‘ଫୋନି’ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ସଚିବାଳୟ ବୈଠକ, ଫୋନ ସେବା ନିରବଚ୍ଛିନ୍ନ ରହିବା ଦିଗରେ ଗୁରୁତ୍ୱ

197

କନକ ବ୍ୟୁରୋ : ଘଂଟାକୁ ୧୫ କିମି ବେଗରେ ପୁରୀ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଫୋନି । ବର୍ତ୍ତମାନ ସମୟରେ ପୁରୀ ଠାରୁ ୪୨୦ କିମି ଦୂରରେ ରହିଛି ବାତ୍ୟା ଫୋନି । ତେବେ ଫାଇଲିନ୍ ଠାରୁ ଫୋନିର ପ୍ରଭାବ କମ୍ ରହିବ ବୋଲି ଆକଳନ କରାଯାଉଛି । ସେପଟେ ବାତ୍ୟା ଫୋନି ନେଇ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ପରିବର୍ତ୍ତୀ ସ୍ଥିତିର ମୁକାବିଲା ନେଇ ସଚିବାଳୟରେ ବୈଠକ ବସିଛି । ନଗର ଉନ୍ନୟନ ସଚିବ, ଶକ୍ତି ସଚିବ, ପଂଚାୟତିରାଜ ସଚିବ ଓ ଗ୍ରାମୀଣ ବିକାଶ ସଚିବ ଏହି ବୈଠକରେ ସାମିଲ ଅଛନ୍ତି । ତେବେ ବାତ୍ୟା ‘ଫୋନି’ ନେଇ ଟେଲିଫୋନ୍ ଅପରେଟରଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଫୋନ ସେବା ଯେପରି ବ୍ୟାଘାତ ନହେବ ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ପ୍ରସଙ୍ଗରେ ଆଲୋଚନା କରାଯାଉଛି ।

ଅନ୍ୟପଟେ ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ନେବା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ବିଶେଷକରି ମହିଳା, ଗର୍ଭବତୀ ମହିଳା, ଶିଶୁ, ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗଙ୍କ ସ୍ଥାନାନ୍ତର କରିବା ଉପରେ ଗରୁତ୍ୱ ଦିଆଯାଉଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଏବଂ ଆଜି ସନ୍ଧ୍ୟା ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଅଂଚଳର ସମସ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ରାଜ୍ୟରେ ୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । କେବଳ ପୁରୀରେ ୧ ଲକ୍ଷ ୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ । କଟକରେ ୬୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ ।

ଏହାସହ ବାତ୍ୟା ଫୋନିକୁ ଆଖି ଆଗରେ ରଖି ଲୋକମାନଙ୍କୁ ସାଇରନ୍ ବଜାଇ ସତର୍କ କରାଯିବା ସହିତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ପିପିଲିରେ ସାଇରନ୍ ବଜାଇ ସତର୍କ କରାଯାଇଛି । ସେହିପରି କାକଟପୁର -ଅସ୍ତରଙ୍ଗର ତଳିଆ ଅଂଚଳ ଓ କଚ୍ଚା ଘରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି । ଅସ୍ତରଙ୍ଗ ବ୍ଲକର ଛେନୁ, ତତ୍ପାଘର, ଉଦୟକଣି, କଟକଣା ଗ୍ରାମର ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତରିତ କରାଯାଉଛି । ତଣ୍ଡାଘରରେ ଥିବା ବାତ୍ୟା ଆଶ୍ରୟସ୍ଥଳିକୁ ଲୋକମାନଙ୍କୁ ନିଆଯାଇଛି । ତେବେ ସମୁଦ୍ରଠାରୁ ମାତ୍ର ୧୦୦ମିଟର ଦୂରରେ ତଣ୍ଡାଘର ବାତ୍ୟା ଆଶ୍ରୟ ସ୍ଥଳ ଥିବାରୁ ସେଠାରୁ ପୁଣି ଚିତ୍ରେଶ୍ୱର ହାଇସ୍କୁଲକୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି ।