ନଭେମ୍ବର ମାସରେ ଏହି ଯୋଜନା ଆରମ୍ଭ ହେବା ପରେ ସାଇକେଲ୍‌ ଚଲାଇବା ପାଇଁ ସହରବାସୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା । ଡିସେମ୍ବର ମାସରେ ୩୭ ହଜାର ୮ ଜଣ ‌ଲୋକ ମୋ ସାଇକେଲ୍‌ ବ୍ୟବହାର କରିଥିଲେ । ଏହି ସମୟରେ ଭୁବନେଶ୍ବରରେ ହକି ବିଶ୍ବକପ୍‌ ଚାଲୁଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । କଳିଙ୍ଗ ଷ୍ଟାଡିୟମ୍‌ଠାରୁ ଆରମ୍ଭ କରି କିଟ୍‌ ଛକ ପର୍ଯ୍ୟନ୍ତ ପ୍ରତିଦିନ ଶହ ଶହ ଲୋକ ସାଇକେଲ୍‌ ଚଲାଉଥିଲେ । ଏପରିକି ହକି ବିଶ୍ବକପ୍‌ ମ୍ୟାଚ୍‌ ଦେଖିବାକୁ ଲୋକେ ସାଇକେଲ୍‌ ଚଲାଇ ଆସୁଥିଲେ ।

ତେବେ ଗୋଟିଏ ମାସ ମଧ୍ୟରେ ଚା‌ଳକମାନେ ‘ମୋ ସାଇକେଲ୍‌’ରୁ ମୁହଁ ମୋଡ଼ିବା ଆରମ୍ଭ କଲେ । ଯେଉଁଥିପାଇଁ ୨୦୧୯ ଜାନୁଆରି ମାସରେ ଚାଳକଙ୍କ ସଂଖ୍ୟା ଅର୍ଧାଧିକ କମିଗଲା । ମାତ୍ର ୧୪ ହଜାର ୭୯୫ ଜଣ ସାଇକେଲ୍‌ ଚଲାଇଥିଲେ । ଫେବ୍ରୁଆରି ମାସ ‌ବେଳକୁ ସଂଖ୍ୟା ଆହୁରି ହ୍ରାସ ପାଇ ୭ ହଜାର ୧୫୮ରେ ପହଞ୍ଚିଥିଲା । ତେବେ ମାର୍ଚ୍ଚ ମାସରେ ମାତ୍ର ୬ ହଜାର ୨୧୬ ଜଣ ସାଇକେଲ୍‌ ଚଲାଇଥିଲେ । ଏପ୍ରିଲ ମାସ ଏବେ ସୁଦ୍ଧା ପ୍ରାୟ ୪ ହଜାର ଜଣ ‘ମୋ ସାଇକେଲ୍‌’ ଚଲାଇଥିବା ଜଣାପଡ଼ିଛି । ଯଦି ସମସ୍ତ ତଥ୍ୟକୁ ଦେଖାଯାଏ ତେବେ ୪ ମାସ ମଧ୍ୟରେ ୮୦ ପ୍ରତିଶତରୁ ଅଧିକ ଚାଳକ ‘ମୋ ସାଇକେଲ୍‌’ରୁ ମୁହଁ ଫେରାଇଛନ୍ତି ।

 

‘ମୋ ସାଇକେଲ୍‌’ ଆରମ୍ଭ ହେବାର କିଛି ଦିନ ପର୍ଯ୍ୟନ୍ତ ସବୁ କିଛି ଠିକ୍‌ ଠାକ୍‌ ଚାଲିଥିଲା । ତେବେ ଧୀରେ ଧୀରେ ତାହା ଅଚଳ ହୋଇଗଲା । ଯେଉଁଠି ପଡ଼ିଲା ତ ପଡ଼ିଲା । ଆଉ ମରାମତି ହେଲାନି । କେଉଁଠି ସାଇକେଲ୍‌ର ସିଟ୍‌ ଭାଙ୍ଗିଗଲା ତ ଆଉ କେଉଁଠି ଲକ୍ । ସ୍ଥିତି ହେଲା ଯେ ସାଇକେଲ୍‌ ଆଉ ଆଗକୁ ବଢ଼ିପାରିଲା ନାହିଁ । ଲୋକେ ଚଲାଇବାକୁ ଆସି ସାଇକେଲ୍‌ ନିକଟରେ ପହଞ୍ଚିଲା ବେଳକୁ ସାଇକେଲ୍‌ ଅଚଳ । ଏବେ ପରିସ୍ଥିତି ଏମିତି ହୋଇଛି ଯେ ରାସ୍ତାକଡ଼ରେ ପଡ଼ିରହିଛି ଅଚଳ ସାଇକେଲ୍‌ । ଦିନେ ସହରର ଶୋଭା ବୃଦ୍ଧି କରୁଥିବା ‘ମୋ ସାଇକେଲ୍‌’ ଏବେ ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଛି । ଗତ ମାସେ ହେଲା ରାଜଧାନୀରେ କାଳବୈଶାଖୀ ବର୍ଷା ହେଉଥିବାରୁ ସାଇକେଲ୍‌ଗୁଡ଼ିକ ଏଣେତେଣେ ପଡ଼ୁଛି । ତାହାର ଯତ୍ନ ନେବାକୁ କେହି ନାହାନ୍ତି । ଧାଡ଼ିରେ ବି ରଖା ଯାଉନି । ଝଡ଼ବର୍ଷା ପ୍ରଭାବରେ କେତେକ ସ୍ଥାନରେ ସାଇକେଲ୍‌ ଉପରେ ଗଛ ଡାଳ ପଡ଼ି ତାହା ଭାଙ୍ଗିଗଲାଣି ।

