ମାନବ ସଭ୍ୟତାର ସବୁଠାରୁ ବଡ଼ ଶତ୍ରୁ କରୋନା : କଠିନ ପରିସ୍ଥିତିରେ ଅର୍ଥନୀତି ଅପେକ୍ଷା ମଣିଷ ଜୀବନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର

1,063

କନକ ବ୍ୟୁରୋ : କରୋନା ଗତ ଏକ ଶତାଦ୍ଦୀ ମଧ୍ୟରେ ମାନବ ସଭ୍ୟତାର ସବୁଠାରୁ ବଡ଼ ଶତ୍ରୁ । ଜୀବନଯାତ୍ରା ପୂର୍ବବତ ଚାଲୁନାହିଁ । ରାଜ୍ୟ ସମେତ ପୁରା ଦେଶ ତାଲାବନ୍ଦରେ ରହିଛି । ତେବେ କରୋନା ସ୍ଥିତି ସମ୍ପର୍କରେ ଆମେ ବୁଝିବା ଆବଶ୍ୟକ ଏବଂ ସାହସର ସହିତ ମିଳିତଭାବେ ମୁକାବିଲା କରିବା ଜରୁରୀ । କଠିନ ପରିସ୍ଥିତିରେ ଆମକୁ ମଣିଷ ଜୀବନ ଏବଂ ଅର୍ଥନୀତି ମଧ୍ୟରେ ନିଷ୍ପତ୍ତି ନେବାକୁ ହେଇଛି । ଏହି କଠିନ ପରିସ୍ଥିତି ମଣିଷ ଜୀବନକୁ ହିଁ ଅଧିକ ଗୁରୁତ୍ୱ ଦେଇ ନିଷ୍ପତ୍ତି ନିଆଯାଇଛି ବୋଲି ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି ।

ମହାପ୍ରଭୁଙ୍କ ଆଶିର୍ବାଦ ଓ ଜନତାଙ୍କ ତ୍ୟାଗ ହିଁ କଠିନ ପରିସ୍ଥିତିରୁ ମୁକୁଳାଇ ପାରିବ । ତେବେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡିଶାରେ ଲକ ଡାଉନ ଅବଧିକୁ ବଢ଼ାଇ ଦେଇଛନ୍ତି ରାଜ୍ୟ ସରକାର । ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ଏପ୍ରିଲ ୩୦ ଯାଏ ଜାରି ରହିବ ଲକଡାଉନ । ଏବଂ ଜୁନ ୧୭ ଯାଏ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । କ୍ୟାବିନେଟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ଏପ୍ରିଲ ୩୦ ଯାଏ ଳକଡାଉନ ବଢାଇବା ପାଇଁ କେନ୍ଦ୍ର ସରକାରଙ୍କୁ ମଧ୍ୟ ରାଜ୍ୟ କ୍ୟାବିନେଟ ପ୍ରସ୍ତାବ ଦେଇଛି । ଏପ୍ରିଲ ୩୦ ଯାଏ ଟ୍ରେନ, ବିମାନ ସେବା ବନ୍ଦ କରିବା ପାଇଁ ମଧ୍ୟ କେନ୍ଦ୍ରକୁ ସୁପାରିଶ କରାଯାଇଛି ।

ଆମେରିକାର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେରିକାରେ ୩ ହଜାରରୁ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷକୁ ବଢିଗଲା । ୯/୧୧ ଭଳି ଘଟଣାରେ ଏତେ ସଂଖ୍ୟାର ଲୋକଙ୍କ ମୃତ୍ୟୁ ହୋଇନଥିଲା, ଯେତେ ଲୋକ କରୋନାରେ ପ୍ରାଣ ହରାଇଲେଣି । ତଥାପି ସେଠାରେ ସବୁ ସ୍ଥାନରେ ଲକଡାଉନ କରାଯାଇଛି । ଏପଟେ ଖାଦ୍ୟ ନିରାପତ୍ତା ଦୃଷ୍ଟିରୁ ମାଲ ପରିବହନରେ କୌଣସି ବାଧା କରାଯିବ ନାହିଁ ବୋଲି ଆଶ୍ୱସନା ଦେଇଛନ୍ତି । ଓଡିଶା ବାହାରେ ଫସିରହିଥିବା ଓଡିଆ ଶ୍ରମିକଙ୍କ ଯତ୍ନ ନେବା ପାଇଁ ସେ ସେସବୁ ରାଜ୍ୟକୁ ଅନୁରୋଧ କରାଯାଇଛି ।

ରାଜ୍ୟରେ କୋଭିଡ୍ ଟେଷ୍ଟିଙ୍ଗ୍ ଓ ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି । ଖୁବ୍ ଶୀଘ୍ର ରାଜ୍ୟରେ ୧ ଲକ୍ଷ ରେପିଡ୍ ଟେଷ୍ଟିଙ୍ଗ୍ ସୁବିଧା ବିକାଶ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଯେଉଁଭଳି ଭାବେ ସହଯୋଗ ଓ ସମର୍ଥନ ମିଳିଛି ସେଥିପାଇଁ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡୁଛି । ଅନେକ ତ୍ୟାଗ କରିବାକୁ ପଡୁଛି, କିନ୍ତୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଏକମାତ୍ର ବାଟ ।