ମୋ ସାଇକେଲ୍‌ରେ ସ୍ମାର୍ଟ ଲକ୍ ବ୍ୟବସ୍ଥା ହୋଇଥିଲା । ମାତ୍ର ଲୋକେ ତା’ଠାରୁ ଅଧିକ ସ୍ମାର୍ଟ ବୋଲି ୪ ମାସ ମଧ୍ୟରେ ପ୍ରମାଣ କରି ଦେଖା‌ଇଛନ୍ତି । କେବଳ ରାଜଧାନୀରେ ଗଡ଼ିବାକୁ ଥିବା ମୋ ସାଇକେଲ୍‌ ଏବେ ସମ୍ବଲପୁର, ବ୍ରହ୍ମପୁରରେ ବି ପହଞ୍ଚିଲାଣି । ଲୋକେ ମୋବାଇଲ୍‌ରେ ‘ମୋ ସାଇକେଲ୍‌’ ଆପ୍‌ ଡାଉନଲୋଡ୍‌ କରି ସାଇକେଲ୍‌ ଅନଲକ୍‌ କରି କିଛି ସମୟ ଚଲାଇବା ପରେ ରାଜଧାନୀ ସୀମା ପାର୍‌କୁ ଚାଲିଯାଉଛନ୍ତି । କେବଳ ଭୁବନେଶ୍ବରରେ ଗଡ଼ିଥିବା ଏହି ସାଇକେଲ୍‌ ଏବେ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚିଲାଣି । ଆରମ୍ଭ ବେଳେ କୁହାଯାଇଥିଲା ସାଇକେଲ୍‌ଗୁଡ଼ିକ କେବଳ ବିଏମ୍‌ସି ଅଞ୍ଚଳରେ ଚାଲିବ। ଏହି ସୀମାରେ ଜିଓଫେନ୍‌ସିଂ କରାଯାଇଛି । ସୀମା ପାର୍‌ ହେଲେ ସାଇକେଲ୍‌ ଅପଣା ଛାଏଁ ଲକ୍‌ ହୋଇଯିବ । ହେଲେ ଲୋକେ ଭୁବନେଶ୍ବରରୁ ସାଇକେଲ୍‌ ଚୋରି କରି ବ୍ରହ୍ମପୁର, ସମ୍ବଲପୁର, ପିପିଲି, ଖୋର୍ଧା, ଜଟଣୀ ନେଇଯାଇ ନଥିଲେ ମଧ୍ୟ ଟେର୍‌ ମିଳିପାରିନି । ସାଇକେଲ୍‌ ଚୋରି ହେଉଥିବାରୁ ଷ୍ଟାଣ୍ଡରେ ଆଉ ଆଗଭଳି ସାଇକେଲ୍‌ ଦେଖିବାକୁ ମିଳୁନି ।

ହକି ବିଶ୍ବକପ୍‌ ବେଳେ ରାସ୍ତା ପାର୍ଶ୍ବ ଓ ଡିଭାଇଡର୍‌ଗୁଡ଼ିକରେ ବୃକ୍ଷରୋପଣ ସହ ସାଇକେଲ୍‌ ଟ୍ରାକ୍‌, ଫୁଟ୍‌ପାଥ ପାଇଁ ସ୍ବତନ୍ତ୍ର ରାସ୍ତା ଚିହ୍ନଟ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସହରର ୩ଟି ରୁଟ୍‌ (ଗଭର୍ଣ୍ଣର ହାଉସ୍‌ ଛକରୁ କଳିଙ୍ଗ ଷ୍ଟାଡିୟମ-ଜୟଦେବ ବିହାର-କଳିଙ୍ଗ ହସ୍ପିଟାଲ ଛକ- ପଟିଆ- କିଟ୍‌ ଛକ, ବିମାନବନ୍ଦରରୁ ସଚିବାଳୟ ମାର୍ଗ-ଜୟଦେବ ବିହାର- କଳିଙ୍ଗ ହସ୍ପିଟାଲ ଛକ, ୟୁନିଟ ୧ରୁ ରେଳ ଷ୍ଟେସନ୍‌-ବାଣୀବିହାର ପର୍ଯ୍ୟନ୍ତ ଜନପଥ ରାସ୍ତା)ରେ ସାଇକେଲ୍‌ ଚାଲିବାକୁ ଥିବାରୁ ସେଠାରେ ସାଇକେଲ୍‌ ଟ୍ରାକ୍‌ ଚିହ୍ନଟ କରି ନାଲି ରଙ୍ଗ ଲଗା ଯାଇଥିଲା । ତେବେ ସାଇକେଲ୍‌ ଟ୍ରାକ୍‌ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ । ପ୍ରଥମେ କିଛି ଦିନ ଧରି ଜବରଦଖଲ ଉଚ୍ଛେଦ କରାଯାଇଥିଲା ।  ତେବେ ଏବେ ସ୍ଥିତି ଯେମିତିକୁ ସେମିତି । କେଉଁଠି ବସ୍‌ ପାର୍କିଂ ‌ହେଉଛି ତ ଆଉ କେଉଁଠି କାର୍‌ । ସାଇକେଲ୍‌ ଚଲାଇବା ପାଇଁ ଆଉ ସାଇକେଲ୍‌ ଟ୍ରାକ୍‌ ନାହିଁ । ଯେଉଁଥିପାଇଁ ଚାଳକଙ୍କ ମଧ୍ୟରେ ଆଉ ଆଗଭଳିି ଆଗ୍ରହ ଦେଖିବାକୁ ମିଳୁନି ।